ପୃଷ୍ଠା:Odisha Itihasa.pdf/୧୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଷ୍ଟର ସୀମା ରହିଲା ନାହିଁ । ଏଭଳି ସ୍ଥିତିରେ ପାଇକମାନେ ବିଦ୍ରୋହ ସକାଶେ ଜଣେ ନେତାର ଅନ୍ୱେଷଣରେ ରହିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଥିଲେ ସେହିଭଳି ଜଣେ ନେତା । ୧୮୧୭ ପାଇକ ବିଦ୍ରୋହକୁ ସେ ନେତୃତ୍ୱ ପ୍ରଦାନ କରିଥିଲେ । ଖୋର୍ଦ୍ଧା ଖାସ୍‍ମାହାଲରେ ପରିଣତ ହେବା ପୂର୍ବରୁ ସେ ଖୋର୍ଦ୍ଧା ଗଜପତିଙ୍କ ବକ୍ସି ବା ସେନା ଅଧିନାୟକ ପଦରେ ପୁରୁଷାନୁକ୍ରମିକ ଭାବେ ନିଯୁକ୍ତ ଥିଲେ । ତାଙ୍କୁ ରୋଡଙ୍ଗ ଜମିଦାରୀ ମିଳିଥିଲା । ମାତ୍ର ଖୋର୍ଦ୍ଧା ଖାସମାହାଲ ହେବା ପରେ ଜମିଦାରୀର ଖଜଣା ଜମା କରିବାକୁ ପଡ଼ିଲା । ଏନେଇ ତାଙ୍କ ମନରେ ଅସନ୍ତୋଷ ଥିଲେ ସୁଦ୍ଧା ସେ ଜମିକର ଦେଉଥିଲେ । ମନେହୁଏ, କୃଷ୍ଣଚନ୍ଦ୍ର ସିଂହ ନାମକ ଜଣେ ବଙ୍ଗୀୟ ଦଲାଲ୍‍ ରୋଡ଼ଙ୍ଗ ଜମିଦାରୀ ହାସଲ କରିବା ଉଦ୍ଦେଶ୍ୟରେ ବକ୍ସି ଜମା କରୁଥିବା ଖଜଣାକୁ ଆତ୍ମସାତ୍‍ କରିଗଲେ । ଫଳରେ ୧୮୧୩ରେ ଖଜଣା ଜମା ନକରିବା ଅପରାଧରେ ବକ୍ସି ଜଗବନ୍ଧୁ ନିଜ ଜମିଦାରୀ ଅଧିକାର ହରାଇଲେ । ଜମିଦାରୀ ଫେରିପାଇବା ଲାଗି ଜଗବନ୍ଧୁଙ୍କ ସମସ୍ତ ଆବେଦନ ନିଷ୍ଫଳ ହେଲା । ମଝିରେ ୧୮୧୪ରେ ତାଙ୍କୁ ଜମିଦାରୀ ଫେରସ୍ତ ଦେବାଲାଗି ମଧ୍ୟ ଆଦେଶ ଜାରି ହେଲା । କିନ୍ତୁ ଆଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ କୃଷ୍ଣଚନ୍ଦ୍ର ସିଂହଙ୍କ ଚକ୍ରାନ୍ତଯୋଗୁଁ ଅନ୍ୟ ଏକ ଆଦେଶ ବଳରେ ପୂର୍ବ ଆଦେଶ ରଦ୍ଦ ହେଲା । ଏହା ପରେ ବକ୍ସି ଜଗବନ୍ଧୁ ଇଂରେଜ ନ୍ୟାୟ ବ୍ୟବସ୍ଥା ଉପରୁ ସଂପୂର୍ଣ୍ଣ ଭାବେ ଆସ୍ଥା ହରାଇଲେ ଏବଂ ପ୍ରତିଶୋଧ ନେବାପାଇଁ ସମଦଶାପନ୍ନ ପାଇକମାନଙ୍କୁ ଏକଜୁଟ କଲେ । ବିଦ୍ରୋହରେ ଯୋଗଦେବାପାଇଁ ସେ ଇଂରେଜମାନଙ୍କଠାରୁ ପେନ୍‍ସନ୍‍ ପାଉଥିବା ଖୋର୍ଦ୍ଧା ରାଜାଙ୍କୁ ମଧ୍ୟ ଆମନ୍ତ୍ରଣ ଜଣାଇଲେ ।

୧୮୧୭ ମାର୍ଚ୍ଚ ମାସରେ ପ୍ରାୟ ୪୦୦ କନ୍ଧ ଘୁମୁସରରୁ ଖୋର୍ଦ୍ଧା ଆସି ପାଇକମାନଙ୍କ ସହ ଯୋଗ ଦେଲେ । ଇଂରେଜଙ୍କ ଅତ୍ୟାଚାରରେ ସେମାନେ ମଧ୍ୟ ଅତିଷ୍ଠ ଥିଲେ । କଡ଼ାକଡ଼ି ଭାବେ ଭୂ-ରାଜସ୍ୱ ଆଦାୟ ହେବାରୁ ଜମିଦାରମାନଙ୍କ ପରି ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷକରି ପ୍ରାକୃତିକ ଦୁର୍ବିପାକ ବେଳେ ଖଜଣା ଅସୁଲରେ ରିହାତି ଦିଆ ଯାଉ ନଥିବାରୁ ସମସ୍ତ ପ୍ରଜା ଘୋର ଅସୁବିଧା ଭୋଗୁଥିଲେ । ଜଗବନ୍ଧୁଙ୍କ ନେତୃତ୍ୱରେ କନ୍ଧ ଓ ପାଇକମାନେ ସମ୍ମିଳିତ ହେଲେ; ବିଦ୍ରୋହ ତେଜୀୟାନ ହେଲା । ଜଗବନ୍ଧୁଙ୍କ ତଳେ ଦଳବେହେରାମାନେ ବିଦ୍ରୋହକୁ ନେତୃତ୍ୱ ଦେଉଥିଲେ । ବିଦ୍ରୋହୀମାନେ ପ୍ରଥମେ ବାଣପୁର ଥାନା ଓ ସରକାରୀ ଅଫିସ୍‍ ଗୃହଗୁଡ଼ିକ ଉପରେ ଆକ୍ରମଣ କଲେ ତଥା ସରକାରୀ କୋଷାଗାରରୁ ଅର୍ଥ ଲୁଣ୍ଠନ କଲେ । ଖୋର୍ଦ୍ଧାରେ ମଧ୍ୟ ସେମାନେ ସରକାରୀ କୋଠାବାଡ଼ିରେ ନିଆଁ ଲଗାଇ ଦେଲେ ଓ ସରକାରୀ କୋଷାଗାର ଲୁଣ୍ଠନ କଲେ ।

ବିଦ୍ରୋହର ସମ୍ବାଦ କଟକରେ ପହଞ୍ଚିଲା ପରେ ଲେଫ୍‍ଟନାଣ୍ଟ ପ୍ରିଡିକ୍ସଙ୍କ (Lt. Prideaux)ନେତୃତ୍ୱରେ ଏକ ସୈନ୍ୟବାହିନୀ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କଲେ । ଅନ୍ୟ ଏକ ଦଳ ଲେଫ୍‍ଟନାଣ୍ଟ ଫାରିସ୍‍ଙ୍କ (Lt. Faris) ନେତୃତ୍ୱରେ ପିପିଲି ଅଭିମୁଖେ ଯାତ୍ରା କଲେ । କଟକର{{right|ଓଡ଼ିଶା ଇତିହାସ . ୧୮୭