ପୃଷ୍ଠା:Odisha Itihasa.pdf/୧୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୟସରେ ରାଜପଦ ଲାଭ କରିଥିଲେ ଏବଂ ନିରନ୍ତର ବିଦ୍ରୋହୀ କନ୍ଧମାନଙ୍କୁ ନାନା ପ୍ରକାର ସହଯୋଗ ପ୍ରଦାନ କରୁଥିଲେ । ନିଜ ଶାସନରେ ଇଂରେଜମାନଙ୍କ ହସ୍ତକ୍ଷେପକୁ ସେ ଆଦୌ ସହ୍ୟ କରିପାରୁ ନଥିଲେ । ହସ୍ତକ୍ଷେପର ବିରୁଦ୍ଧାଚରଣ କରି ସେ ଅନେକ ସମୟରେ ପ୍ରଜାଙ୍କ ଉପରେ ଅତ୍ୟାଚାର କରୁଥିଲେ । ତାଙ୍କ କାର୍ଯ୍ୟକଳାପ ଉପରେ ଇଂରେଜମାନଙ୍କର ତାଗିଦ ବା ଦଣ୍ତକୁ ସେ ଭ୍ରୂକ୍ଷେପ କରୁ ନଥିଲେ । ଏହା ତାଙ୍କ ସ୍ୱାଧୀନ ମନୋଭାବର ପରିଚାୟକ ଥିଲା । ଢେଙ୍କାନାଳ, ଦଶପଲ୍ଲା, ବଉଦ, ହିନ୍ଦୋଳ ଓ ଆଠମଲ୍ଲିକ ଆଦି ପଡେ଼ାଶୀ ଗଡ଼ଜାତ ରାଜାମାନେ ଯେତେବେଳେ ଇଂରେଜ ହସ୍ତକ୍ଷେପକୁ ସ୍ୱୀକାର କରି ନେଇଥିଲେ, ସେ ସ୍ୱାଧୀନ ରାଜା ଭଳି ଆଚରଣ କରୁଥିଲେ । ଏହା ଅନେକ ସମୟରେ ଯଥେଚ୍ଛାଚାର ରୂପେ ରାଜ୍ୟରେ ପ୍ରତିଫଳିତ ହେଉଥିଲା । ପରିଣାମ ସ୍ୱରୂପ, ତାଙ୍କ ବିଦ୍ରୋହକୁ ନା ପଡେ଼ାଶୀ ରାଜାମାନଙ୍କର ଗୁପ୍ତ ସହଯୋଗ ମିଳିଥିଲା, ନା ପ୍ରଜାଙ୍କର ସମର୍ଥନ ମିଳିଥିଲା । ସେ ୧୮୩୧ରେ ପଡେ଼ାଶୀ ଦଶପଲ୍ଲାର କେତେକ ଗ୍ରାମକୁ ଓ ୧୮୪୬ରେ ହିନ୍ଦୋଳର ଏକ ଗ୍ରାମକୁ ଆକ୍ରମଣ କରି କବ୍‍ଜା କରି ନେଇଥିଲେ । ଏଥିପାଇଁ ତାଙ୍କ ଉପରେ ଟ୍ରିବୁଟାରୀ ମହଲର ଅଧୀକ୍ଷକ ଜୋରିମାନା କରିଥିଲେ, ଯାହା ସେ ଅମାନ୍ୟ କରିଥିଲେ । ଘୁମୁସରର ବିଦ୍ରୋହୀ କନ୍ଧ ନେତା ଦୋରା ବିଶୋୟୀ ଓ ଚକ୍ରା ବିଶୋୟୀଙ୍କୁ ମଧ୍ୟ ସେ ଆଶ୍ରୟ ଓ ସହଯୋଗ ଦେଇ ଥିବାର ପ୍ରମାଣ ରହିଥିଲା । ସରକାରଙ୍କ ଚାପରେ ସେ ଦୋରା ବିଶୋୟୀଙ୍କୁ ଇଂରେଜ ହାତରେ ସମର୍ପଣ ମଧ୍ୟ କରିଥିଲେ । ୧୮୪୭ରେ ଅନୁଗୁଳକୁ ପ୍ରତ୍ୟକ୍ଷ ଶାସନାଧୀନ କରିବାକୁ ଓ ସୋମନାଥ ସିଂହଙ୍କୁ ଗାଦିଚ୍ୟୁତ କରିବାକୁ ସରକାର ଆଦେଶନାମା ଜାରି କଲେ । ୧୮୪୮ ଜାନୁଆରି ମାସରେ ସୋମନାଥ ସିଂହଙ୍କ ପୁତ୍ର ଲୋକନାଥ ସିଂହଙ୍କୁ ଇଂରେଜମାନେ ବଶ କଲେ । ଫଳରେ ବାପ କନ୍ଧ ବିଦ୍ରୋହର ସମର୍ଥକ ବୋଲି ପୁଅ ସରକାରଙ୍କୁ ଲିଖିତ ଭାବରେ ଜଣାଇଲେ । ଏହା ପରେ କର୍ଣ୍ଣେଲ୍‍ କେମ୍ପବେଲ୍‍ଙ୍କ ନେତୃତ୍ୱରେ ଏକ ଇଂରେଜ ବାହିନୀ ୧୫ ଜାନୁଆରିରେ ଅନୁଗୁଳ ଅଧିକାର କଲେ ଏବଂ ସୋମନାଥ ସିଂହଙ୍କୁ ବନ୍ଦୀ କଲେ । ଅବଶିଷ୍ଟ ଜୀବନ ସୋମନାଥ ବନ୍ଦୀ ଭାବରେ କଟାଇଲେ ଏବଂ ଅନୁଗୁଳ ୧୬ ସେପ୍ଟେମ୍ବର ୧୮୪୮ରେ ଖାସମାହାଲରେ ପରିଣତ ହେଲା ।

୧୮୫୭ର ଗଣସଂଗ୍ରାମ ଓ ଓଡ଼ିଶା

୧୮୫୭ରେ ଇଂରେଜ ସରକାରଙ୍କ ବିରୋଧରେ ଏକ ବଡ଼ ଧରଣର ଗଣ ସଂଗ୍ରାମ ସଂଘଟିତ ହେଲା । ସମଗ୍ର ଭାରତରେ ଏହାର ପ୍ରଭାବ ରହିଥିଲା । ବିଶେଷକରି ଉତ୍ତର ଭାରତର ଅନେକ ଅଞ୍ଚଳରେ ଏହା ଇଂରେଜ ଶାସନକୁ ସାମୟିକ ଭାବେ ନିଶ୍ଚିହ୍ନ କରି ଦେଇଥିଲା । ଭାରତ ଇତିହାସରେ ଏହାକୁ ସିପାହୀ ବିଦ୍ରୋହ ନାମରେ ଲୋକେ ଜାଣନ୍ତି । ସଂଗ୍ରାମର କର୍ତ୍ତୃତ୍ୱ ସିପାହୀମାନଙ୍କ ହାତରେ ରହିଥିଲେ ମଧ୍ୟ ସାଧାରଣ ଚାଷୀ, ବୁଣାକାର, ରାଜା, ଜମିଦାର ଓ ସେମାନଙ୍କ ଅନୁଗତ ବର୍ଗ ଏଥିରେ ବିପୁଳ ସଂଖ୍ୟାରେ ଭାଗ ନେଇଥିଲେ ଏବଂ ଗଣସଂଗ୍ରାମର ଦମନ ପରେ ଦଣ୍ତ ପାଇଥିଲେ ।

ଓଡ଼ିଶା ଇତିହାସ . ୧୯୫