ପୃଷ୍ଠା:Odisha Itihasa.pdf/୧୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶସ୍ୟର ପ୍ରତିଦାନରେ ବଳି ଦେବାର ପ୍ରଥା ରହିଥିଲା । ମୁଖ୍ୟତଃ ଘୁମୁସର, କନ୍ଧମାଳ, ଫୁଲବାଣୀ ଆଦି ଅଞ୍ଚଳରେ ରହୁଥିବା କନ୍ଧମାନେ ଏହା ପାଳନ କରୁଥିଲେ । ବିଶେଷତଃ ନିଜ ସଂପ୍ରଦାୟ ବାହାରୁ କାହାକୁ ବଳିପାଇଁ ଠିକଣା କରାଯାଉଥିଲା । ଏହି ପ୍ରଥାକୁ ଉଚ୍ଛେଦ କରିବାପାଇଁ ଦକ୍ଷିଣ ଓଡ଼ିଶାରେ ନିଯୁକ୍ତ ରସେଲ୍‍ ସାହେବ କଡ଼ାକଡ଼ି ନିୟମ ପ୍ରବର୍ତ୍ତନ କଲେ । ଏହାକୁ ପରମ୍ପରା ଉପରେ ଆକ୍ରମଣ ମନେକରି କନ୍ଧମାନେ ତା'ର ବିରୋଧ କଲେ । ଘୁମୁସର ରାଜାଙ୍କୁ ସେମାନେ ରକ୍ଷକ ବୋଲି ବିଚାର କରୁଥିଲେ । ଜମିରୁ ଖଜଣା ଆଦାୟ ବେଳେ ଯଥା ସମ୍ଭବ କଠୋର ନ ହେବାକୁ ପ୍ରୟାସ କରି ଭଞ୍ଜ ରାଜାମାନେ ଗାଦିଚ୍ୟୁତ ହେଲେ । ତେଣୁ ବିତାଡ଼ିତ ଘୁମୁସର ରାଜା ଧନଞ୍ଜୟଙ୍କୁ କନ୍ଧମାନଙ୍କ ସମର୍ଥନ ମିଳିବାରେ ବିଶେଷ ଅସୁବିଧା ହେଲା ନାହିଁ । ବିଦ୍ରୋହ ଆରମ୍ଭ ହେବାର ଅଳ୍ପ ଦିନ ପରେ ଧନଞ୍ଜୟଙ୍କର ଅବଶ୍ୟ ମୃତ୍ୟୁ ହେଲା । ମାତ୍ର ଦୋରା ବିଶୋୟୀଙ୍କ ନେତୃତ୍ୱରେ ବିଦ୍ରୋହ ଅବ୍ୟାହତ ରହିଲା ।

ଏହି ବିଦ୍ରୋହରେ କନ୍ଧମାନେ ଦୁଇଜଣ ରାଜକର୍ମଚାରୀ ଓ ୪୮ ଜଣ ସିପାହୀଙ୍କୁ ହତ୍ୟା କରିଥିଲେ । ଅନ୍ୟ ପକ୍ଷରେ ବିଦ୍ରୋହ ଦମନପାଇଁ ନିଯୁକ୍ତ ରସେଲ୍‍ ସାହେବ କନ୍ଧ ନେତାମାନଙ୍କୁ ନିର୍ମମ ଭାବରେ ହତ୍ୟା କଲେ । କାରଣ କନ୍ଧମାନଙ୍କ ମଧ୍ୟରେ ଭୟ ସଂଚାର କରି ଇଂରେଜମାନେ ବିଦ୍ରୋହ ଦମନ କରିବାକୁ ପ୍ରୟାସ କରୁଥିଲେ । କମଳ ଲୋଚନ ଦୋରା ବିଶୋୟୀ ଅନୁଗୋଳରେ ଆତ୍ମଗୋପନ କରିଥିବା ବେଳେ ସେଠାକାର ରାଜା ସୋମନାଥ ସିଂହ ତାଙ୍କୁ ଧରାଇ ଦେଇ ଇଂରେଜମାନଙ୍କ ହାତରେ ସମର୍ପଣ କଲେ । ଦୋରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ମାଡ୍ରାସ୍‍ ନିକଟସ୍ଥ ଗୁଟିରେ କାରାରୁଦ୍ଧ ରହିଲେ ।

ଦୋରା ବିଶୋୟୀ ଗିରଫ୍‍ ହେବା ପରେ ମଧ୍ୟ କନ୍ଧ ମେଳି ବନ୍ଦ ହୋଇ ନଥିଲା । ୧୮୪୬ରେ ଏହାର ମୁଖ୍ୟ ସର୍ଦ୍ଦାର ଥିଲେ ଦୋରା ବିଶୋୟୀଙ୍କ ପୁତୁରା ଚକ୍ରା ବିଶୋୟୀ । ସେ ମୃତ ଧନଞ୍ଜୟଙ୍କ ପୁତ୍ର ପୀତାମ୍ବର ଭଞ୍ଜଙ୍କୁ ଘୁମୁସରର ରାଜା ଘୋଷଣା କରି ବିଦ୍ରୋହକୁ ଏକ ବଳିଷ୍ଠ ରୂପ ଦେଇଥିଲେ । ତାଙ୍କ ପ୍ରତି ମୁଖ୍ୟତଃ ବେଣୀୟା କନ୍ଧ, ପାଇକ ଓ ବୌଦ୍ଧ ଅଞ୍ଚଳର କନ୍ଧମାନଙ୍କ ସମର୍ଥନ ରହିଥିଲା । ଘୁମୁସର ମାଳ ଅଞ୍ଚଳର କନ୍ଧମାନେ ଚକ୍ରା ବିଶୋୟୀଙ୍କୁ ସମର୍ଥଦେଇ ନ ଥିଲେ ।

କନ୍ଧ ବିଦ୍ରୋହରେ ସମତଳ ଅଞ୍ଚଳର ଲୋକଙ୍କ ଫସଲ ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା । ଏହାର କାରଣ ହେଲା, ଯେଉଁସବୁ ଔପନିବେଶିକ ପରିବର୍ତ୍ତଯୋଗୁଁ କନ୍ଧମାନେ କଷ୍ଟ ପାଉଥିଲେ, ତା'ର କିଛି ଲାଭ ସମତଳ ଅଞ୍ଚଳର ଲୋକଙ୍କୁ ମିଳୁଥିଲା । ଉଦାହରଣ ସ୍ୱରୂପ, ଜମି ହରାଉଥିବା କନ୍ଧର ଜମି ସମତଳ ଅଞ୍ଚଳରେ ବାସ କରୁଥିବା ସାହୁକାର ଓ ମହାଜନ ହାତକୁ ହସ୍ତାନ୍ତର ହେଉଥିଲା ।

ଏହି ସମୟରେ (୧୮୪୬-୫୪) କନ୍ଧ ବିଦ୍ରୋହର ମୁକାବିଲାପାଇଁ ପ୍ରଥମେ କେପଟେନ୍‍ ମେକଫରସନ୍‍ (Captain Mcpherson) ଓ ପରେ ବ୍ରିଗେଡ଼ିଅର୍‍ ଜେନେରାଲ୍‍ ଡାଇସ୍‍(Brigadier General Dice) ନିଯୁକ୍ତ ହୋଇଥିଲେ । ଇଂରେଜ ଦମନ ନୀତିଯୋଗୁଁ{{right|ଓଡ଼ିଶା ଇତିହାସ . ୧୮୧