ପୃଷ୍ଠା:Odisha Itihasa.pdf/୧୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋହ୍ଲମାନଙ୍କର ସରକାର ବିରୁଦ୍ଧରେ ଅନେକ ଅଭିଯୋଗ ରହିଥିଲା । ଖଜଣା ପଇଠ କରିବାକୁ ସରକାର କଡ଼ାକଡ଼ି ନିୟମ ପାଳନ କରୁଥିଲେ । ନିର୍ଦ୍ଧାରିତ ସମୟରେ ଖଜଣା ଦେବାପାଇଁ କୋହ୍ଲ କୃଷକ, ହାଟୁଆ ବା ଦିକୁମାନଙ୍କ ପାଖରୁ ଅଧିକ ସୁଧରେ ଋଣ ନେବାକୁ ବାଧ୍ୟ ହେଉଥିଲେ । କାଳକ୍ରମେ ହାଟୁଆମାନେ ସୁଧ ମୂଳ ସହିତ ଋଣ ପରିଶୋଧ କରି ପାରୁ ନଥିବା କୋହ୍ଲର ଜମି ହସ୍ତଗତ କରି ନେଉଥିଲେ । ବଜାରରେ ଜିନିଷପତ୍ର ବିକାକିଣାରେ ମଧ୍ୟ ହାଟୁଆମାନେ ଦେଶଲୋକଙ୍କ ସରଳତାର ସୁଯୋଗ ନେଇ ଶୋଷଣ କରୁଥିଲେ । ସରକାରୀ କର୍ମଚାରୀ ଭାବରେ ମୁଖ୍ୟତଃ ହାଟୁଆମାନେ ରହିଥିଲେ । ଫଳରେ, ସରକାର ଲାଗୁ କରୁଥିବା ଜଟିଳ ଆଇନ କାନୁନ ଓ ହାଟୁଆମାନଙ୍କ ମଧ୍ୟରେ ଏକ ମେଣ୍ଟ ଥିବା 'ଦେଶଲୋକ' ନିଜ ସାଧାରଣ ବୁଦ୍ଧିରେ ଦେଖି ପାରୁଥିଲା ।

ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଜଙ୍ଗଲ ଓ ପୋଡୁଚାଷ ଉପରେ କଟକଣା ଲାଗୁହେଲା । କୋହ୍ଲମାନେ ଜଙ୍ଗଲ ଉପରେ ରହିଥିବା ସେମାନଙ୍କ ପାରମ୍ପରିକ ଅଧିକାର ହରାଇଲେ; ସେମାନଙ୍କ କୃଷି ମଧ୍ୟ ବାଧାପ୍ରାପ୍ତ ହେଲା । ଖଜଣା ଅସୁଲ କରିବାପାଇଁ ଆଗରୁ ସର୍ଦ୍ଦାର ଓ ସର୍ବରାକାରମାନେ ନିଯୁକ୍ତ ଥିଲେ । ପରବର୍ତ୍ତୀ ସମୟରେ କଡାକଡ଼ି ଭାବେ ଖଜଣା ଆଦାୟ ହେବାରୁ ଅନେକ ସର୍ଦ୍ଦାର ହୁଏତ ଖଜଣା ଅସୁଲ କରି ନପାରି ବରଖାସ୍ତ ହେଲେ । ମାଧବ ଦାସ ମହାପାତ୍ର ଥିଲେ ବାମନଘାଟିର ଏଭଳି ଜଣେ ଖଜଣା ଅସୁଲକାରୀ ସର୍ବରାକାର । ସେ କଡ଼ାକଡ଼ି ନିୟମ ଲାଗୁ ହେବା ପଛରେ ମୟୂରଭଞ୍ଜ ରାଜାଙ୍କ ଚକ୍ରାନ୍ତ ରହିଛି ବୋଲି କୋହ୍ଲମାନଙ୍କୁ ପ୍ରୋତ୍ସାହିତ କଲେ । ୧୮୩୧ ଏପ୍ରିଲ୍‍ ୧୦ ତାରିଖରେ ମାଧବ ଦାସଙ୍କ ନେତୃତ୍ୱରେ କୋହ୍ଲମାନେ ବାମନଘାଟିରେ ସରକାରୀ ଡାକ ଲୁଣ୍ଠନ କଲେ । କେତେକ ଡାକବାହକଙ୍କୁ ଅପହରଣ ଓ ହତ୍ୟା ମଧ୍ୟ କରାଯାଇଥିଲା । ଏହି ବିଦ୍ରୋହ ବେଳେ ମୟୂରଭଞ୍ଜ ରାଜା ଯଦୁନାଥ ଭଞ୍ଜ ସରକାରଙ୍କ ପକ୍ଷରୁ ମାଧବ ଦାସ ଓ ଅନ୍ୟ କେତେକ ବିଦ୍ରୋହୀଙ୍କୁ ବାମନଘାଟିରୁ ବହିଷ୍କାର କଲେ । ଅନେକ କୋହ୍ଲ ସରକାରୀ ଓ ରାଜଦମନର ଶିକାର ହେଲେ । ଏହା ପରେ ସିଦ୍ଧ ହୋଇଗଲା ଯେ, ରାଜା ହେଲେ ଇଂରେଜ ସରକାରଙ୍କ ପକ୍ଷଲୋକ । ତେଣୁ ଇଂରେଜ ବିରୁଦ୍ଧରେ ଉଦ୍ଦିଷ୍ଟ ଜନ ଅସନ୍ତୋଷ ରାଜାଙ୍କୁ ମଧ୍ୟ ଶତ୍ରୁ ମଣିଲା ।

୧୮୫୭ର ଗଣସଂଗ୍ରାମ ବେଳେ ପୋଡ଼ାହାଟର ରାଜା ଅର୍ଜୁନ ସିଂହ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି ବୋଲି ଇଂରେଜମାନେ ସନ୍ଦେହ କଲେ । ୧୮୫୭ ସେପ୍ଟେମ୍ବର ୨୩ ତାରିଖରେ ଅର୍ଜୁନ ସିଂହଙ୍କୁ ଗାଦିଚ୍ୟୁତ କରାଗଲା ଓ ପୋଡ଼ାହାଟକୁ ଖାସମାହାଲରେ ସାମିଲ୍‍ କରାଗଲା । ଏହା ପରେ ଅର୍ଜୁନ ସିଂହ ସ୍ଥାନୀୟ କୋହ୍ଲମାନଙ୍କ ସହଯୋଗରେ ୧୮୫୮ ଜାନୁଆରିରେ ବିଦ୍ରୋହ କଲେ ଏବଂ ତିିନିମାସ ପର୍ଯ୍ୟନ୍ତ ସିଂହଭୂମକୁ ଇଂରେଜ କବଳରୁ ପ୍ରାୟତଃ ମୁକ୍ତ କଲେ । ଏଥର ମଧ୍ୟ ମୟୂରଭଞ୍ଜ ରାଜା ଇଂରେଜମାନଙ୍କୁ ପୂର୍ଣ୍ଣ ସହଯୋଗ କଲେ ଏବଂ ପ୍ରତିବଦଳରେ 'ମହାରାଜା' ଉପାଧିରେ ଭୂଷିତ ହେଲେ । ଅର୍ଜୁନ ସିଂହଙ୍କୁ 'ମହାରାଜା' ଆତ୍ମସମର୍ପଣ କରିବାକୁ ମଧ୍ୟ ପ୍ରବର୍ତ୍ତାଇ ଥିଲେ । ଏହା ମୟୂରଭଞ୍ଜ ରାଜାଙ୍କ ଇଂରେଜ ସରକାର ସହ ମେଣ୍ଟକୁ ସିଦ୍ଧ କଲା ।{{right|ଓଡ଼ିଶା ଇତିହାସ . ୧୯୯