ପୃଷ୍ଠା:Odisha Itihasa.pdf/୨୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୬୬ରେ ନ'ଅଙ୍କ ଦୁର୍ଭିକ୍ଷର ପ୍ରକୋପ ମୟୂରଭଞ୍ଜ ଆଦିବାସୀମାନଙ୍କ ଉପରେ ମଧ୍ୟ ପଡ଼ିଲା । ନିରନ୍ତର ଆର୍ଥିକ ଶୋଷଣଯୋଗୁଁ ନିଃସ୍ୱ ହୋଇଯାଇଥିବା ଆଦିବାସୀ ଅନାବୃଷ୍ଟି ଫଳରେ ଅନାହାର ଓ ମହାମାରୀର ଶିକାର ହେଲେ । ବିଦ୍ରୋହର ପୂର୍ବ ପରମ୍ପରା ପ୍ରଥମେ ବାମନଘାଟିର କୋହ୍ଲମାନଙ୍କୁ ସଂଘର୍ଷ କରିବାକୁ ପ୍ରେରଣା ଯୋଗାଇଲା । ଖାଦ୍ୟାଭାବର ତାଡ଼ନାରେ ବାମନଘାଟି କୋହ୍ଲମାନେ ହାଟୁଆମାନଙ୍କର ଧନସମ୍ପତ୍ତି ଲୁଣ୍ଠନ କଲେ । ରାଜା ମଧ୍ୟ ସେମାନଙ୍କ ରୋଷର ଶିକାର ହେଲେ । ମଧ୍ୟସ୍ଥି ଭାବରେ ସିଂହଭୂମର ଡେପୁଟି କମିସନର ଆଦିବାସୀ ନେତାମାନଙ୍କୁ ଚତୁରତାର ସହ ବନ୍ଦି କଲେ ଏବଂ ବାମନଘାଟି ଉପରୁ ରାଜାଙ୍କ କର୍ତ୍ତୃତ୍ୱ ଲୋପ କରିଦିଆଗଲା । ଅର୍ଥାତ୍‍ ୧୮୬୬ରୁ ୧୮୬୮ ପର୍ଯ୍ୟନ୍ତ ବାମନଘାଟି ଇଂରେଜମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଲା । ଅନେକ ଅନ୍ୟାୟ କର (ଯାହା ରାଜା ଲାଗୁ କରିଥିଲେ) ତାକୁ ପ୍ରତ୍ୟାହାର କରି ନିଆଗଲା । ସ୍ୱଳ୍ପ ମିଆଦୀ ଭୂ-ବନ୍ଦୋବସ୍ତ ବଦଳରେ ଦଶବର୍ଷିଆ ବନ୍ଦୋବସ୍ତ ଲାଗୁ ହେଲା । ଆଦିବାସୀମାନଙ୍କୁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ଅଣ-ଆନୁଷ୍ଠାନିକ ଭାବରେ ଅନୁମତି ଦିଆଗଲା । ଅନ୍ୟ ପକ୍ଷରେ, ୧୮୬୮ ଏପ୍ରିଲ୍‍ ମାସରେ ଇଂରେଜ ଅନୁଗତ ମୟୂରଭଞ୍ଜ ମହାରାଜାଙ୍କ ହାତରେ ବିମାନଘାଟିକୁ ପୁନର୍ବାର ସମର୍ପଣ କରି ଦିଆଗଲା ।

କେନ୍ଦୁଝର ମେଳି, ୧୮୬୭-୬୮ ଓ ୧୮୯୧-୯୩ ଉତ୍ତର ଓଡ଼ିଶାରେ ମୟୂରଭଞ୍ଜକୁ ଲାଗି କେନ୍ଦୁଝର ଥିଲା ଏକ ବଡ଼ ଗଡ଼ଜାତ ରାଜ୍ୟ । ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ୧୮୦୪ରେ କମ୍ପାନୀ ସରକାରଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରି କେନ୍ଦୁଝର ରାଜା ଚୁକ୍ତି କରିଥିଲେ ଓ ପ୍ରତିବଦଳରେ ସାମନ୍ତ ପଦ ଲାଭ କରିଥିଲେ । ତାଙ୍କର ପ୍ରଜାମାନେ ମୁଖ୍ୟତଃ ଭୂୟାଁ ଓ ଜୁଆଙ୍ଗ ଆଦିବାସୀ ସଂପ୍ରଦାୟର । ସମତଳ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କପାଇଁ କୃଷି ମୁଖ୍ୟ ଜୀବିକା ଥିଲା । ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କୁ ପାହାଡ଼ିଆ ବୋଲି କୁହାଯାଉଥିଲା । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶିକାର ସେମାନଙ୍କର ପ୍ରମୁଖ ପେସା ଥିଲା । ୧୮୬୭-୬୮ ଓ ୧୮୯୧-୯୩ରେ କେନ୍ଦୁଝରରେ ଭୂୟାଁ ଆଦିବାସୀମାନଙ୍କର ବିଦ୍ରୋହ ଦେଖିବାକୁ ମିଳିଥିଲା । ବିଦ୍ରୋହୀମାନେ ରାଜପରିବାରକୁ ଲକ୍ଷ୍ୟ କରିଥିଲେ । ଇଂରେଜ ଶାସନଯୋଗୁଁ ଆଦିବାସୀ ଘୋର ଅସନ୍ତୁଷ୍ଟ ଥିଲେ । ସରକାରକୁ ରାଜା ସମର୍ଥ କରୁଥିବାରୁ ତାଙ୍କ ସ୍ଥାନରେ ନୂତନ ରାଜାଙ୍କୁ ଅଧିଷ୍ଠିତ କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ନୂତନ ରାଜାଙ୍କୁ ଅଧିଷ୍ଠିତ କରିପାରିଲେ ସୁଶାସନ ପ୍ରତିଷ୍ଠିତ ହୋଇ ପାରିବ ବୋଲି ସେମାନେ ବିଶ୍ୱାସ କରୁଥିଲେ ।

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନାଗପୁର-କଲିକତା ରାଜପଥକୁ ନିର୍ମାଣ କରାଗଲା । ମୟୂରଭଞ୍ଜ ଓ କେନ୍ଦୁଝର ରାଜ୍ୟ ଦେଇ ଏହି ରାସ୍ତା ଯାଇଥିଲା । ମୟୂରଭଞ୍ଜ-କେନ୍ଦୁଝର ଅଞ୍ଚଳରେ ଏହା ଜେକ୍‍ସନ ରୋଡ୍‍ ନାମରେ ପରିଚିତ ଥିଲା । ଜେକ୍‍ସନ ଥିଲେ ଜଣେ ପଦସ୍ଥ ଇଂରେଜ ଅଧିକାରୀ । ରାସ୍ତା ନିର୍ମାଣନିମନ୍ତେ ସେ ବିନା ପାଉଣାରେ ଭୂୟାଁ ଓ ଜୁଆଙ୍ଗ ଆଦିବାସୀମାନଙ୍କୁ୨୦୦ . ଓଡ଼ିଶା ଇତିହାସ