ପୃଷ୍ଠା:Odisha Itihasa.pdf/୧୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୫୭ର ଏହି ଗଣସଂଗ୍ରାମରେ ଓଡ଼ିଶାର ମଧ୍ୟ କିଛି ପରିମାଣରେ ଭୂମିକା ରହିଥିଲା । ପୂର୍ବରୁ ଆଲୋଚିତ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ଏହି ସମୟରେ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳିଥିଲା । ବିଦ୍ରୋହୀ ସିପାହୀମାନଙ୍କଯୋଗୁଁ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇମାନେ ହଜାରିବାଗ ଜେଲରୁ ମୁକ୍ତି ପାଇଥିଲେ ଏବଂ ସମ୍ବଲପୁର ଫେରି ବିଦ୍ରୋହକୁ ପୁନରୁଜ୍ଜୀବିତ କରିଥିଲେ । ଉତ୍ତର ଭାରତର ବିଦ୍ରୋହୀ ନେତୃବର୍ଗଙ୍କ ସହ ସେମାନଙ୍କର ପ୍ରତ୍ୟକ୍ଷ ଯୋଗାଯୋଗ ନଥିଲା । କିନ୍ତୁ ସେଠାକାର ବିଦ୍ରୋହ ସେମାନଙ୍କୁ ମାନସିକ ସ୍ତରରେ ଶକ୍ତି ଓ ସାହସ ପ୍ରଦାନ କରିଥିଲା ।

ଓଡ଼ିଶାର ଅନ୍ୟ କେତେକ ଜମିଦାର ମଧ୍ୟ ୧୮୫୭ ଗଣସଂଗ୍ରାମଯୋଗୁଁ ସାହସ ପାଇ ନିଜ ନିଜ ସ୍ତରରେ ବିଦ୍ରୋହ କରିଥିଲେ । ଉଦାହରଣ ସ୍ୱରୂପ, ସେତେବେଳକୁ ରାଜପଦ ହରାଇ ସାରିଥିବା କୁଜଙ୍ଗର ରାଜା (ପୂର୍ବତନ ରାଜା) ବିଦ୍ରୋହପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ସନ୍ଦେହରେ ୫୦୦ଟଙ୍କା ଜୋରିମାନା ଦେବାକୁ ଇଂରେଜ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇଥିଲେ । ସେହିଭଳି ବାଲିଆର ପୂର୍ବତନ ଜମିଦାର ରାମକୃଷ୍ଣ ସାମନ୍ତ ସିଂହାର ବିଦ୍ରୋହପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିଲେ ଏବଂ ରୟତ ଚାଷୀମାନଙ୍କୁ କମ୍ପାନୀ ସରକାରଙ୍କୁ ଖଜଣା ନ ଦେବାପାଇଁ ପ୍ରୋତ୍ସାହିତ କରୁଥିଲେ । କଟକ କଲେକ୍ଟରଙ୍କ ରିପୋର୍ଟ ଅନୁଯାୟୀ; ଜମିଦାର, କମ୍ପାନୀ ଶାସନ ଖୁବ୍‍ ଶୀଘ୍ର ଶେଷ ପାଇବ ବୋଲି ପ୍ରଚାର କରୁଥିଲେ । ଅଗଷ୍ଟ ୧୮୫୭ରେ ତାଙ୍କ ସମେତ ଦୀନବନ୍ଧୁ ମହାପାତ୍ର ଓ ଉପେନ୍ଦ୍ର ଜେନାଙ୍କୁ ଗିରଫ କରାଗଲା ଏବଂ ପାଞ୍ଚ ବର୍ଷ ଲେଖା ସଶ୍ରମ କାରାଦଣ୍ତରେ ଦଣ୍ତିତ କରାଗଲା । ଗଣସଂଗ୍ରାମର ଦମନ ପରେ ନଭେମ୍ବର ୧୮୫୮ରେ ଅବଶ୍ୟ ସେମାନଙ୍କୁ କ୍ଷମା ଦିଆଯାଇ ଜେଲ୍‍ରୁ ମୁକ୍ତ କରାଗଲା ।

