ପୃଷ୍ଠା:Odisha Itihasa.pdf/୧୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ଷ ଧରି କ୍ରମାଗତ ଦୁର୍ଭିିକ୍ଷ ପଡ଼ିବାଯୋଗୁଁ ପାରଳାଖେମୁଣ୍ତିର ପ୍ରଜା କେବଳ ନିଃସ୍ୱ ହେଲେ ନାହିଁ, ଇଂରେଜଙ୍କ ବିରୋଧରେ ବିଦ୍ରୋହ କରିବାକୁ ମଧ୍ୟ ଶକ୍ତି ହରାଇଲେ । ଅନ୍ୟ ଶବ୍ଦରେ କହିଲେ ସାମୟିକ ଭାବେ ପାରଳାଖେମୁଣ୍ତିରେ ବିଦ୍ରୋହ ପ୍ରଶମିତ ହେଲା ।

୧୮୩୦ରେ ପୁଣି ଥରେ ପାରଳାଖେମୁଣ୍ତିରେ ବିଦ୍ରୋହ ଦେଖାଦେଲା । ଏଥର ଜମିଦାରୀର ମେନେଜର ପଦ୍ମନାଭ ଦେବଙ୍କ ଉପରେ ବିଦ୍ରୋହୀମାନେ ଲକ୍ଷ୍ୟ ରଖିଥିଲେ । ଅତ୍ୟାଚାରୀ ପଦ୍ମନାଭ ଦେବଙ୍କ ବାସଗୃହ ଓ ଅନ୍ୟାନ୍ୟ କେତେକ ଜମିଦାରୀ କଚେରି ଗୃହକୁ ସେମାନେ ପୋଡ଼ିଦେଲେ । ୧୮୩୨ରେ ମାଡ୍ରାସ୍‍ ସରକାର ଜର୍ଜ ଏଡ଼୍‍ଓ୍ୱାଡ଼୍‍ ରସେଲ୍‍ଙ୍କୁ (Edward Russel) ବିଦ୍ରୋହ ଦମନପାଇଁ ପଠାଇଲେ । ରସେଲ ସାହେବ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିବା ପ୍ରକ୍ରିୟାରେ କେତେ ଜଣ ବିଦ୍ରୋହୀ ବିଶୋୟୀଙ୍କୁ ପ୍ରାଣଦଣ୍ତରେ ଦଣ୍ତିତ କଲେ । ଶେଷରେ ସାମୟିକ ଭାବେ ପାରଳାଖେମୁଣ୍ତିରେ ବିଦ୍ରୋହ ଅବଦମିତ ହେଲା; ଆଇନ ଶୃଙ୍ଖଳା ବ୍ୟବସ୍ଥା ପୁଃସ୍ଥାପିତ ହେଲା ।

୧୮୫୬-୫୭ରେ ସିପାହୀ ଗଣବିଦ୍ରୋହ ସହ ତାଳ ଦେଇ ପାରଳାଖେମୁଣ୍ତିରେ ପୁଣି ଥରେ ବିଦ୍ରୋହ ହେଲା । ଶବରମାନଙ୍କ ଏହି ବିଦ୍ରୋହର ନେତା ଥିଲେ ରାଧାକୃଷ୍ଣ ଦଣ୍ତସେନା । ଶବରମାନେ ସମତଳ ଅଞ୍ଚଳର ଲୋକଙ୍କୁ ଶତ୍ରୁ ମନେକରି ଅନେକ ଘର ପୋଡ଼ିଦେଲେ ଏବଂ ଲୁଟ୍‍ତରାଜ କଲେ । ବିଦ୍ରୋହ ଦମନପାଇଁ କେପ୍‍ଟେନ୍‍ ଉଇଲ୍‍ସନ୍‍ (Captain Wilson) ଅନେକ ଶବର ଗ୍ରାମ ପୋଡ଼ିଦେଲେ ଏବଂ ସେମାନଙ୍କ ଫସଲ ନଷ୍ଟ କଲେ । ଶେଷରେ ବିଦ୍ରୋହୀ ନେତା ରାଧାକୃଷ୍ଣ ଦଣ୍ତସେନା ଓ ଅନ୍ୟ କେତେକ ବିଦ୍ରୋହୀ ଧରା ପଡ଼ିଲେ । ସେମାନଙ୍କୁ ପ୍ରାଣଦଣ୍ତ ଦିଆଗଲା ।

