ପୃଷ୍ଠା:Odisha Itihasa.pdf/୨୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହଙ୍ଗା ପଡ଼ିଲା । ପୁଣି ନାନା ଉନ୍ନତିମୂଳକ କାର୍ଯ୍ୟ (ଯଥା: ରାଜପଥ ନିର୍ମାଣ)କୁ ବେଠି, ବେଗାରି ଆଦି ସାହାଯ୍ୟରେ ତ୍ୱରାନ୍ୱିତ କରାଗଲା । ଏହା ଭୂୟାଁ କୃଷକକୁ ଅଧିକ ନିଃସ୍ୱ କରିଦେଲା ତଥା ତା'ର କୃଷିକୁ ନଷ୍ଟ କଲା । କୃଷି ପାଇଁ ସେ ଆବଶ୍ୟକତା ମତେ ସମୟ ଦେଇ ପାରିଲା ନାହିଁ । ୧୮୬୭ ସେପ୍ଟେମ୍ବର ମାସରେ ରାଣୀ ଓ ତାଙ୍କ ସହଯୋଗୀ ଆଦିବାସୀମାନେ ଧନୁର୍ଜୟ ନାରାୟଣ ଦେବଙ୍କ ରାଜପଦ ପ୍ରାପ୍ତିକୁ ଦୃଢ଼ ବିରୋଧ କଲେ । ମାତ୍ର ଷଢେଇକଳା ରାଜାଙ୍କ ହସ୍ତକ୍ଷେପ ଫଳରେ ରାଣୀ ଧନୁର୍ଜୟ ନାରାୟଣଙ୍କୁ କେବଳ ସ୍ୱୀକାର କଲେ ନାହିଁ, ତା'ସହିତ ସରକାରଙ୍କ ପାଖରୁ ବାର୍ଷିକ ଭତ୍ତା ନେବାକୁ ମଧ୍ୟ ସମ୍ମତି ଦେଲେ । ଏହା ପରେ ଆଦିବାସୀମାନେ ରତନା ନାଏକଙ୍କ ନେତୃତ୍ୱରେ ୧୮୬୮ ଏପ୍ରିଲ୍‍ ମାସରେ ମେଳି ଆରମ୍ଭ କଲେ ।

ମେଳିରେ ମୁଖ୍ୟତଃ ଭୂୟାଁ ଆଦିବାସୀ ଭାଗ ନେଇଥିଲେ । ସେମାନଙ୍କର ମୁଖ୍ୟ ଦାବି ଥିଲା, ବୃନ୍ଦାବନ ଚନ୍ଦ୍ର ଭଞ୍ଜଙ୍କ ରାଜପଦ । ଏଥିପାଇଁ ପ୍ରଥମେ ସେମାନେ ଗଡ଼ଜାତ ମହଲର ଅଧ୍ୟକ୍ଷ ଓ ବଡ଼ଲାଟଙ୍କ ପାଖକୁ ଦାବିପତ୍ର ପଠାଇଥିଲେ । ଇଂରେଜ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେମାନେ କେନ୍ଦୁଝରଗଡ଼ର ପୋଲିସ ଅସ୍ତ୍ରାଗାର ଲୁଣ୍ଠନ କରିଥିଲେ ଏବଂ ପ୍ରାୟ ଶହେ ଜଣ ରାଜ ଅନୁଚରଙ୍କୁ ବନ୍ଦି କରିଥିଲେ । ମନ୍ତ୍ରୀ ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସେମାନେ ହତ୍ୟା ମଧ୍ୟ କରିଥିଲେ । ଏହା ବ୍ୟତୀତ ସରକାରୀ ଡାକକୁ ଲୁଣ୍ଠନ କରିଥିଲେ । କଟକ ଓ ଚାଇଁବାସା ରାସ୍ତାକୁ ଅବରୋଧ କରିବା ସହିତ ଇଂରେଜ ଅଫିସର କ୍ୟାପ୍‍ଟେନ୍‍ ରିଚ୍‍ଙ୍କ ଉପରେ ଆକ୍ରମଣ କରିଥିଲେ । ଏପ୍ରିଲ୍‍ରୁ ଜୁଲାଇ (୧୮୬୮) ମଧ୍ୟରେ ପ୍ରାୟ ସାଢେ ତିିନି ମାସ ଧରି ମେଳି ବଣ ନିଆଁ ପରି ବ୍ୟାପିଗଲା ।

ଅଗଷ୍ଟ ଆରମ୍ଭରେ ପଚିଶ ଜଣ ଭୂୟାଁ ନେତା ଓ କେତେକ ଜୁଆଙ୍ଗ ନେତା ଆତ୍ମ ସମର୍ପଣ କଲେ । ଅଗଷ୍ଟ ୧୫ରେ ପ୍ରମୁଖ ନେତା ରତନା ନାଏକ ଓ ନନ୍ଦ ନାଏକ ଗିରଫ ହେଲେ । ଅଗଷ୍ଟ ଶେଷ ସୁଦ୍ଧା ମେଳି ପୂର୍ଣ୍ଣ ରୂପରେ ଅବଦମିତ ହେଲା । ବିଦ୍ରୋହ ଦମନ ହେଲା ପରେ ମୋଟ ୧୮୩ ଜଣ ଆଦିବାସୀଙ୍କର ବିଚାର ଚାଲିଲା । ବିଚାର ପରେ ରତନା ନାଏକ ଓ ତାଙ୍କର ଛଅ ଜଣ ମୁଖ୍ୟ ସହଯୋଗୀ (ଦାଶରଥି କୁଅଁର, ବୈକୁଣ୍ଠ କୋଲ, ପଦୁ ନାଏକ, ଟୁନି ପ୍ରଧାନ, ମାର୍ଗଶିର କୋଲ ଓ ବୈରାଗୀ କୋଲ) ଫାଶୀ ଦଣ୍ତ ପାଇଲେ । ୧୮୬୮ ନଭେମ୍ବର ୩୦ ତାରିଖରେ ରତନା ନାଏକଙ୍କୁ ଫାଶୀ ଦିଆଗଲା । ଅନ୍ୟ ୨୭ ଜଣଙ୍କୁ ନିର୍ବାସନ ଦଣ୍ତ ଦିଆଗଲା । ବାକିମାନଙ୍କୁ ମଧ୍ୟ ଦଣ୍ତ ବିଧାନ କରାଗଲା ।

୧୮୬୮ର କେନ୍ଦୁଝର ମେଳିର ପତନ ପଛରେ ଯେ ସରକାରୀ ଦମନ ମୁଖ୍ୟ କାରଣ ଥିଲା ଏଥିରେ ସନ୍ଦେହ ନାହିଁ । ଦମନପାଇଁ ସରକାର ରାଞ୍ଚିରୁ ୨୦୦୦ ସୈନ୍ୟ ସମ୍ମିଳିତ ଏକ ସେନାବାହିୀକୁ ଅନେକ ଦିନ ଯାଏ କେନ୍ଦୁଝରରେ ଅବସ୍ଥାପିତ କରିଥିଲେ । କେତେକ ଇଂରେଜ ଅଫିସର ମଧ୍ୟ ଏଥିପାଇଁ ଦୀର୍ଘ ଦିନ ଧରି କେନ୍ଦୁଝରରେ ମୁତୟନ ହୋଇଥିଲେ । ମେଳିର ପତନପାଇଁ କେତେକ ସ୍ଥାନୀୟ କାରଣକୁ ମଧ୍ୟ ସମପରିମାଣରେ ଦାୟୀ କରାଯାଇପାରିବ ।୨୦୨ . ଓଡ଼ିଶା ଇତିହାସ