ପୃଷ୍ଠା:Odisha Itihasa.pdf/୨୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟବହାର କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ତାଙ୍କୁ ରାଜାଙ୍କ ସହଯୋଗର ଆବଶ୍ୟକତା ପଡ଼ିଲା । କାରଣ ପାରମ୍ପରିକ ରୀତି ଅନୁଯାୟୀ ଆଦିବାସୀ ବିନା ପାଉଣାରେ ରାଜାଙ୍କପାଇଁ ବେଠି ଖଟିବ । ୧୮୩୭ରେ କେନ୍ଦୁଝର ରାଜା ରାସ୍ତା ନିର୍ମାଣରେ ପ୍ରଜାଙ୍କ ଖଟିବା ପ୍ରସ୍ତାବକୁ ବିରୋଧ କରିଥିଲେ । ଏହା ପୂର୍ବରୁ ୧୮୨୧ରେ କୋହ୍ଲ ବିଦ୍ରୋହର ଦମନପାଇଁ ଯେତେବେଳେ ଇଂରେଜ ସେନା ଚାଳନା ହେଲା, ତହିଁରେ ପ୍ରତିବନ୍ଧକ ସୃଷ୍ଟି କରି ରାଜା କୋହ୍ଲମାନଙ୍କ ପ୍ରତି ତାଙ୍କ ପରୋକ୍ଷ ସମର୍ଥନକୁ ସୁସ୍ପଷ୍ଟ କରିଥିଲେ । ଇଂରେଜ ଅମଳରେ ନିଜ କ୍ଷମତା ହରାଇଥିବାଯୋଗୁଁ ରାଜା ପ୍ରତିଶୋଧ ପରାୟଣ ହୋଇ ଏସବୁ କରୁଥିଲେ । ୧୮୩୯ ପରେ ରାଜା ଓ ଆଦିବାସୀଙ୍କ ମଧ୍ୟରେ ଆଉ ଆପୋଷ ସହଯୋଗ ରହିଲା ନାହଁ । ନୂତନ ରାଜା ଗଦାଧର ଭଞ୍ଜ ସରକାରଙ୍କ ପକ୍ଷ ହେଲେ ଏବଂ ରାସ୍ତା ନିର୍ମାଣ ଆଦି କାର୍ଯ୍ୟରେ ସରକାରଙ୍କୁ ସମର୍ଥନ ଦେଲେ । ୧୮୫୭ରେ ସେ ପୋଡ଼ାହାଟର ରାଜା ଓ ବିଦ୍ରୋହୀ ଅର୍ଜୁନ ସିଂହଙ୍କ ବିରୁଦ୍ଧରେ ସରକାରକୁ ସହଯୋଗ ମଧ୍ୟ କଲେ । ଏଥିପାଇଁ ତାଙ୍କୁ ମହାରାଜା ଉପାଧି ମିଳିଥିଲା । ଫଳତଃ ଅତ୍ୟାଚାରୀ ଔପନିବେଶିକ ଶାସନର ପ୍ରତୀକ ରୂପେ ଆଦିବାସୀମାନେ ରାଜାଙ୍କୁ ସନ୍ଦେହ କରିବା ଆରମ୍ଭ କଲେ । ଅନ୍ୟ ଶବ୍ଦରେ କହିଲେ, ଇଂରେଜ ସମର୍ଥିତ ରାଜାଙ୍କ ବଦଳରେ ଏକ ନୂତନ ରାଜାପାଇଁ ସେମାନେ ସକ୍ରିୟ ହେଲେ ।

