ପୃଷ୍ଠା:Odisha Itihasa.pdf/୧୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣପାଇଁ ଥାନା ରହିଥିଲା ଏବଂ ତହିଁରେ ଜଣେ କୋଟଓ୍ୱାଲ୍‍ ନିଯୁକ୍ତ ଥିଲେ । ତାଙ୍କ ତଳକୁ ଖଣ୍ତାୟତ, ପାଇକ ଓ ଗ୍ରାମ ଚୌକିଦାର ଆଦି ରହିଥିଲେ । ଆବଶ୍ୟକ ହେଲେ କୋଟଓ୍ୱାଲ୍‍ ଭୂ-ରାଜସ୍ୱ ଆଦାୟ ବେଳେ ସହଯୋଗ କରୁଥିଲେ ।

ଇଂରେଜ ସମୟରେ ମରାଠାକାଳୀନ ଥାନା ବ୍ୟବସ୍ଥା ଅବ୍ୟାହତ ରହିଲା । ଥାନା ଅଧିକାରୀଙ୍କୁ ଦାରୋଗା କୁହାଗଲା । ଦାରୋଗାଙ୍କ ତଳକୁ ଖଣ୍ତାୟତ ଓ ପାଇକମାନେ ରହିଲେ । ଗାଁ ଚୌକିଦାରମାନେ ମଧ୍ୟ ଥାନା ବ୍ୟବସ୍ଥାରେ କିଛି ଜାଗିର ଜମି ପାଇ ଦାରୋଗାଙ୍କୁ ସାହାଯ୍ୟ କଲେ ।

ଗଡ଼ଜାତ ମହଲରେ ଜଣେ ଅଧୀକ୍ଷକ ବା ସୁପରିଣ୍ଟେଣ୍ତେଣ୍ଟ୍‍ ଥିଲେ । ତାଙ୍କ ହାତରେ ଉଭୟ ଦେଓ୍ୱାନୀ ଓ ଫୌଜଦାରି ଅଧିକାର ରହିଥିଲା । ଯେତେବେଳେ ଗଡ଼ଜାତ ରାଜାମାନେ ନିଜେ ଶାନ୍ତି ଶୃଙ୍ଖଳା ରକ୍ଷାନିମନ୍ତେ ବାଧକ ହେଲେ ଏବଂ ଇଂରେଜ ସୁରକ୍ଷା ପାଇ ନିର୍ଦ୍ଦୟ ଭାବରେ ନରହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ, ସରକାର ଅଧୀକ୍ଷକ ପଦ ସୃଷ୍ଟି କଲେ । ମାତ୍ର ଅଧିକାଂଶ କ୍ଷେତ୍ରରେ ଗଡ଼ଜାତ ରାଜାମାନେ ଇଂରେଜ ଅଧୀକ୍ଷକଙ୍କ ସହ ମିଳାମିଶା କରି ଇଂରେଜ ବ୍ୟବସ୍ଥାକୁ ନିଜ ସପକ୍ଷରେ ବ୍ୟବହାର କଲେ ।

୧୮୦୬ରେ ମୋଗଲବନ୍ଦି ଓଡ଼ିଶାରେ ୧୬ଟି ଥାନା ରହିଥିଲା । ସେଗୁଡ଼ିକ ହେଲା: ବସ୍ତା, ବାଲେଶ୍ୱର, ସୋରୋ, ଭଦ୍ରକ, ଯାଜପୁର, ଅରକପୁର, ଅସୁରେଶ୍ୱର, ମୋଟୁ, କଟକ, ପିପିଲି, ଗୋପ, ତିରଣ, ହରିହରପୁର, ପ୍ରହରାଜପୁର ଓ ଖୋର୍ଦ୍ଧା । ପରେ ବାଲେଶ୍ୱରର ଚୁରାମନ ଓ ଖୋର୍ଦ୍ଧାର ବାଣପୁରରେ ଥାନା ପ୍ରତିଷ୍ଠିତ ହେଲା ।

