ପୃଷ୍ଠା:Odisha Itihasa.pdf/୧୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେମାନେ ଉଭୟ କୃଷକ ଓ ସୈନିକର ଭୂମିକା ପାଳନ କରୁଥିଲେ । ମାତ୍ର ଖୋର୍ଦ୍ଧା ଇଂରେଜ ଶାସନାଧୀନ ହେବା ପରେ ବାରମ୍ବାର ଭୂମି କର ବୃଦ୍ଧିପାଇଲା ଓ ସାହୁକାର ମହାଜନ ଗୋଷ୍ଠୀ ହାତକୁ ଜମି ହସ୍ତାନ୍ତର ହେବାକୁ ଲାଗିଲା । ଏହାର କୁଫଳ ଏହି ପାଇକମାନଙ୍କୁ ମଧ୍ୟ ଭୋଗ କରିବାକୁ ପଡ଼ିଲା । ପରିଣାମ ସ୍ୱରୂପ ସେମାନେ ଇଂରେଜ ବିରୁଦ୍ଧରେ ଅସ୍ତ୍ରଧାରଣ କରିବାକୁ ବାଧ୍ୟ ହେଲେ । କୌଳିକ ବୃତ୍ତି ଯୁଦ୍ଧ ହୋଇଥିବାରୁ,ପାଇକମାନେ ଅନ୍ୟମାନଙ୍କ ଅପେକ୍ଷା ଆଗତୁରା ସଶସ୍ତ୍ର ବିଦ୍ରୋହ କରିବାକୁ ସାହସ ପାଇଲେ । ଏହି ବିଦ୍ରୋହରେ ଅନ୍ୟ ବର୍ଗର ଲୋକେ ମଧ୍ୟ ସାମିଲ୍‍ ହୋଇଥିଲେ । ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତ, ଅତିରିକ୍ତ ଖଜଣା ବୃଦ୍ଧି ଓ ଶସ୍ୟ ହାନି ସତ୍ତ୍ୱେ କଡ଼ାକଡ଼ି ଭାବେ ଖଜଣା ଆଦାୟ ହେବାଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଆଇନର ଜଟିଳତାଯୋଗୁଁ ଲୋକେ ସେଗୁଡ଼ିକୁ ସହଜରେ ବୁଝି ପାରୁ ନଥିଲେ । ଲୋକଙ୍କ ସରଳତା ଓ ଅଜ୍ଞତାର ସୁଯୋଗ ନେଇ ଅମଲା, ଦାରୋଗା ଆଦି ସରକାରୀ କର୍ମଚାରୀମାନେ ଅତ୍ୟାଚାର ଓ ଶୋଷଣ କରୁଥିଲେ । ଇଂରେଜ ସରକାରଙ୍କ ଭୂ-ରାଜସ୍ୱ ନୀତି ସ୍ଥାନୀୟ ଜମିଦାର ଓ ରୟତମାନଙ୍କ ସ୍ୱାର୍ଥରେ ଆଞ୍ଚ ଆଣିଥିଲା । ଯେଉଁ ଜମିଦାରମାନେ ବିଳମ୍ବରେ ଅସୁଲି ହେବା କାରଣରୁ ଠିକ୍‍ ସମୟରେ ରାଜସ୍ୱ ଜମା କରିପାରୁ ନଥିଲେ, ସେମାନଙ୍କ ଜମିଦାରୀ କଲିକତାରେ ନିଲାମ ହେଉଥିଲା । ଏହା ଅଣ-ଓଡ଼ିଆ, ବିଶେଷକରି ବଙ୍ଗୀୟ ଲୋକଙ୍କ ହାତକୁ ଚାଲି ଯାଉଥିଲା । ଇଂରେଜ ଶାସନ ପ୍ରତିଷ୍ଠିତ ହେଲା ପରେ ୧୮୦୫-୧୮୦୬ ପ୍ରଥମ ବନ୍ଦୋବସ୍ତରେ ମୋଟ ୨୩୪୦ ଜଣ ଓଡ଼ିଆ ଜମିଦାରଙ୍କ ନାମ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ୧୮୦୭ରେ ୨୬୬ ଜଣଙ୍କ ଜମିଦାରୀ ନିଲାମ ହେଲା । ୧୮୧୬ ମସିହା ଶେଷ ସୁଦ୍ଧା ୯୦୧ ଜଣ ଜମିଦାର ନିଜ ଜମିଦାରୀ ହରାଇ ସାରିଥିଲେ । ନୂତନ ଜମିଦାରମାନେ ଓଡ଼ିଶାରେ ବାସ କରୁନଥିଲେ ଏବଂ ସେମାନଙ୍କର ସ୍ଥାନୀୟ ରୟତମାନଙ୍କ ପ୍ରତି ସମ୍ବେଦନା ନଥିଲା । ନିଲାମଯୋଗୁଁ ଜମିଦାରୀ ହରାଇଥିବା ଜମିଦାର ଓ ରୟତମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ଉଭୟେ ମିଶି ବିଦ୍ରୋହପାଇଁ ପ୍ରସ୍ତୁତି କଲେ ।

୧୮୦୫ରେ ଖୋର୍ଦ୍ଧା ରାଜା ଦ୍ୱିତୀୟ ମୁକୁନ୍ଦଦେବ ଗାଦିଚ୍ୟୁତ ହେଲେ ଓ ଖୋର୍ଦ୍ଧା ଖାସମାହାଲରେ ପରିଣତ ହେଲା । ମେଜର ଫ୍ଲେଚରଙ୍କ ନିର୍ଦ୍ଦେଶରେ ସେଠାରେ ଯେଉଁ ବନ୍ଦୋବସ୍ତ ହେଲା, ତା' ଅନୁଯାୟୀ ପାଇକମାନେ ବଂଶାନୁକ୍ରମିକ ଭାବରେ ଭୋଗ କରୁଥିବା ନିଷ୍କର ଜମି ହରାଇଲେ । ସ୍ୱଳ୍ପମିଆଦୀ ବନ୍ଦୋବସ୍ତରେ ରୟତମାନଙ୍କର ଖଜଣା ବୃଦ୍ଧି ପାଇଲା । ୧୮୦୬-୦୭ରେ ଭୟଙ୍କର ମରୁଡ଼ି ପଡ଼ିଲା; ପର ବର୍ଷ ଖୁବ୍‍ ବନ୍ୟା ହେଲା । ଖଜଣା ଉଚିତ ସମୟରେ ଜମା କରିବା ସକାଶେ ରୟତମାନେ ସାହୁକାରମାନଙ୍କ ପାଖରୁ ଋଣ ସୁଦ୍ଧା ପାଇ ପାରିଲେ ନାହିଁ, କାରଣ ବନ୍ଧା ଦେବାଲାଗି ବିଲରେ ଫସଲ ନଥିଲା । ପାଇକମାନେ ଆଗରୁ ନିଷ୍କର ଜମି ଭୋଗ କରୁଥିଲେ । ବର୍ତ୍ତମାନ ସ୍ଥିତିରେ ସେମାନଙ୍କର ଅବସ୍ଥା ଖୁବ୍‍ ଶୋଚନୀୟ ହୋଇ ପଡ଼ିଲା । ଦୁର୍ନୀତିଗ୍ରସ୍ତ ଅମଲା ଓ ଅତ୍ୟାଚାରୀ ପୋଲିସ୍‍ଯୋଗୁଁ ସେମାନଙ୍କ୧୮୬ . ଓଡ଼ିଶା ଇତିହାସ