ଘୁମୁସର: ପାରଳାଖେମୁଣ୍ତି ପରି ଦକ୍ଷିଣ ଓଡ଼ିଶାର ଘୁମୁସରରେ କନ୍ଧମାନେ ଦୀର୍ଘ କାଳ ଧରି ବିଦ୍ରୋହ କରିଥିଲେ । ସ୍ଥାନୀୟ ରାଜା ଧନଞ୍ଜୟ ଭଞ୍ଜଙ୍କୁ ଇଂରେଜମାନେ ଗାଦିଚ୍ୟୁତ କରିବା ପରେ ୧୮୩୫ରେ ବିଦ୍ରୋହ ଆରମ୍ଭ ହେଲା । ପୂର୍ବରୁ ଧନଞ୍ଜୟ ଭଞ୍ଜଙ୍କ ପିତା ଶ୍ରୀକର ଭଞ୍ଜ ଧାର୍ଯ୍ୟମତେ ରାଜସ୍ୱ ଜମା କରି ନ ପାରିବାରୁ ଗାଦିଚ୍ୟୁତ ହୋଇଥିଲେ । ମାତ୍ର ଧନଞ୍ଜୟ ନିୟମିତ ରାଜସ୍ୱ ଜମା କରିବାକୁ ପ୍ରତିଶ୍ରୁତି ଦେବାରୁ ତାଙ୍କୁ ୧୮୩୨ରେ ରାଜପଦ ଦିଆଗଲା । କିନ୍ତୁ ସେ ସମୟାନୁସାରେ ଏବଂ ଧାର୍ଯ୍ୟ ମତେ ରାଜସ୍ୱ ଜମା କରିବାରେ ବିଫଳ ହେଲେ । ଫଳରେ ତାଙ୍କୁ ୧୮୩୫ରେ ଗାଦିଚ୍ୟୁତ କରାଗଲା । ଏହା ପରେ ସାର୍‍ ହେନେରି ଟେଲର (Sir Henry Taylor)ଙ୍କ ନେତୃତ୍ୱରେ ଏକ ଇଂରେଜ ବାହିନୀ ଘୁମୁସର ଦଖଲ କଲେ । ଧନଞ୍ଜୟ ଜଙ୍ଗଲକୁ ପଳାଇଲେ ଏବଂ କନ୍ଧମାନଙ୍କ ସାହାଯ୍ୟ ଭିକ୍ଷା କଲେ । ଆରମ୍ଭ ହେଲା କନ୍ଧ ବିଦ୍ରୋହ ।

କନ୍ଧ ସର୍ଦ୍ଦାର ବା ବିଶୋୟୀ କମଳଲୋଚନ ଥିଲେ ଏହି ବିଦ୍ରୋହର ମୁଖ୍ୟ ନେତା । ସେ ଥିଲେ ଦୋରା ବିଶୋୟୀ ବା ମୁଖ୍ୟ ସର୍ଦ୍ଦାର । ଇଂରେଜମାନଙ୍କ କଠୋର ରାଜସ୍ୱ ନୀତି ଓ ଜଙ୍ଗଲ ନୀତିଯୋଗୁଁ କନ୍ଧମାନେ ସେମାନଙ୍କ ପାରମ୍ପରିକ ଅଧିକାର ହରାଇଥିଲେ । କନ୍ଧମାନଙ୍କ ମଧ୍ୟରେ ମେରିଆ ପ୍ରଥା ବା ନରବଳି ପ୍ରଥା ରହିଥିଲା । ଧରଣୀ ପେନୁ ବା ଧରଣୀ ମାତାଠାରୁ ମିଳୁଥିବା୧୮୦ . ଓଡ଼ିଶା ଇତିହାସ