ପୃଷ୍ଠା:Odisha Itihasa.pdf/୧୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନବଘନ କୋହେନ୍‍ ନାମକ ଜଣେ କନ୍ଧ ସର୍ଦ୍ଦାର ୧୮୪୭ରେ ଆତ୍ମସମର୍ପଣ କଲେ । ମୁଖ୍ୟ ସର୍ଦ୍ଦାର ଚକ୍ରା ବିଶୋୟୀଙ୍କୁ ଧରାଇ ଦେବାପାଇଁ ସରକାର ୩୦୦୦ଟଙ୍କା ପୁରସ୍କାର ଘୋଷଣା କଲେ । ୧୮୫୪ ଓ ୧୮୫୫ରେ ଘୁମୁସର ଓ କଳାହାଣ୍ତିରେ କନ୍ଧମାନେ ଗ୍ରାମରେ ପଶି ଲୁଟତରାଜ କଲେ । ଏହା ପଛରେ ଚକ୍ରା ବିଶୋୟୀ ଅଛନ୍ତିି ବୋଲି ଇଂରେଜମାନେ ସନ୍ଦେହ କଲେ ସିନା, ବିଶୋୟୀଙ୍କୁ ଧରି ପାରିଲେ ନାହିଁ । ଚକ୍ରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ଆତ୍ମସମର୍ପଣ ସୁଦ୍ଧା କରି ନଥିଲେ ।

ଉଭୟ ପାରଳାଖେମୁଣ୍ତି ଓ ଘୁମୁସର ବିଦ୍ରୋହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ,ଏଥିରେ ଆଦିବାସୀମାନଙ୍କର ଭୂମିକା ମୁଖ୍ୟ ଥିଲା । ଅବଶ୍ୟ ରାଜାଙ୍କ ହାତରେ ନେତୃତ୍ୱ ରହିଥିଲା, କାରଣ ପାରମ୍ପରିକ ଭାବରେ ସେ ଲୋକଙ୍କ ସ୍ୱାଭାବିକ ନେତା ଥିଲେ । ମାତ୍ର ଅସଲ ଦାୟିତ୍ୱ ରହିଥିଲା ଆଦିବାସୀ ସର୍ଦ୍ଦାରମାନଙ୍କ ହାତରେ । ଦୀର୍ଘ କାଳ ଧରି ଚାଲିଥିବା ଏହି ବିଦ୍ରୋହରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ହୋଇଥିଲା । ଆଦିବାସୀମାନେ ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଇଂରେଜ ପ୍ରଶାସନର ବିଭିନ୍ନ ପ୍ରତୀକ ଓ ହିତାଧିକାରୀଙ୍କ ଉପରେ ଆକ୍ରମଣ କରୁଥିଲେ । ସମତଳ ଅଞ୍ଚଳସ୍ଥିତ ଘର ଓ ଫସଲ ମଧ୍ୟ ନଷ୍ଟ କରୁଥିଲେ । ଅନ୍ୟ ପକ୍ଷରେ, ସଭ୍ୟ ବୋଲାଉଥିବା ଇଂରେଜମାନେ ମଧ୍ୟ ଆଦିବାସୀଙ୍କ ମନରେ ଭୟ ସଂଚାରପାଇଁ ବିଦ୍ରୋହୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରୁଥିଲେ ଏବଂ ଆଦିବାସୀ କନ୍ଧମାନଙ୍କ ଚାଷ ଜମିକୁ ପୋଡ଼ି ଦେଉଥିଲେ । ୧୮୦୩ରେ ଉତ୍ତର ସରକାର ବା ଉପକୂଳ ଓଡ଼ିଶା ଅଧିକୃତ ହେବା ପୂର୍ବରୁ ପାରଳାଖେମୁଣ୍ତିରେ ବିଦ୍ରୋହ ଆରମ୍ଭ ହୋଇ ସାରିଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଇଂରେଜମାନେ ଯେଉଁ ଅଞ୍ଚଳକୁ ପ୍ରଥମେ ଦଖଲ କଲେ, ସେଠି ପ୍ରଥମେ ଇଂରେଜବିରୋଧୀ ବିଦ୍ରୋହ ଆରମ୍ଭ ହେଲା । ଇଂରେଜମାନଙ୍କ ଉପରେ ଲୋକଙ୍କର କ୍ଷୋଭ ପଛରେ ବଡ଼ କାରଣ ହେଲା, ଔପନିବେଶିକ ଦ୍ରୁତ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ । ପରିବର୍ତ୍ତନ ଯୋଗୁଁ କ୍ଷତି ସହିଥିବା ଗୋଷ୍ଠୀ ବିଦ୍ରୋହ କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିଲେ ।

ଖୋର୍ଦ୍ଧା, କନିକା ଓ କୁଜଙ୍ଗରେ ବିଦ୍ରୋହ ୧୮୦୩ରେ ଇଂରେଜ ହାତକୁ ମୁଖ୍ୟ ଓଡ଼ିଶା ଆସିଗଲା ପରେ ଇଂରେଜବିରୋଧୀ ବିଦ୍ରୋହ ସମଗ୍ର ରାଜ୍ୟକୁ ବ୍ୟାପିଗଲା । ବିଦ୍ରୋହର ଯେଉଁ ପରମ୍ପରା ପାରଳାଖେମୁଣ୍ତି ଓ ଘୁମୁସରରେ ସୃଷ୍ଟି ହୋଇଥିଲା, ତାହା ଏବେ ଭିନ୍ନ ଭିନ୍ନ ଅଞ୍ଚଳକୁ ବିସ୍ତାରିତ ହେଲା । ଓଡ଼ିଶା ଦଖଲ କରିବା ବେଳେ ଯେଉଁ ଉତ୍ସାହରେ ରାଜା ଜମିଦାରମାନେ କମ୍ପାନୀକୁ ସ୍ୱାଗତ କରିଥିଲେ, ତାହା ଅଳ୍ପ ଦିନ ପରେ ତୀବ୍ର ଅସନ୍ତୋଷ ଓ ବିଦ୍ରୋହରେ ପରିଣତ ହେଲା ।

୧୮୦୪ରେ ପ୍ରଥମେ ଖୋର୍ଦ୍ଧାରେ ବିଦ୍ରୋହ ଆରମ୍ଭ ହେଲା ଏବଂ ତହିଁରେ କନିକା ଓ କୁଜଙ୍ଗ ରାଜ୍ୟର ସମର୍ଥନ ଦେଖିବାକୁ ମିଳିଥିଲା । ସେତେବେଳେ ଦ୍ୱିତୀୟ ମୁକୁନ୍ଦଦେବ ଖୋର୍ଦ୍ଧାର୧୮୨ . ଓଡ଼ିଶା ଇତିହାସ