ପୃଷ୍ଠା:Odisha Itihasa.pdf/୧୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିକ୍ଷା ନୀତି

ଇଂରେଜମାନେ ଓଡ଼ିଶା ଦଖଲ କରିବା ଦିନଠାରୁ ଶିକ୍ଷାକୁ କେବଳ ଚାକିରି ସାଙ୍ଗରେ ଯୋଡ଼ି ଦେଖୁଥିଲେ । ଇଂରେଜ ପ୍ରାଶାସନିକ ବ୍ୟବସ୍ଥାରେ ଅଧସ୍ତନ କର୍ମଚାରୀ ଭାବରେ ଓଡ଼ିଆଙ୍କର ଯେହେତୁ ବିଶେଷ ଉପସ୍ଥିତି ନଥିଲା; ଓଡ଼ିଶାକୁ ଅଶିକ୍ଷିତ, ନିରକ୍ଷର ଲୋକବହୁଳ ଦେଶ ବୋଲି ସେମାନେ ମାନି ନେଇଥିଲେ । ସେହି ସୂତ୍ରରେ ଶିକ୍ଷାର ବିକାଶପାଇଁ ସେମାନେ ଯେଉଁ କେତେକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ, ସେଥିରେ, ଅଧସ୍ତନ କର୍ମଚାରୀ ରୂପରେ ଓଡିଆଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେଇ ଦୟାଭାବ ଦେଖାଇବା ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ବଙ୍ଗାଳୀ ଓ ମୁସଲମାନ କିରାଣିଙ୍କର ସେତେବେଳେ ଅଧସ୍ତନ କର୍ମଚାରୀ ଭାବେ ସଂଖ୍ୟା ଦୃଷ୍ଟିରୁ ମହତ୍ତ୍ୱ ରହିଥିଲା । କର୍ମଚାରୀ ଭାବରେ ଓଡ଼ିଆମାନଙ୍କ ସଂଖ୍ୟା ନ୍ୟୂନତାକୁ ଅନୁଭବ କରି ତଥା ଓଡ଼ିଆମାନଙ୍କ ପ୍ରତି ଦୟାଭାବ ଦେଖାଇ ୧୮୨୧ରେ କଟକ ମାଜିଷ୍ଟ୍ରେଟ୍‍ ଲେଖିଥିଲେ- "ମାସକୁ ଦଶ ଟଙ୍କା ବେତନ ପାଉଥିବା ଜଣେ ବି ଓଡ଼ିଆ ମିଳିବା କାଠିକର । ସାଧାରଣତଃ ବଙ୍ଗାଳୀ ଓ ମୁସଲମାନ ହିଁ ଉଚ୍ଚ ପଦପଦବୀରେ ରହିଛନ୍ତି । ସର୍ବଦା ମୁଁ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରାଥମିକତା ଦିଏ, ମାତ୍ର ସ୍ଥିତି ଏମିତି ଯେ, ସାଧାରଣ ମୋହରିର କାମପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାଧାରୀ ଜଣେ ଓଡ଼ିଆ ମିଳିବା କଷ୍ଟ ।"

ଓଡ଼ିଆ ଲୋକ ଯେ ପାରଂପରିକ ଶିକ୍ଷାରୁ ବଞ୍ଚିତ ଥିଲେ ତା' ନୁହେଁ । ସଂସ୍କୃତରେ ଏବଂ ଓଡ଼ିଆରେ ପ୍ରଗାଢ଼ ଜ୍ଞାନ ଥିବା ଓଡ଼ିଆଙ୍କ ସଂଖ୍ୟା ଊଣା ନଥିଲା । ମାତ୍ର ପ୍ରାଶାସନିକ ନିଯୁକ୍ତିପାଇଁ ୧୮୦୩-୦୪ରେ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳ ପାର୍ସୀ ଭାଷା ଜ୍ଞାନ ଜରୁରୀ ଥିଲା । ଓଡ଼ିଆ ମାନେ ତହିଁରେ ଦକ୍ଷ ନଥିଲେ । ୧୮୦୫ରେ, ପାର୍ସୀ ସହିତ ଓଡ଼ିଆରେ ବି ସରକାରଙ୍କୁ ଦରଖାସ୍ତ ଦିଆଯାଇ ପାରିବ ତଥା ଅନ୍ୟାନ୍ୟ ସରକାରୀ କାମପାଇଁ ଓଡ଼ିଆଙ୍କୁ ବାରଣ କରାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଲେ । ତା' ସତ୍ତ୍ୱେ ଓଡ଼ିଆ ଲୋକ ଚାକିରି କ୍ଷେତ୍ରରେ ବଙ୍ଗାଳୀମାନଙ୍କ ଅପେକ୍ଷା ଖୁବ୍‍ ପଛରେ ରହିଗଲେ । କାରଣ ଓଡ଼ିଆ ଶିକ୍ଷିତ ବର୍ଗ ତାଳପତ୍ରରେ ଏବଂ ଲୌହ ଲେଖନୀ ମାଧ୍ୟମରେ ଲେଖିବା ଜାଣିଥିଲେ । କାଗଜ ଓ କଲମରେ ଲେଖିବାକୁ ସେତେବେଳେ ଅଶୁଭ ମନେ କରାଯାଉଥିଲା । ସରକାରୀ କାର୍ଯ୍ୟାଳୟରେ ଏବଂ ବିଶେଷକରି କୋର୍ଟ କଚେରିରେ ସ୍ଥାନୀୟ ଓଡ଼ିଆ ଲୋକ ବଙ୍ଗାଳୀ ଓ ମୁସଲମାନ୍‍ କିରାଣି ଆଦିଙ୍କ ହାତରେ ପେଷି ହୋଇଯାଉଥିଲେ । ଦରଖାସ୍ତ ଲେଖିବାପାଇଁ, ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବାପାଇଁ, ଅଣ-ଓଡ଼ିଆ କର୍ମଚାରୀମାନେ ଖୁବ୍‍ ଲାଞ୍ଚ ନେଉଥିଲେ । ତଳସ୍ତର କର୍ମଚାରୀଙ୍କ ମଧ୍ୟରେ ଦୁର୍ନୀତି, ଠକାମି, ଶଠତା ଆଦି ଭର୍ତ୍ତିି ହୋଇ ରହିଥିଲା । ଓଡ଼ିଆ ଲୋକ ନିଯୁକ୍ତି ପାଇଲେ ଦୁର୍ନୀତି କାଳେ ବନ୍ଦ ହେବ ବୋଲି ଉଚ୍ଚପଦାଧିକାରୀମାନେ ଭାବୁଥିଲେ । ୧୮୨୮ରେ ଭଦ୍ରକ ଓ ପଟ୍ଟାମୁଣ୍ତାଇର ମୁନସଫ୍‍ମାନେ ଦୁର୍ନୀତି ଓ ଅନ୍ୟାନ୍ୟ ଅପରାଧରେ ଲିପ୍ତ ଥିବାର ପ୍ରମାଣ ମିଳିଥିଲା । ଏହି ସବୁ ବ୍ୟବସ୍ଥାଗତ ସମସ୍ୟାକୁ ସୁଧାରିବାକୁ ହେଲେ ସ୍ଥାନୀୟ ଲୋକଙ୍କୁ ଶିକ୍ଷିତ କରି ଅଫିସ୍‍ ଦପ୍ତରରେ ନିଯୁକ୍ତି ଦେବାକୁ ହେବ ବୋଲି ସରକାର ଚିନ୍ତା କରୁଥିଲେ ।୧୭୨ . ଓଡ଼ିଶା ଇତିହାସ