ପୃଷ୍ଠା:Odisha Itihasa.pdf/୧୮୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଓ ପାଇକମାନେ ଅଧିକ ସକ୍ରିୟ ଥିଲେ । ଅଳ୍ପ ଅବଧିପାଇଁ ହେଉ ପଛେ, ଏହା ଓଡ଼ିଶାରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଇଂରେଜ ଶାସନକୁ ଥରହର କରି ଦେଇଥିଲା । ସେହି ଅନୁସାରେ ବିଦ୍ରୋହୀମାନଙ୍କୁ ଦଣ୍ତ ମଧ୍ୟ ଦିଆଯାଇଥିଲା । ଖୋର୍ଦ୍ଧାର ପତନ ପରେ କନିକା ଓ କୁଜଙ୍ଗର ରାଜା ସମ୍ମୁଖ ସମରପାଇଁ ପ୍ରସ୍ତୁତ ହେଲେ ନାହିଁ, ଯଦିଓ ସେମାନେ ଖୋର୍ଦ୍ଧାକୁ ସମର୍ଥନ କରୁଥିଲେ । ହାରକୋର୍ଟ ମହାନଦୀ ପାରହୋଇ କୁଜଙ୍ଗ ପହଞ୍ଚିବା ପୂର୍ବରୁ ରାଜା ଚନ୍ଦ୍ରଧ୍ୱଜ ଷେଣ୍ଢ ପଳାୟନ କଲେ । ୧୮୦୫ ମସିହା ମେ ମାସରେ ତାଙ୍କୁ ଗିରଫ କରାଗଲା । ତାଙ୍କ ସ୍ଥାନରେ ତାଙ୍କ ଭାଇ ମଧୁସୂଦନ ଷେଣ୍ଢଙ୍କୁ ରାଜା ଘୋଷଣା କରାଗଲା । କୁଜଙ୍ଗ ରାଜା ଇଂରେଜ ଜାହାଜଗୁଡ଼ିକୁ ଲୋକ ଲଗାଇ ଲୁଟ କରୁଥିଲେ ବୋଲି ଅଭିଯୋଗ ରହିଥିଲା । ନୂତନ ରାଜା ଜାହାଜରୁ ଲୁଟ ହୋଇଥିବା ସମ୍ପତ୍ତିର ଭରଣା କରିବେ ତଥା ଇଂରେଜମାନଙ୍କ ପ୍ରତି ଅନୁଗତ ରହିବେ ବୋଲି ପ୍ରତିଶ୍ରୁତି ଦେଲେ ।

କୁଜଙ୍ଗକୁ ନିୟନ୍ତ୍ରଣକୁ ଆଣିବା ପରେ ହାରକୋର୍ଟ କନିକା ରାଜାଙ୍କୁ ବନ୍ଦି କଲେ । ବନ୍ଦି ରାଜାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ ମେଦିନୀପୁର ଜେଲରେ ରଖାଗଲା । ରାଜା ବନ୍ଦି ହେବା ପରେ କନିକାର ଦେଓ୍ୱାନ୍‍ଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ ହେଲା । ଇଂରେଜ ତରଫରୁ ସୁବାଦାର ଶିବପ୍ରସାଦ ବିଦ୍ରୋହ ଦମନ କଲେ ଏବଂ ବିଦ୍ରୋହୀମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କଲେ । ଖୋର୍ଦ୍ଧା, କୁଜଙ୍ଗ ଓ କନିକା ରାଜାଙ୍କ ବିଦ୍ରୋହ ପରେ ତିନୋଟିଯାକ ରାଜ୍ୟକୁ ଇଂରେଜ ସରକାରଙ୍କ ଖାସ ମାହାଲ ବା ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରଖାଗଲା । ଖାସମାହାଲରେ ରଖିବା ପଛରେ ଏକ ବଡ଼ କାରଣ ହେଲା ଯେ, ସେଠାରେ ଜମି ଉର୍ବର ଓ ଜମିଜମା ବନ୍ଦୋବସ୍ତ ଦ୍ୱାରା ନିୟମିତ ବ୍ୟବଧାନରେ ଅଧିକରୁ ଅଧିକ କର ଅସୁଲ କରିବାର ସଂଭାବନା ଥିଲା । ଗଡ଼ଜାତ ରାଜ୍ୟଗୁଡ଼ିକ ପରି ସେଠାରେ ଭୂ-ରାଜସ୍ୱ ଯଦି ବାର୍ଷିକ ପେଶକସ୍‍ ଆକାରରେ ଅସୁଲି ହୋଇଥାନ୍ତା, ସରକାର ଆଶା ମୁତାବକ କର ଅସୁଲ କରି ପାରିନଥାନ୍ତେ । ଖାସମାହାଲରେ ପରିଣତ ହେଲା ପରେ ଏହି କ୍ଷେତ୍ରରେ ଔପନିବେଶିକ ପରିବର୍ତ୍ତର ମାତ୍ରା ତୀବ୍ର ହେଲା, ଯାହାର ପରିଣାମ ସ୍ୱରୂପ ବାରମ୍ୱାର ସେଠାରେ ଜନ ଅସନ୍ତୋଷ ଓ ବିଦ୍ରୋହମାନ ଦେଖାଗଲା ।

ଖୋର୍ଦ୍ଧା ବିଦ୍ରୋହ : ୧୮୧୭ ଖୋର୍ଦ୍ଧା ଖାସମାହାଲରେ ପରିଣତ ହେଲା ପରେ ୧୮୧୭ରେ ସେଠାରେ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ଏକ ବଡ଼ ଧରଣର ବିଦ୍ରୋହ ସଂଘଟିତ ହୋଇଥିଲା । ଏହି ବିଦ୍ରୋହରେ ଯଦିଓ ବକ୍ସି ଜଗବନ୍ଧୁଙ୍କ ହାତରେ ନେତୃତ୍ୱ ରହିଥିଲା,ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ରାଜ୍ୟର ପାଇକ ବା ପାରମ୍ପରିକ ସିପାହୀମାନେ । ତେଣୁ ସରକାରୀ ନଥିପତ୍ରରେ ଏହାକୁ ପାଇକ ବିଦ୍ରୋହ ବୋଲି କୁହାଯାଏ । ଇଂରେଜ ଶାସନର ତ୍ରୁଟି ଓ ଶୋଷଣଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ପାଇକମାନେ ପ୍ରାକ୍‍-ଇଂରେଜ କାଳରୁ ସୈନିକ ଭାବରେ ରାଜାଙ୍କପାଇଁ କାମ କରୁଥିଲେ । ଏହି ଦାୟିତ୍ୱ ନିର୍ବାହ କରିବା ସକାଶେ ସେମାନଙ୍କୁ କୃଷିଯୋଗ୍ୟ ଜମି ମିଳିଥିଲା । ଜମି ଚାଷ କରି{{right|ଓଡ଼ିଶା ଇତିହାସ . ୧୮୫