ମାର୍ଚ୍ଚ ୧୮୬୭ରେ କେନ୍ଦୁଝର 'ମହାରାଜା' ଗଦାଧର ଭଞ୍ଜଙ୍କ ମୃତ୍ୟୁ ହେଲା । ତାଙ୍କ ଉତ୍ତରାଧିକାରୀକୁ ନେଇ ତାଙ୍କ ପୁତ୍ର (ରକ୍ଷିତା ବା ଫୁଲ ବିବାହୀ ରାଣୀଙ୍କ ପୁତ୍ର) ଧନୁର୍ଜୟ ନାରାୟଣ ଭଞ୍ଜ ଓ ପୋଷ୍ୟପୁତ୍ର ବୃନ୍ଦାବନ ଚନ୍ଦ୍ର ଭଞ୍ଜଙ୍କ ମଧ୍ୟରେ କଳହ ଉପୁଜିଲା । ଇଂରେଜ ସରକାର ଧନୁର୍ଜୟ ନାରାୟଣଙ୍କୁ ରାଜଗାଦି ଦେଲେ । ଫଳତଃ ଆଦିବାସୀ ଭୂୟାଁମାନେ ବୃନ୍ଦାବନ ଚନ୍ଦ୍ରଙ୍କୁ ସମର୍ଥନ ଦେଲେ । ଗଦାଧର ଭଞ୍ଜଙ୍କ ମହାରାଣୀ ମଧ୍ୟ ବୃନ୍ଦାବନ ଚନ୍ଦ୍ରଙ୍କୁ ସମର୍ଥନ କରୁଥିଲେ । ଅର୍ଥାତ୍‍ ବିଧବା ମହାରାଣୀଙ୍କୁ ରକ୍ଷା ବଳୟ ଭାବରେ ବ୍ୟବହାର କରି ଭୂୟାଁମାନେ ଇଂରେଜ ସମର୍ଥନ ରେ ରାଜଗାଦି ପ୍ରାପ୍ତ କରିଥିବା ଧନୁର୍ଜୟଙ୍କୁ ବିରୋଧ କଲେ ।

କେନ୍ଦୁଝର ଆଦିବାସୀ ପ୍ରାକ୍‍-ଇଂରେଜ କାଳରେ ପ୍ରଜା ଭାବରେ ସମ୍ମାନ ପାଉଥିଲା ଏବଂ ଖଜଣାକୁ ଦ୍ରବ୍ୟ ଆକାରରେ ରାଜାଙ୍କୁ ପ୍ରଦାନ କରୁଥିଲା । ଟଙ୍କା ଆକାରରେ ଆଦିବାସୀ ଖଜଣା ଦେଉ ନଥିଲା । ଏକ ଗ୍ରାମୀଣ ସଂସ୍କୃତିରେ ଟଙ୍କା ଆକାରରେ ଖଜଣା ନ ମିଳିବା ସତ୍ତ୍ୱେ ରାଜା ବିଶେଷ ଅସୁବିଧାର ସମ୍ମୁଖୀନ ହେଉ ନଥିଲେ । ଖଜଣା ଯାହା ମୁଖ୍ୟତଃ ବେଠି, ବେଗାରି, ରସଦ ଆଦି ରୂପରେ ରହିଥିଲା, ତାକୁ ସର୍ଦ୍ଦାରମାନେ ସଂଗ୍ରହ କରୁଥିଲେ । ସର୍ଦ୍ଦାର ଖଜଣା ସଂଗ୍ରହ ବେଳେ ଅଯଥା ଉତ୍ପୀଡ଼ନ କଲେ ଆଦିବାସୀମାନେ ରାଜାଙ୍କ ପାଖରେ ଫେରାଦ ହେଉଥିଲେ । କେତେକ କ୍ଷେତ୍ରରେ ରାଜା ସର୍ଦ୍ଦାରମାନଙ୍କୁ ବଦଳି କରି ଆଦିବାସୀ ପ୍ରଜାଙ୍କ ପ୍ରତି ନିଜ ଆନୁଗତ୍ୟ ପ୍ରଦର୍ଶନ କରୁଥିଲେ । ଇଂରେଜ ଶାସନରେ ସର୍ଦ୍ଦାରମାନଙ୍କ ଯଥେଚ୍ଛାଚାର ବୃଦ୍ଧି ପାଇଲା । କାରଣ ଖଜଣା ଅସୁଲକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଗଲା । ସିକ୍କା ଟଙ୍କାର ପ୍ରଚଳନ ପରେ ଆଦିବାସୀକୁ ଦ୍ରବ୍ୟ ଆକାରରେ ଆଉ ଖଜଣା ଦେବା{{right|ଓଡ଼ିଶା ଇତିହାସ . ୨୦୧