ପୃଷ୍ଠା:Odisha Itihasa.pdf/୧୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୦୩ରେ ଓଡ଼ିଶା ଅଧିକାର କଲାବେଳେ ଇଂରେଜମାନେ ଭାରତର ସର୍ବୋଚ୍ଚ ଶକ୍ତି ହୋଇ ନଥିଲେ । ଗଡ଼ଜାତ ଓ ଜମିଦାରୀର ସମର୍ଥନ ବିନା ସେମାନେ ସର୍ବୋଚ୍ଚ ଶକ୍ତି ହୋଇପାରିବେ ନାହିଁ ବୋଲି ମନେ କରୁଥିଲେ । ତେଣୁ ଆଭ୍ୟନ୍ତରୀଣ ସ୍ୱାଧୀନତା ଦେଇ ତଥା ନାମମାତ୍ର ଦେୟ ଧାର୍ଯ୍ୟ କରି ପ୍ରତିବଦଳରେ ସେମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ଲାଭ କରିବାକୁ ପ୍ରୟାସ କରୁଥିଲେ । ମାତ୍ର ଦଶବର୍ଷ ପରେ ଇଂରେଜମାନେ ଆଉ ଦେଶୀୟ ରାଜ୍ୟ ଓ ଗଡ଼ଜାତର ସମର୍ଥନ ଦରକାର କରୁ ନଥିଲେ । ଭାରତରେ ସର୍ବୋଚ୍ଚ ଶକ୍ତି ହେବା ପରେ ଗଡ଼ଜାତମାନଙ୍କର କ୍ଷମତା କ୍ଷୁଣ୍ଣ କରିବାକୁ ସେମାନେ ପ୍ରୟାସ କଲେ । ଏହି ଲକ୍ଷ୍ୟରେ ୧୮୧୪ରେ ଗଡ଼ଜାତମାନଙ୍କୁ ଟ୍ରିବ୍ୟୁଟାରୀ ମାହାଲ ଅଧୀନରେ ରଖାଗଲା । ମାହାଲର ମୁଖ୍ୟ ଭାବରେ ଜଣେ ଅଧୀକ୍ଷକ ବା ସୁପରିନ୍‌ଟେେଣ୍ତଣ୍ଟଙ୍କୁ ନିଯୁକ୍ତ କରାଗଲା । ଗଡ଼ଜାତଗୁଡ଼ିକ ମଧ୍ୟରେ ବା ଗଡ଼ଜାତ ଓ ମୋଗଲବନ୍ଦି ମଧ୍ୟରେ ଅଥବା ଗଡ଼ଜାତ ରାଜା କିଛି ଗହନ ଅପରାଧ କଲେ, ତାକୁ ବୁଝିବାପାଇଁ ମାହାଲ ଗଠନ ହୋଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନେ ଆବଶ୍ୟକ ପଡ଼ିଲେ ଅଧୀକ୍ଷକଙ୍କୁ ସହଯୋଗ କରିବେ ବୋଲି ନିୟମ ରହିଲା । ଗଡ଼ଜାତର ରାଜା ଯଦି ନାବାଳକ, ତାଙ୍କ କାର୍ଯ୍ୟ ପରିଚାଳନାପାଇଁ ଜଣେ ତହସିଲଦାର ରହିବେ ବୋଲି ଆଇନରେ ଉଲ୍ଲେଖ ରହିଲା । ଏହା ପ୍ରକାରାନ୍ତରେ ଗଡ଼ଜାତ ଉପରେ ଇଂରେଜର କର୍ତ୍ତୃତ୍ୱ ଜାହିର କରିବାଲାଗି ବାଟ ଖୋଲି ଦେଲା ।

