ପୃଷ୍ଠା:Odisha Itihasa.pdf/୧୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖୋର୍ଦ୍ଧାରେ ଯୁଗ୍ମ ମାଜିଷ୍ଟ୍ରେଟ୍‍ଙ୍କ ପାଖରେ ଆତ୍ମସମର୍ପଣ କଲେ । ଉଭୟଙ୍କୁ ଯଥାକ୍ରମେ ୧୫୦ଟଙ୍କା ଓ ୧୦୦ଟଙ୍କା ମାସିକ ଭତ୍ତା ପ୍ରଦାନ କରାଗଲା । ୧୮୨୯ ଜାନୁଆରି ୨୪ ତାରିଖ ଦିନ କଟକଠାରେ ଗୃହବନ୍ଦୀ ଅବସ୍ଥାରେ ଜଗବନ୍ଧୁଙ୍କର ମୃତ୍ୟୁ ହେଲା । ୧୮୧୭ ସେପ୍ଟେମ୍ବର ମାସରେ ପାଇକ ବିଦ୍ରୋହର କାରଣ ଅନୁସନ୍ଧାନପାଇଁ ସରକାର ଏକ କମିଶନ ନିଯୁକ୍ତ କରିଥିଲେ । ଏଥିରେ ପ୍ରଥମେ ଏଲିଜା, ଇମ୍ପେ ଏବଂ ତାଙ୍କ ପରେ ଓ୍ୱାଲ୍‍ଟର ଇଓ୍ୱାର୍‍ ଏବଂ ଜି. ମାର୍ଟିନତେଲ ନିଯୁକ୍ତ ହୋଇଥିଲେ । ୧୮୧୮ମସିହା ମେ ମାସରେ କମିଶନ ତାଙ୍କ ରିପୋର୍ଟ ଦାଖଲ କଲେ । 'ଇଓ୍ୱାର ରିପୋର୍ଟ' ନାମରେ ପରିଚିତ ଏହି ରିପୋର୍ଟରେ ବିଦ୍ରୋହର କାରଣମାନ ନିମ୍ନ ପ୍ରକାରେ ଉଲ୍ଲେଖ କରାଯାଇଥିଲା । ମରୁଡ଼ି ଓ ବନ୍ୟାଯୋଗୁଁ ଶସ୍ୟହାନି ହେଲା ଅଥଚ ରାଜସ୍ୱ ଅସୁଲରେ ସରକାର ରିହାତି ପ୍ରଦାନ କରି ନଥିଲେ । ସ୍ୱଳ୍ପମିଆଦୀ ବନ୍ଦୋବସ୍ତ ଯୋଗୁଁ ପ୍ରତିଥର ରାଜସ୍ୱ ବୃଦ୍ଧି ପାଉଥିଲା । ପାଇକମାନଙ୍କର ନିଷ୍କର ଜାଗିର୍‍ ଜମିକୁ ସରକାର ହସ୍ତଗତ କରି ନେଇ ତା' ଉପରେ ଖଜଣା ବସାଇଲେ । କଉଡ଼ିର ମୂଲ୍ୟ ହ୍ରାସଯୋଗୁଁ ଗ୍ରାମାଞ୍ଚଳର ଲୋକେ କଉଡ଼ି ବଦଳରେ ସିକ୍କା ଟଙ୍କା ପାଇବାଲାଗି ଅଧିକ ମୂଲ୍ୟର ଶସ୍ୟ ଦେବାକୁ ବାଧ୍ୟ ହେଲେ । ଲୁଣର ଆମଦାନୀଯୋଗୁଁ ଲୁଣମରାରେ ନିଯୁକ୍ତ ସ୍ଥାନୀୟ ଲୋକେ ରୋଜଗାର ହରାଇଲେ ଏବଂ ବିଦ୍ରୋହରେ ଯୋଗ ଦେଲେ । ସରକାରୀ ଅଫିସ୍‍ରେ ଅଣଓଡ଼ିଆମାନଙ୍କର ବ୍ୟାପକ ନିଯୁକ୍ତି ଯୋଗୁଁ ସାଧାରଣ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ଅଧିକ ଜଟିଳ ମନେହେଲା । ଲୋକେ ଅଯଥା ଉତ୍ପୀଡ଼ନର ଶିକାର ହେଲେ ।

ଇଓ୍ୱାର୍‍ ତାଙ୍କ ରିପୋର୍ଟରେ କେତେକ ସମାଧାନର ପନ୍ଥା ମଧ୍ୟ ଦର୍ଶାଇଥିଲେ । ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତ ସ୍ଥାନରେ ଦୀର୍ଘମିଆଦୀ ବନ୍ଦୋବସ୍ତ (୯ରୁ ୧୧ ବର୍ଷ), ଅମଲାତନ୍ତ୍ରରେ ଅଧିକରୁ ଅଧିକ ଓଡ଼ିଆମାନଙ୍କର ନିଯୁକ୍ତି ତଥା ଖଜଣାର ହାର ହ୍ରାସପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏ ମଧ୍ୟରୁ କୌଣସିଟି ଦୀର୍ଘକାଳୀନ ସମାଧାନ ନଥିଲା । ପ୍ରକୃତରେ ଦେଖିଲେ, ଔପନିବେଶିକ ଆର୍ଥିକ ଓ ସାମାଜିକ ଶୋଷଣକୁ ଅବ୍ୟାହତ ରଖି ସରକାର ଲୋକଙ୍କ ମନରୁ ବିଦ୍ରୋହୀ ଭାବ ହ୍ରାସ କରିବାକୁ ପ୍ରୟାସ କରୁଥିଲେ ଯାହା କି ଆଦୌ ସମ୍ଭବ ନଥିଲା । ତେଣୁ ବଳ ପ୍ରୟୋଗ କରି ପାଇକ ବିଦ୍ରୋହ ନାମରେ ପରିଚିତ ଖୋର୍ଦ୍ଧାର ଗଣବିଦ୍ରୋହକୁ ଦମନ କରିଦେଲା ପରେ ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ଊଣା ହେଲା ବୋଲି କଦାପି କହିହେବ ନାହିଁ ।

ଜଗବନ୍ଧୁଙ୍କ ଆତ୍ମସମର୍ପଣ ପରେ ସୁଦ୍ଧା ଖୋର୍ଦ୍ଧା ଓ ବାଣପୁରରେ ଜନ ଅସନ୍ତୋଷ ଲାଗି ରହିଥିଲା । ୧୮୨୭ରେ ଖୋର୍ଦ୍ଧା ନିକଟରେ ତାପଙ୍ଗ ଗଡ଼ରେ ସାମନ୍ତ ମାଧବ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ସ୍ଥାନୀୟ ରୟତମାନେ ବିଦ୍ରୋହ କରିଥିଲେ । ସେମାନେ ସରକାରଙ୍କୁ ଖଜଣା ଦେବା ବନ୍ଦ କରି ଦେଇଥିଲେ । ବିଦ୍ରୋହର ଆଠବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ ମଧୁସୂଦନ ବିପ୍ର 'ଫିରିଙ୍ଗି କଳି ଭାରତ' କାବ୍ୟରେ ତାପଙ୍ଗ କଥା ଉଲ୍ଲେଖ କରିଛନ୍ତି । ୧୮୩୬ରେ ବାଣପୁରରେ ପାଇକ ଓ୧୯୦ . ଓଡ଼ିଶା ଇତିହାସ