୧୮୫୭ର ଗଣସଂଗ୍ରାମରେ ପୁରୀର ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରି) ନାମକ ଜଣେ ପଣ୍ତା ମଧ୍ୟ ଭାଗ ନେଇଥିଲେ ବୋଲି ସରକାର ସନ୍ଦେହ କରୁଥିଲେ । ଚାଖି ଖୁଣ୍ଟିଆ ଜଗନ୍ନାଥ ମନ୍ଦିରର ପଣ୍ତା ଭାବରେ ତୀର୍ଥଯାତ୍ରୀମାନଙ୍କୁ ଆକୃଷ୍ଟ କରିବାପାଇଁ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । ସେହି ପ୍ରକ୍ରିୟାରେ ସେ ବିଭିନ୍ନ ସେନା ଛାଉଣିରେ ହିନ୍ଦୁ ସିପାହୀମାନଙ୍କୁ ଭେଟୁଥିଲେ ଏବଂ ଝାନ୍‍ସୀର ରାଜ ପରିବାର ସହ ମଧ୍ୟ ସଂପର୍କ ରଖିଥିଲେ । ଏହି ଅବସରରେ ସେ ବିଦ୍ରୋହପାଇଁ ଏକ ରକମର ଯୋଗାଯୋଗର ସୂତ୍ର ପାଲଟିଥିଲେ ବୋଲି କୁହାଯାଏ । ଏମିତିରେ ବି ୧୮୫୭ ଗଣସଂଗ୍ରାମରେ ବିଦ୍ରୋହୀମାନଙ୍କ ମଧ୍ୟରେ ଯୋଗସୂତ୍ରକାରୀ ଭାବରେ ହିନ୍ଦୁ ଯୋଗୀ ସନ୍ନ୍ୟାସୀମାନଙ୍କର ବିଶେଷ ଭୂମିକା ରହିଥିବା କଥା ଲୋକଶ୍ରୁତିରେ ରହିଛି । ବିଦ୍ରୋହ ସମୟରେ ଚାଖି ଖୁଣ୍ଟିଆ ମୃତ୍ୟୁଦଣ୍ତ ପାଇଥିବାର ଏକ ଜନରବ ସୁଦ୍ଧା ପୁରୀରେ ହୋଇଥିଲା, ଯାହା ସତ ନ ଥିଲା । ବିଦ୍ରୋହ ଆରମ୍ଭ ହେବା ପରେ ସେନାଛାଉଣି ଛାଡ଼ିଥିବା ଅନେକ ସିପାହୀ ପୁରୀ ଜଗନ୍ନାଥ ଦର୍ଶନରେ ଆସିଥିବାର ପ୍ରମାଣ ମିଳେ । ତା' ପଛରେ ଚାଖି ଖୁଣ୍ଟିଆଙ୍କର ଭୂମିକାକୁ ସଂପୂର୍ଣ୍ଣ ନିରାଧାର ବୋଲି କୁହାଯାଇ ନପାରେ । ୧୮୫୮ ମାର୍ଚ୍ଚ ମାସରେ ପୁରୀର ମାଜିଷ୍ଟ୍ରେଟ୍‍ ଚାଖି ଖୁଣ୍ଟିଆଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଥିଲେ ଏବଂ ତାଙ୍କୁ ଗିରଫ କରିବାପାଇଁ ଉଦ୍ୟମ କରିଥିଲେ ।ସେତେବେଳେ ଚାଖି ଖୁଣ୍ଟିଆ ଗୟାରେ ଅବସ୍ଥାନ କରୁଥିଲେ । ୧୮୫୯ ଜୁଲାଇ୧୯୬ . ଓଡ଼ିଶା ଇତିହାସ