ଏତେ ସବୁ ପରିବର୍ତ୍ତନ ହେଲା, ଅଥଚ ଗଡ଼ଜାତର ପ୍ରଜାବିରୋଧୀ ଶାସନକୁ ନିୟନ୍ତ୍ରଣ କରିବାକୁ ସରକାର କୌଣସି ବିଶେଷ ପଦକ୍ଷେପ ନେଲେ ନାହିଁ । କେବଳ ହତ୍ୟା ଭଳି ଗୁରୁତର ଅପରାଧ କରିଥିବା ରାଜାଙ୍କୁ ସମୟେ ସମୟେ ଦଣ୍ତ ଦିଆଗଲା । ଅନେକ ସମୟରେ ନରହତ୍ୟା ସମେତ ଅନେକ ଅପରାଧ କରି ସୁଦ୍ଧା ଗଡ଼ଜାତ ରାଜାମାନେ ଆଦୌ କୌଣସି ଦଣ୍ତ ପାଇଲେ ନାହିଁ । ପ୍ରଥମେ ୧୮୨୧ରେ ଏବଂ ପରେ ୧୮୩୯ରେ ଓଡ଼ିଶାର ଗଡ଼ଜାତ ଅଧୀକ୍ଷକ ଗଡ଼ଜାତ ରାଜାମାନଙ୍କୁ କଠୋର ଆଇନ ମଧ୍ୟରେ ଆଣିବାକୁ ପ୍ରସ୍ତାବ ଦେଲେ । ମାତ୍ର ସରକାର ପ୍ରସ୍ତାବଗୁଡ଼ିକୁ ଅଗ୍ରାହ୍ୟ କରିଦେଲେ । ଏହି ପ୍ରକ୍ରିୟାରେ ଇଂରେଜର ଛତ୍ରଛାୟା ତଳେ ଗଡ଼ଜାତରେ ଅମାନବୀୟ ଅତ୍ୟାଚାର ରାଜାମାନଙ୍କ ନେତୃତ୍ୱରେ ସଂପନ୍ନ ହେଲା ଏବଂ ଇଂରେଜମାନେ ଚାରିଆଡେ଼ ଗଣତନ୍ତ୍ର, ବିଧି ସମ୍ମତ ଆଇନ, ବ୍ୟକ୍ତି ସ୍ୱାଧୀନତା, ଆଧୁନିକ ବିକାଶର ପକ୍ଷଧର ବୋଲି ନିଜକୁ ଗର୍ବ କରି ପ୍ରଚାର କଲେ । ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ (୧୯୦୬) ସମସ୍ତ ଗଡ଼ଜାତପାଇଁ ଜଣେ ପଲିଟିକାଲ୍‍ ଏଜେଣ୍ଟ ନିଯୁକ୍ତ ହେଲେ । ଯଦିଓ ପଲିଟିକାଲ୍‍ ଏଜେଣ୍ଟ ଗଡ଼ଜାତ ରାଜାଙ୍କୁ ଉପଦେଶ, ପରାମର୍ଶ ଏବଂ ଆବଶ୍ୟକ ପଡ଼ିଲେ ଆଦେଶ ଦେବେ ବୋଲି କଥା ରହିଲା, ପ୍ରକୃତରେ ଦେଖିବାକୁ ଗଲେ, ଅନେକ ସମୟରେ ରାଜାପକ୍ଷ ପଲିଟିକାଲ୍‍ ଏଜେଣ୍ଟଙ୍କୁ ନାନା ଉପାୟରେ ପ୍ରଭାବିତ କରି ରଖୁଥିଲେ । ବରଂ ଅନେକ କ୍ଷେତ୍ରରେ ପଲିଟିକାଲ୍‍ ଏଜେଣ୍ଟଙ୍କୁ ଅତ୍ୟାଚାରିତ ପ୍ରଜାମାନେ ରାଜପକ୍ଷ ବ୍ୟକ୍ତି ବୋଲି ମନେ କରୁଥିଲେ । ଏହାର ଫଳ ସ୍ୱରୂପ ୧୯୩୯ରେ ରଣପୁରରେ ରାଜା-ବିରୋଧୀ ଗଣ ଆନ୍ଦୋଳନରେ ତତ୍କାଳୀନ ପଲିଟିକଲ୍‍ ଏଜେଣ୍ଟ ବେଜେଲଗେଟ୍‍ଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ।{{right|ଓଡ଼ିଶା ଇତିହାସ . ୧୭୧