ଥାନାର ସର୍ବୋଚ୍ଚ ଅଧିକାରୀ ଦାରୋଗା ହେଲାବେଳେ ସବୁଠାରୁ ତଳେ ରହିଥିଲେ ବରକନ୍ଦାଜ (ସିପାହୀ)ମାନେ । ଗୋଟିଏ ଥାନାରେ ଦାରୋଗାଙ୍କ ବ୍ୟତୀତ ପ୍ରାୟ ଦଶ ଜଣ ବରକନ୍ଦାଜ, ଜଣେ ମୋହରିର ଓ ଜଣେ ଜମାଦାର ରହୁଥିଲେ । ୧୮୧୬ରେ ଦାରୋଗାଙ୍କ ମାସିକ ଦରମା ଥିଲା ୨୫ଟଙ୍କା ଓ ବରକନ୍ଦାଜଙ୍କ ଦରମା ଥିଲା କେବଳ ଚାରିଟଙ୍କା । ଦାରୋଗା ପାଖରେ ପ୍ରଭୂତ କ୍ଷମତା ରହୁଥିଲା । ତାଙ୍କ ଉପରେ ଥିବା ସଂଯୁକ୍ତ ମାଜିଷ୍ଟ୍ରେଟ୍‍ ଥରେ ୧୮୧୫ରେ ବାଲେଶ୍ୱରର ଦାରୋଗାଙ୍କୁ ଉତ୍କୋଚ ନେବା ଅପରାଧରେ ବରଖାସ୍ତ କରିବାକୁ ଯାଇ ଉଚ୍ଚ ଅଧିକାରୀଙ୍କ ପାଖରୁ ଭର୍ତ୍ସନା ଶୁଣିଥିଲେ । ମୋଟ ଉପରେ କହିଲେ, ଲୋକଙ୍କୁ ପାଟି ଖୋଲିବାକୁ ଦେଉ ନଥିବାଯୋଗୁଁ ଦାରୋଗାଙ୍କର ସରକାରୀ ସ୍ତରରେ ଖୁବ୍‍ ଗୁରୁତ୍ୱ ରହିଥିଲା । ପୋଲିସ ଦାରୋଗା ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ହଇରାଣ କରୁଥିବାରୁ ଲୋକ ପୋଲିସ୍‍ ପାଖକୁ ଯିବାକୁ ମଧ୍ୟ ସାହସ କରୁ ନଥିଲେ । ଇଂରେଜ ଅଧିକାରୀ ଜି.ଟୟନବୀ, ଯିଏ ଗଡ଼ଜାତ ମହଲ ଅଧୀକ୍ଷକ ଥିଲେ ଏବଂ ୧୮୦୩ରୁ ୧୮୨୮ ମଧ୍ୟରେ ଘଟିତ ଓଡ଼ିଶା ଇତିହାସକୁ ଲିପିବଦ୍ଧ କରିଥିଲେ; ତାଙ୍କ ମତରେ, "ଫୌଜଦାରି କେଶ୍‍ଟିଏ ଆସିଲା ମାନେ ଦାରୋଗାର ଆୟ ବୃଦ୍ଧି ପାଇଲା । ଦୌରାରେ ଗଲାବେଳେ ସେ ସ୍ଥାନୀୟ ଲୋକଙ୍କ ଖର୍ଚ୍ଚରେ ଭୋଜନ କରୁଥିଲେ, ରୟତମାନେ ତାଙ୍କର ଜିିନିଷପତ୍ର ବୋହୁଥିଲେ ଏବଂ ଗ୍ରାମବାସୀଙ୍କଠାରୁ ବାଧ୍ୟକରି ଭାରି ମାତ୍ରାରେ ମାଗଣା ରସଦ ମଧ୍ୟ ସଂଗ୍ରହ କରୁଥିଲେ । ସିପାହୀ, ଅମଲା ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀ{{right|ଓଡ଼ିଶା ଇତିହାସ . ୧୭୫