ପୃଷ୍ଠା:Odisha Itihasa.pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେବଳ ବାଣପୁରକୁ ବାଦ ଦେଲେ ଅନ୍ୟ ଅଞ୍ଚଳରୁ ସାମରିକ ଆଇନ ଉଠାଇ ଦିଆଗଲା । ୧୮୧୮ ଏପ୍ରିଲ୍‍ ମାସରେ ବାଣପୁରରୁ ମଧ୍ୟ ସାମରିକ ଆଇନକୁ ପ୍ରତ୍ୟାହାର କରି ନିଆଗଲା । ବିଦ୍ରୋହ ଦମନ ପରେ ସରକାର ବକ୍ସି ଜଗବନ୍ଧୁ ଏବଂ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବାପାଇଁ ଯଥାସାଧ୍ୟ ଉଦ୍ୟମ କଲେ । ଜଗବନ୍ଧୁଙ୍କୁ ଧରିଦେବାପାଇଁ ୫୦୦୦ଟଙ୍କା ଓ ଅନ୍ୟ ମୁଖ୍ୟ ବିଦ୍ରୋହୀ କୃଷ୍ଣଚନ୍ଦ୍ର ଭ୍ରମରବର ରାୟଙ୍କପାଇଁ ୨୦୦୦ଟଙ୍କା ଘୋଷଣା କରାଗଲା । ଅନ୍ୟ ବିଦ୍ରୋହୀ ନେତା ଗୋପାଳ ଛୋଟରାୟ, ପଦ୍ମାଭ ଛୋଟରାୟ ଓ ପିନାକୀ ବାହୁବଳେନ୍ଦ୍ର ଆଦିଙ୍କୁ ଧରିଦେବାପାଇଁ ମଧ୍ୟ ପୁରସ୍କାର ଘୋଷଣା ହେଲା । ଅନ୍ୟ ପକ୍ଷରେ ୧୮୧୭ ଏପ୍ରିଲ୍‍ ମାସ ପରଠାରୁ ବିଦ୍ରୋହରେ ମିଶିଥିବା ସାଧାରଣ ବିଦ୍ରୋହୀମାନଙ୍କୁ ଆତ୍ମସମର୍ପଣ କଲେ କ୍ଷମା ଦିଆଯିବ ବୋଲି ଘୋଷଣା କରାଗଲା । ଅନେକ ବିଦ୍ରୋହୀ ଏହା ପରେ ଆତ୍ମସମର୍ପଣ କଲେ । ମାତ୍ର ବକ୍ସି ଜଗବନ୍ଧୁ ଏବଂ ତାଙ୍କ ମୁଖ୍ୟ ସହଯୋଗୀମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ସେମାନଙ୍କୁ ଘୁମୁସର, ରଣପୁର ଓ ନୟାଗଡ଼ର ରାଜା ଗୁପ୍ତ ଭାବରେ ସହଯୋଗ କରୁଥିଲେ ବୋଲି ମଧ୍ୟ ସରକାର ସନ୍ଦେହ କରୁଥିଲେ । ୧୮୧୯ରେ କନ୍ଧମାଳରେ ପାଣ ଓ କନ୍ଧମାନଙ୍କ ବିଦ୍ରୋହ ପଛରେ ଜଗବନ୍ଧୁଙ୍କ ପ୍ରୋତ୍ସାହନ ରହିଥିଲା ବୋଲି ସରକାର ମନେ କରୁଥିଲେ । ଅସଲରେ ସରକାରଙ୍କ ବିରୋଧରେ ଆଦିବାସୀମାନେ ଯେତେ ଅସନ୍ତୁଷ୍ଟ ଥିଲେ, ତହିଁରେ ବିଦ୍ରୋହୀ ଜଗବନ୍ଧୁ ବା ତାଙ୍କ ସହଯୋଗୀଙ୍କୁ ସାଧାରଣ ସ୍ତରରେ ଆଶ୍ରୟ ମିଳିବା କାଠିକର ନଥିଲା ।

