ପୃଷ୍ଠା:Odisha Itihasa.pdf/୧୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଔପନିବେଶିକ ଶାସନ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହ


ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ଯେଉଁ ନୂତନ ପ୍ରାଶାସନିକ ବ୍ୟବସ୍ଥା ପ୍ରଚଳନ କଲେ, ତାହା ଖୁବ୍‍ ଶୀଘ୍ର ଲୋକଙ୍କୁ ଇଂରେଜ ବିରୋଧୀ କରିଦେଲା । ଖଜଣା ଆଦାୟ ଲାଗି କଠୋର ନୀତି ଗ୍ରହଣ କରାଯିବାରୁ ପ୍ରଜା ଉଚିତ ସମୟରେ ଖଜଣା ଦେବାପାଇଁ ଅତିରିକ୍ତ ସୁଧରେ ଋଣ କଲା; ଏଥିପାଇଁ ତାକୁ ଜମିଦାର ବା ସାହୁକାରଠାରେ ଜମି ବନ୍ଧା ଦେବାକୁ ପଡ଼ିଲା । ମାତ୍ର ଋଣ ପରିଶୋଧ କରି ନ ପାରବାରୁ ତାକୁ ଜମି ହରାଇବାକୁ ପଡିଲା । ଜମିଦାରମାନେ ମଧ୍ୟ ଉଚିତ ସମୟରେ ଭୂ-ରାଜସ୍ୱ ଜମା କରି ନ ପାରି ଜମିଦାରୀ ହରାଇଲେ । ଔପନିବେଶିକ ଆର୍ଥିକ ଶୋଷଣଯୋଗୁଁ ବିଭିନ୍ନ ହସ୍ତଶିଳ୍ପରେ ଆଶ୍ରିତବର୍ଗ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହେଲେ । ନୂତନ କୋର୍ଟ କଚେରି ଆସିବା ପରେ ସାହୁକାର ଓ ମହାଜନଙ୍କୁ ବାଦ୍‍ ଦେଇ ସବୁ ବର୍ଗର ଲୋକ ହଇରାଣ ହେଲେ । ଇଂରେଜ ଔପନିବେଶିକ ଶାସନ ବ୍ୟବସ୍ଥାର ଜଟିଳତା ଓ କଠୋରତା ଲୋକଙ୍କୁ କ୍ଷୁବ୍ଧ କଲା । ଫଳରେ, ସ୍ଥାନୀୟ ରାଜା ଓ ଜମିଦାର ବର୍ଗର ନେତୃତ୍ୱରେ ଲୋକ ଇଂରେଜମାନଙ୍କ ବିରୋଧରେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଦ୍ରୋହ ଆରମ୍ଭ କଲେ । ଇଂରେଜଙ୍କ ଶକ୍ତି ସଂପର୍କରେ ସେମାନଙ୍କର ସଠିକ୍‍ ଧାରଣା ନଥିଲା । ତେଣୁ ବିଦ୍ରୋହପାଇଁ ବିଶେଷ ଯୋଜନା ଓ ସଂଗଠନ ନ କରି ସେମାନେ ଯୁଦ୍ଧ ଆରମ୍ଭ କଲେ । ତେଣୁ ଅଶେଷ ଦମନର ଶିକାର ହେଲେ ଓ ନିର୍ଯ୍ୟାତନା ଭୋଗିଲେ । ବିଭିନ୍ନ ସ୍ଥାନରେ ଏକା ସମୟରେ ଅନେକଗୁଡ଼ିଏ ବିଦ୍ରୋହ ଆରମ୍ଭ ହୋଇଥିଲେ ସୁଦ୍ଧା ସେଗୁଡିକ ମଧ୍ୟରେ ସମନ୍ୱୟ ନ ଥିଲା । ଏଭଳି ଅନେକ ବିଦ୍ରୋହ ସେତେବେଳେ ଦେଖିବାକୁ ମିଳିଥିଲା ।୧୭୮ . ଓଡ଼ିଶା ଇତିହାସ