ପୃଷ୍ଠା:Odisha Itihasa.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଐତିହାସିକ ଭୂଗୋଳ

ପ୍ରାଚୀନ କାଳରେ 'ଓଡ଼ିଶା' ନାମର ପ୍ରଚଳନ ନଥିଲା । ୧୯୩୬ ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ କ୍ଷେତ୍ର ଓଡ଼ିଶା ନାମରେ ପରିଚିତ, ସେହି କ୍ଷେତ୍ରରେ ଇତିହାସର ଭିନ୍ନ ଭିନ୍ନ କାଳଖଣ୍ତରେ 'କଳିଙ୍ଗ','ଉତ୍କଳ','ଉଡ୍ର','କୋଶଳ','ତ୍ରିକଳିଙ୍ଗ', ତଥା 'ତୋଷଳ' ଆଦି ନାମରେ ରାଜ୍ୟମାନ ରହିଥିଲେ । ଏ ମଧ୍ୟରୁ କୌଣସି ରାଜ୍ୟର ମୋଟ ଆୟତନ ବର୍ତ୍ତମାନର ଓଡ଼ିଶାର ମୋଟ ଆୟତନ ସହ ପୂରାପୂରି ସମାନ ବୋଲି କହିହେବ ନାହିଁ । ଆଧୁନିକ ଓଡ଼ିଶାର ଗଠନ ଭାଷାଭିତ୍ତିରେ କରାଯାଇଛି ଯଦିଓ କେତେକ ଓଡ଼ିଆଭାଷୀ କ୍ଷେତ୍ର ଏବେ ମଧ୍ୟ ଓଡ଼ିଶା ପ୍ରଦେଶ ବାହାରେ ରହିଛି । ଏସବୁ ସତ୍ତ୍ୱେ 'କଳିଙ୍ଗ', 'ଉତ୍କଳ', 'ଉଡ୍ର' ନାମକୁ ଓଡ଼ିଶାର ସମାର୍ଥବୋଧକ ପ୍ରତିଶବ୍ଦ ଭାବରେ ଲୌକିକ ସ୍ତରରେ ବ୍ୟବହାର କରାଯାଏ । ଅର୍ଥାତ୍‍ ପ୍ରାଚୀନ 'କଳିଙ୍ଗ' ବା 'ଉତ୍କଳ' ହେଉଛି ଆଧୁ‌ନିକ ଓଡ଼ିଶାର ଅନ୍ୟନାମ । ସେହିପରି 'କୋଶଳ'କୁ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରାଚୀନ ନାମ ଭାବରେ ଆଞ୍ଚଳିକ ସ୍ତରରେ ବ୍ୟବହାର କରାଯାଏ ।

କେତେକ ଐତିହାସିକ 'ଓଡ଼ିଶା'କୁ 'ଓରିଟିସ୍‍' (Orites), ଉର୍ସି‌ନ (Urshin) ତଥା ଉର୍ସଫିନ (Ursfin) ଇତ୍ୟାଦି ନାମର ଅପଭ୍ରଂଶ ବୋଲି ମତ ଦେଇଥାନ୍ତି । ପ୍ରଥମ ଶତାବ୍ଦୀରେ ପ୍ରକାଶିତ ଗ୍ରୀକ୍‍ ପରିବ୍ରାଜକ ପ୍ଲିି‌ନିଙ୍କ 'ପ୍ରାକୃତିକ ଇତିହାସ' (Natural History) ପୁସ୍ତକରେ 'ଓରିଟିସ୍'କୁ ଏକ ଭାରତୀୟ ଜାତି ବୋଲି ଉଲ୍ଲେଖ କରାଯାଇଛି । ପ୍ଲି‌ନଙ୍କ ବର୍ଣ୍ଣନା ଅନୁଯାୟୀ 'ଓରିଟିସ୍‍' ଜାତିର ଲୋକେ ମେଲିଅସ (Maleus) ପାହାଡ଼ କ୍ଷେତ୍ରରେ 'ମନେଡସ୍‍' (Manedes) ଓ 'ସୁଆରିସ୍‍' (Suaris) ଜାତିର ଲୋକଙ୍କ ମଧ୍ୟରେ ଅବସ୍ଥାନ କରନ୍ତି । ଗବେଷକମାନେ 'ଓରିଟିସ୍‍'କୁ 'ଓଡ଼ିଆ', 'ମେଲିଅସ'କୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମାଲ୍ୟବଣ, 'ମନେଡସ୍‍'କୁ 'ମୁଣ୍ତା' ଓ 'ସୁଆରିସ'କୁ 'ସଉରା'ର ଅପଭ୍ରଂଶ ବୋଲି ମତ ଦିଅନ୍ତି । ସଂସ୍କୃତର 'ଓଡ୍ର' ଶବ୍ଦ, ଯାହା 'ଓଡ଼ିଆ'ର ମୂଳ ବୋଲି ଅନୁମାନ କରାଯାଏ, ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ପ୍ରଚଳନକୁ ଆସିଛି, ଯଦିଓ ମହାଭାରତ ଯୁଦ୍ଧ ସମୟରେ ମଧ୍ୟ ଏହାର ପ୍ରଚଳନ ଥିଲା ବୋଲି ବିଶ୍ୱାସ କରାଯାଏ । ଉଭୟ ଗ୍ରୀକ୍‍ 'ଓରିଟିସ୍‍' ଓ ସଂସ୍କୃତ 'ଓଡ୍ର'ର ମୂଳ ଶବ୍ଦ ହେଲା 'ଓର' ବା 'ଓରୁଆ' ବୋଲି କୁହାଯାଏ ।{{right|ଓଡ଼ିଶା ଇତିହାସ . ୧୯