୧୮୨୦ରେ ଜଗବନ୍ଧୁ ଓ ତାଙ୍କ ପ୍ରମୁଖ ସହଯୋଗୀ କୃଷ୍ଣଚନ୍ଦ୍ର ଏକ ମିଳିତ ପତ୍ର ପୁରୀର ଯୁଗ୍ମ ମାଜିଷ୍ଟ୍ରେଟ୍‍ ମେଲ୍‍ଭିଲ୍‍ଙ୍କ ପାଖକୁ ପଠାଇଲେ । ଏଥିରେ ଜଗବନ୍ଧୁ ଓ ଖୋର୍ଦ୍ଧା ରାଜାଙ୍କ ପ୍ରତି ଇଂରେଜମାନେ ଅନ୍ୟାୟ କରିଛନ୍ତି ବୋଲି ଉଲ୍ଲେଖ କରାଯାଇଥିଲା । ଖୋର୍ଦ୍ଧାର ଦୁରବସ୍ଥା କଥା ମଧ୍ୟ ତହିଁରେ ଲିିଖିତ ଥିଲା । ଅନ୍ୟାୟର ପ୍ରତିକାର ହେଲେ ଜଗବନ୍ଧୁ କ୍ଷମା ଯାଚନା କରିବେ ବୋଲି ପତ୍ରରେ ପ୍ରତିଶ୍ରୁତି ଦେଇଥିଲେ । କ୍ଷମା ଦେବାପାଇଁ ସରକାର ଜଗବନ୍ଧୁଙ୍କ ଆଗରେ ତିନୋଟି ସର୍ତ୍ତ ରଖିଥିଲେ । ପ୍ରଥମ, ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ରଙ୍କୁ ସମ୍ପତ୍ତି ଅଧିକାର ତଥା ରାଜକୀୟ ଉପାଧି ତ୍ୟାଗ କରିବାକୁ ପଡ଼ିବ । ଦ୍ୱିତୀୟ, ଉଭୟ ବିଦ୍ରୋହୀ ନେତା କଟକ ବା ନିକଟବର୍ତ୍ତୀ କୌଣସି ସ୍ଥାନରେ ରହିବେ ଏବଂ ମାଜିଷ୍ଟ୍ରେଟ୍‍ଙ୍କ ବିନାନୁମତିରେ ବାସସ୍ଥାନ ଛାଡ଼ିପାରିବେ ନାହିଁ । ତୃତୀୟ, ସେମାନଙ୍କୁ ଯଥାକ୍ରମେ ୧୦୦ଟଙ୍କା ଓ ୫୦ଟଙ୍କା ମାସିକ ଭତ୍ତା ଦିଆଯିବ । ଜଗବନ୍ଧୁ ଏହାର ଉତ୍ତରରେ ଖୋର୍ଦ୍ଧା ରାଜାଙ୍କ ପୂର୍ବ ସ୍ଥିତି ଫେରାଇ ଦେବାକୁ ଇଂରେଜମାନଙ୍କଠାରେ ଦାବି କରିଥିଲେ ।

ଇତିମଧ୍ୟରେ ବିଦ୍ରୋହୀ ନେତା ଗୋପାଳ ଛୋଟରାୟ, ବିଷ୍ଣୁ ପାଇକରାୟ, ରାମ ସିଂହ ଓ ନାଥ ପ୍ରଧାନଙ୍କୁ ଦେଶଦ୍ରୋହ ଅପରାଧରେ ଏବଂ ପରଶୁରାମ ପଟ୍ଟନାୟକ ଏବଂ ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କୁ ହତ୍ୟା ଅପରାଧରେ ମୃତ୍ୟୁଦଣ୍ତ ଦିଆଗଲା । ଅନ୍ୟ ୧୦୩ ଜଣ ବିଦ୍ରୋହୀଙ୍କୁ ଦେଶାନ୍ତର ଦଣ୍ତରେ ଓ ୫୫ ଜଣଙ୍କୁ ସଶ୍ରମ କାରାଦଣ୍ତରେ ଦଣ୍ତିତ କରାଗଲା । ୧୮୨୫ ମେ ମାସ ୨୭ ତାରିଖ ଦିନ ଜଗବନ୍ଧୁ କଟକରେ ଆତ୍ମସମର୍ପଣ କଲେ । କୃଷ୍ଣଚନ୍ଦ୍ର ଓ ଭ୍ରମରବର ରାୟ{{right|ଓଡ଼ିଶା ଇତିହାସ . ୧୮୯