ପୃଷ୍ଠା:Odisha Itihasa.pdf/୧୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିକ୍ଷା ଓ ଚାକିରି କ୍ଷେତ୍ରରେ ପଛେଇ ଯାଇଥିବା ଓଡ଼ିଶାର ସ୍ଥାନୀୟ ଲୋକଙ୍କ ଦୁରବସ୍ଥା ପ୍ରତି ଏତେ ମାତ୍ରାରେ ସରକାର ଦୟାଭାବ ପ୍ରଦର୍ଶନ କରିବା ସତ୍ତ୍ୱେ, ୧୮୩୮ ଯାଏ କେତୋଟି ମାତ୍ର ମିଶନାରୀ ସ୍କୁଲ୍‍କୁ ବାଦ୍‍ ଦେଲେ ଓଡ଼ିଶାରେ ସ୍କୁଲ୍‍ ପ୍ରତିଷ୍ଠିତ ହୋଇ ନଥିଲା ବୋଲି କହିଲେ ଭୁଲ ହେବ ନାହିଁ । ୧୮୩୫ରେ ଲର୍ଡ଼ ବେଣ୍ଟିକ୍‍ଙ୍କ ସମୟରେ ସ୍କୁଲ୍‍ମାନଙ୍କରେ ଇଂରାଜୀ ଶିକ୍ଷା ଦିଆଯିବ ବୋଲି ସ୍ଥିର ହେଲା । ମାତ୍ର ଏହାର ପ୍ରତିଫଳ ଓଡ଼ିଶାରେ ଦୃଷ୍ଟିଗୋଚର ହେଲା ନାହିଁ । ୧୮୩୫ରୁ ୧୮୫୪ (ଉଡ଼୍‍ଙ୍କ ଡେସ୍ପାଚ୍‍)ମଧ୍ୟରେ ସରକାର କେବଳ ଯତ୍‍ କିଞ୍ଚିତ୍‍ ବଙ୍ଗ ପ୍ରଦେଶର ଶିକ୍ଷା ପ୍ରତି ଧ୍ୟାନ ଦେଲେ । ଓଡ଼ିଶା କଥା ତାଙ୍କ ଧ୍ୟାନକୁ ଗଲା ନାହିଁ । ତାଙ୍କ ଧ୍ୟାନ ଆକର୍ଷଣ କରିବାସକାଶେ କେହି ଉଚ୍ଚ ଶିକ୍ଷିତ ଓଡ଼ିଆ ବ୍ୟକ୍ତି ବି ନଥିଲେ । ସମ୍ଭବତଃ ୧୮୩୮ରେ ପ୍ରଥମେ ସରକାରୀ ଉଦ୍ୟମରେ ପୁରୀରେ ଗୋଟାଏ ଇଂରାଜୀ ଏବଂ ଗୋଟାଏ ସଂସ୍କୃତ ସ୍କୁଲ୍‍ ସ୍ଥାପିତ ହେଲା । ଏହାର ତିନିବର୍ଷ ପରେ ୧୮୪୧ରେ କଟକରେ ଓ ୧୮୫୩ରେ ବାଲେଶ୍ୱରରେ ଜିଲ୍ଲା ସ୍କୁଲ୍‍ ସ୍ଥାପନ ହେଲା । ଗ୍ରାମୀଣ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପାରମ୍ପରିକ ପଦ୍ଧତିରେ ଚାଲିଥିବା ପାଠଶାଳାରୁ ଉତ୍ତୀର୍ଣ୍ଣ ଛାତ୍ର ଜିଲ୍ଲା ସ୍କୁଲ୍‍ରେ ନାମଲେଖାଇବାର ନିର୍ଦ୍ଦେଶ ରହିଲା । ୧୮୪୫ ଓ ୧୮୪୮ରେ ମାତ୍ର ଦୁଇଟି ଭର୍ଣ୍ଣାକୁଲାର ସ୍କୁଲ୍‍ ସରକାର ଓଡ଼ିଶାରେ ପ୍ରତିଷ୍ଠା କଲେ । ୧୮୫୪ରେ ଯେତେବେଳେ 'ଉଡ଼୍‍ଙ୍କ ଡେସ୍‍ପାଚ୍‍' ମାଧ୍ୟମରେ ସରକାର ଗଣ ଶିକ୍ଷାଦାନକୁ ସରକାରୀ ଦାୟିତ୍ୱ ଓ ତା'ପାଇଁ ପ୍ରାଥମିକ ସ୍କୁଲ୍‍ ସ୍ଥାପନକୁ ନୈତିକ କର୍ତ୍ତବ୍ୟ ବୋଲି କହିଲେ, ସେତେବେଳେ ଓଡ଼ିଶାରେ ପ୍ରାଥମିକ ପାଠପାଇଁ ଆଠଟି ମାତ୍ର ଶିକ୍ଷାନୁଷ୍ଠାନ ରହିଥିଲା । ଏହାର ଚାରି ବର୍ଷ ପରେ ୧୮୫୮ରେ କଟକ ଜିଲ୍ଲାରେ ୧୪ଟି (ଛାତ୍ର ସଂଖ୍ୟା: ୪୫୩), ବାଲେଶ୍ୱରରେ ୬ଟି (ଛାତ୍ର ସଂଖ୍ୟା:୧୮୪) ଓ ପୁରୀ ଜିଲ୍ଲାରେ ମାତ୍ର ୯ଟି (ଛାତ୍ର ସଂଖ୍ୟା: ୩୪୯) ଶିକ୍ଷାନୁଷ୍ଠାନ ରହିଥିଲା ।

୧୮୬୬ର ନ'ଅଙ୍କ ଦୁର୍ଭିିକ୍ଷ ପରେ ଶିକ୍ଷା ପ୍ରତି ସରକାରଙ୍କ ଧ୍ୟାନ ସାମାନ୍ୟ ବୃଦ୍ଧି ପାଇଲା । ଲୋକେ ଶିକ୍ଷିତ ହୋଇଥିଲେ ସେମାନେ ଅଧସ୍ତନ କର୍ମଚାରୀ ଭାବେ ଚାକିରି କରିଥାନ୍ତେ, ନିଜର ଅଭାବ ଅସୁବିଧାକୁ ଭାଷା ଦେଇ ଅଭିବ୍ୟକ୍ତ କରି ପାରିଥାନ୍ତେ ଏବଂ ଅମାନବୀୟ ସ୍ଥିତିରେ ମଶାମାଛି ଭଳି ଦୁର୍ଭିିକ୍ଷରେ ମୃତ୍ୟୁବରଣ କରି ନଥାନ୍ତେ- ଏହା ଓଡ଼ିଶାର ସରକାର ବି ଅନୁଭବ କଲେ । ଦୁର୍ଭିିକ୍ଷର ଅବ୍ୟବହିତ ପୂର୍ବରୁ ବଙ୍ଗ ପ୍ରେସିଡେନ୍‍ସି, ଦକ୍ଷିଣ-ପଶ୍ଚିମ କ୍ଷେତ୍ରର ସ୍କୁଲ୍‍ ନିରୀକ୍ଷକ ତାଙ୍କ ରିପୋର୍ଟରେ ଲେଖିଥିଲେ, "ଏକ ସାନ ଜିଲ୍ଲା ହାବଡ଼ାର କ୍ଷେତ୍ରଫଳ ୮୦୦ ବର୍ଗ ମାଇଲ ଓ ଲୋକସଂଖ୍ୟା ୭,୫୦,୦୦୦ । ଅନ୍ୟ ପକ୍ଷରେ ଓଡ଼ିଶାର କ୍ଷେତ୍ରଫଳ ୫୨,୯୯୫ ବର୍ଗ ମାଇଲ୍‍ ଏବଂ ଲୋକସଂଖ୍ୟା ୪,୫୩୪,୮୧୩ । ମାତ୍ର ହାବଡ଼ା ତୁଳନାରେ ଓଡ଼ିଶାରେ ଶିକ୍ଷାପାଇଁ କମ୍‍ ବ୍ୟୟବରାଦ ହୁଏ ... ।" ସେ ଯାହାହେଉ ୧୮୬୭ ବେଳକୁ ସ୍କୁଲ୍‍ ସଂଖ୍ୟା ବୃଦ୍ଧିପାଇ ମୋଟ ୭୭ ଓ ଛାତ୍ର ସଂଖ୍ୟା ୩୫୩୬ ହେଲା । ଏହା ପରେ ପାଠଶାଳା ଓ ସ୍ଥାନୀୟ ସ୍ତରରେ ସ୍ଥାପିତ ସ୍କୁଲ୍‍ଗୁଡ଼ିକୁ ମଧ୍ୟ ଯତ୍‍ କିଞ୍ଚିତ୍‍ ଅନୁଦାନ ଦେଇ ସରକାର ଶିକ୍ଷା ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ଦାବି କଲେ । ଏହା ଫଳରେ ସ୍କୁଲ୍‍ ସଂଖ୍ୟା ଆଶାନୁପାତିକ{{right|ଓଡ଼ିଶା ଇତିହାସ . ୧୭୩