ପୃଷ୍ଠା:Odisha Itihasa.pdf/୧୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବେ ବୃଦ୍ଧିପାଇଲା । ଏହା ସତ୍ତ୍ୱେ ସରକାର ପ୍ରାଥମିକ ଶିକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିଲେ ବୋଲି କୁହାଯାଇପାରିବ ନାହିଁ । ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ଓଡ଼ିଶାକୁ ଆଗେଇ ନେଇ ପାରି ନଥିଲେ । ୧୮୮୨ରେ ବଂଗ ଅନ୍ତର୍ଗତ ଓଡ଼ିଶା ଡିଭିଜନରେ ମାତ୍ର ୬ଟି ହାଇସ୍କୁଲ୍‍ ସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ୍‍ କେବଳ ସରକାରୀ ପ୍ରତିଷ୍ଠାନ ଥିଲା । ବାକି ତିନୋଟିରୁ କଟକ ୟୁରୋପିଆନ୍‍ ସ୍କୁଲ୍‍ ଓ ଲୋକନାଥ ସ୍କୁଲ୍‍କୁ ସରକାର କିଛି ଅନୁଦାନ ମାତ୍ର ଦେଉଥିଲେ ଏବଂ କଟକ ଏକାଡେମୀ ଘରୋଇ ଉଦ୍ୟମରେ ଚାଲିଥିଲା । ମଧ୍ୟ-ଇଂରାଜୀ ସ୍କୁଲ୍‍ର ମୋଟ ସଂଖ୍ୟା ଥିଲା ୨୩ ଓ ଛାତ୍ର ସଂଖ୍ୟା ୧୪୦୦ ପ୍ରାୟ । ସବୁଠାରୁ ବଡ଼ କଥା ହେଉଛି, ଉପକୂଳର ତିନୋଟି ବଡ଼ ସହରକୁ ବାଦ ଦେଲେ, ଅନ୍ୟ ଆଡେ଼ ହାଇସ୍କୁଲ୍‍ ଶିକ୍ଷାପାଇଁ ଅନୁଷ୍ଠାନ ନଥିଲା । ଓଡ଼ିଶାର ଅଧା ପ୍ରାୟ କ୍ଷେତ୍ର ଥିଲା ଗଡ଼ଜାତ ଅଧୀନରେ, ଯେଉଁଠି ଅନେକ ଦିନ ଯାଏଁ ଗୋଟିଏ ବି ହାଇସ୍କୁଲ୍‍ ସ୍ଥାପିତ ହୋଇ ନଥିଲା । ସେହିଭଳି ମୋଟ ୨୩ଟି ମଧ୍ୟ ଇଂରାଜୀ ସ୍କୁଲ୍‍ରୁ ୧୯ଟି ଥିଲା ଅନୁଦାନପ୍ରାପ୍ତ ଓ ଚାରୋଟି ଘରୋଇ ସ୍କୁଲ୍‍ । ୧୮୬୮ରେ ପ୍ରଥମ କରି କଟକ ହାଇସ୍କୁଲ୍‍ରେ ପ୍ରଥମ ବର୍ଷର କଲେଜ ପାଠ ପଢ଼ାହେଲା । ୧୮୬୯ରେ ସେଠାରେ ଆଇନ ଅଧ୍ୟୟନ ମଧ୍ୟ ଆରମ୍ଭ ହେଲା । ୧୮୭୫ରେ କଟକରେ ପ୍ରଥମ କରି ମେଡ଼ିକାଲ ସ୍କୁଲ୍‍ ସ୍ଥାପନାପାଇଁ ମଞ୍ଜୁରି ମିଳିଲା । ଏସବୁ ଉଦ୍ୟମ ଶିକ୍ଷା କ୍ଷେତ୍ରରେ ଯେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ, ଏଥିରେ ଦ୍ୱିରୁକ୍ତି ନାହିଁ ।

ପୋଲିସ୍‍ ଓ ନ୍ୟାୟିକ ବ୍ୟବସ୍ଥା ମୋଗଲ ଓ ମରାଠା ଶାସନରେ ଅମିଲ ବିଚାରକ ଓ ପୋଲିସ ଅଧୀକ୍ଷକ ଭାବରେ କାମ କରୁଥିଲେ । ତାଙ୍କ ପାଖରେ ନରହତ୍ୟା ଭଳି ଗୁରୁତର ଅପରାଧର ମଧ୍ୟ ବିଚାର ହୋଇ ପାରୁଥିଲା । ଧର୍ମ ଭଳି ବିଚାର ବେଳେ ଜାତିକୁ ମଧ୍ୟ ମହତ୍ତ୍ୱ ଦିଆଯାଉଥିଲା । ଜମିଦାର ଓ ଅହଦାଦାର ଥିଲେ ଅମିଲ ତଳକୁ ନ୍ୟାୟ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଅଧିକାରୀ । ସବା ତଳେ ଥିଲା ପଞ୍ଚାୟତ, ଯାହା ଗ୍ରାମ ତଥା ଜାତି ଓ ଧର୍ମ ଭିତ୍ତିରେ କାର୍ଯ୍ୟ କରୁଥିଲା । ଅର୍ଥାତ୍‍ ଯଦି ମୁଦେଇ ଓ ମୁଦାଲା ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ହୋଇଥାନ୍ତି, ତେବେ ଜାତି ପଞ୍ଚାୟତରେ ବିଚାର ହେଉଥିଲା । ପଞ୍ଚାୟତପାଇଁ ଉଭୟ ପକ୍ଷ ସଭ୍ୟ ମନୋନୀତ କରୁଥିଲେ । ଅର୍ଥାତ୍‍ ସେମାନଙ୍କ ନିଷ୍ପତ୍ତି ସ୍ୱୀକାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଥିଲା । ପଞ୍ଚାୟତର ଏହା ହିଁ ଥିଲା ଏକ ବଡ଼ ଅସ୍ତ୍ର । ନିଷ୍ପତ୍ତିକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ଉଭୟ ପକ୍ଷ ମାନି ନେଉଥିଲେ । ଅନେକ ଫୌଜଦାରି ଓ ଦେଓ୍ୱାନୀ ମାମଲା ପଞ୍ଚାୟତ ସ୍ତରରେ ଫଇସଲା ହୋଇଯାଉଥିଲା । ତୁରନ୍ତ ନ୍ୟାୟ ମଧ୍ୟ ମିଳୁଥିଲା, କାରଣ ତତ୍‍କାଳୀନ ନ୍ୟାୟିକ ବ୍ୟବସ୍ଥା ସହଜ ଓ ସରଳ ଥିଲା ।୧୭୪ . ଓଡ଼ିଶା ଇତିହାସ