ପୃଷ୍ଠା:Odisha Itihasa.pdf/୨୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୃନ୍ଦାବନ ଚନ୍ଦ୍ରଙ୍କୁ ରାଜପଦ ଦେବାପାଇଁ ବିଦ୍ରୋହୀମାନେ ଦାବି କରୁଥିଲେ । ଏହା ପଛରେ ମୟୂରଭଞ୍ଜ ରାଜାଙ୍କର ଗୁପ୍ତ ସହଯୋଗ ଥିଲା । କାରଣ ବୃନ୍ଦାବନ ଥିଲେ ମୟୂରଭଞ୍ଜ ରାଜାଙ୍କର ଭାଇ । ପୋଷ୍ୟପୁତ୍ର ହୋଇ ସେ କେନ୍ଦୁଝର ଯାଇଥିଲେ । ୧୮୬୮ରେ ଇଂରେଜମାନଙ୍କ ତାଗିଦରେ ମୟୂରଭଞ୍ଜ ରାଜା ମେଳିକୁ ସହଯୋଗ ଦେବା ବନ୍ଦ କଲେ । ପୁଣି ବୃନ୍ଦାବନ ଚନ୍ଦ୍ରଙ୍କୁ ଗିରଫ କରି ବାଲେଶ୍ୱର ଜେଲରେ ରଖାଗଲା । ଏହା ଆଦିବାସୀମାନଙ୍କୁ ହତାଶ କଲା, କାରଣ ବିଦ୍ରୋହ ସଫଳ ହେଲା ପରେ ସେମାନେ ରାଜା ପଦରେ ଅଧିଷ୍ଠିତ କରିବେ କାହାକୁ ? ପ୍ରକୃତରେ ଦେଖିଲେ, ଇଂରେଜ ଶାସନର ଜଟିଳତାକୁ ବୁଝିବାଲାଗି କେନ୍ଦୁଝର ଆଦିବାସୀଙ୍କର ସାମର୍ଥ୍ୟ ନଥିଲା । ଏଥିପାଇଁ ରାଜ ପରିବାରର ଜଣକର ସେମାନେ ସାହାଯ୍ୟ ଲୋଡ଼ୁଥିଲେ । ମୟୂରଭଞ୍ଜର ଗୁପ୍ତ ସମର୍ଥନ ପ୍ରତ୍ୟାହାର ତଥା ବୃନ୍ଦାବନ ଚନ୍ଦ୍ର ବନ୍ଦି ହେବା ପରେ ସେମାନେ ଅଗଷ୍ଟ (୧୮୬୮)ରେ ଆତ୍ମ ସମର୍ପଣ କରିବା ଆରମ୍ଭ କଲେ । ଫଳରେ ମେଳିର ପତନ ହେଲା । ୧୮୯୧-୯୩ରେ କେନ୍ଦୁଝରରେ ପୁ'ଣି ଥରେ ଆଦିବାସୀ ବିଦ୍ରୋହ ହେଲା । ଧରଣୀ ନାଏକ ଏହାର ନେତୃତ୍ୱ ନେଇଥିଲେ । ଭୂୟାଁ ବ୍ୟତୀତ କୋହ୍ଲ ଓ ଜୁଆଙ୍ଗ ଆଦିବାସୀ ମଧ୍ୟ ଏଥିରେ ଅନେକ ସଂଖ୍ୟାରେ ଭାଗ ନେଇଥିଲେ । ବିନା ପାରିଶ୍ରମିକରେ ଆଦିବାସୀମାନଙ୍କୁ କାମ କରିବାକୁ ରାଜା ବାଧ୍ୟ କରିବାରୁ ଏହି ବିଦ୍ରୋହର ସୂତ୍ରପାତ ହୋଇଥିଲା ।

ରାଜାଙ୍କପାଇଁ ବେଠି, ବେଗାରି ଖଟିବା ଓ ଆବଶ୍ୟକ ବେଳେ ରାଜକର୍ମଚାରୀଙ୍କପାଇଁ ରସଦ ଯୋଗାଇବା ଥିଲା ଆଦିବାସୀବହୁଳ ଅଞ୍ଚଳର ଏକ ପୁରୁଣା ପରଂପରା । ରାଜାଙ୍କ ଆନୁଗତ୍ୟ ସ୍ୱୀକାର କରି ତଥା ରାଜାଙ୍କଠାରୁ ସୁରକ୍ଷା ପାଉଥିବା କାରଣରୁ ଆଦିବାସୀମାନେ ଟଙ୍କା ଆକାରରେ ଖଜଣା ବା କର ନଦେଇ ଶ୍ରମ ଓ ସାମଗ୍ରୀ ଆକାରରେ କିଛି ଦେୟ ଦେଉଥିଲେ । ଯାହାକୁ ବେଠି, ବେଗାରି ଓ ରସଦ ରୂପରେ ରାଜା ଗ୍ରହଣ କରୁଥିଲେ । ଏହି ଆଧାରରେ ରାଜ୍ୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଉଥିଲା ତଥା ରାଜା ଓ ରାଜକର୍ମଚାରୀଙ୍କ ଆବଶ୍ୟକତା ପୂରଣ ହେଉଥିଲା । ମାତ୍ର ଇଂରେଜ ଶାସନରେ ଏହି ଆବଶ୍ୟକତା ଅନେକ ମାତ୍ରାରେ ବୃଦ୍ଧିପାଇଲା । ତାକୁ ପୂରଣ କରିବାକୁ ଯାଇ ଆଦିବାସୀମାନେ କ୍ଷତିଗ୍ରସ୍ତ ହେଲେ । ସେମାନଙ୍କ ନିଜ କାର୍ଯ୍ୟ ବାଧାପ୍ରାପ୍ତ ହେଲା । ଉଦାହରଣ ସ୍ୱରୂପ, ରଥଯାତ୍ରାପାଇଁ କାଠ ଓ ଦଉଡ଼ି ଯୋଗାଇବା, ଗସ୍ତରେ ଆସିଥିବା କର୍ମଚାରୀଙ୍କପାଇଁ ରସଦ ଯୋଗାଇବା, ରାଜାଙ୍କ ଶିକାର ଓ ପରିଦର୍ଶନ ସମୟରେ ଆସବାବପତ୍ର ବୋହିବା, ପ୍ରସ୍ତୁତି କରିବା, ରାଜ ଉଆସ ମରାମତି କରିବା, ଶସ୍ୟ ଅମଳ ପରେ ରାଜାଙ୍କୁ ଭେଟି ବା ଉପହାର ଦେବା ପରମ୍ପରାର ଅଂଶ ଥିଲା । ଇଂରେଜ ଆଗମନ ପୂର୍ବରୁ ଏସବୁ କାର୍ଯ୍ୟର ମାତ୍ରା ସୀମିତ ଥିଲା । ଫଳରେ ବେଠି, ବେଗାରି ଖଟିବା ସତ୍ତ୍ୱେ ଭୂୟାଁ ଆଦିବାସୀର କୃଷିକାର୍ଯ୍ୟ ଖୁବ୍‍ ଅଧିକ ପରିମାଣରେ ବ୍ୟାହତ ହେଉ ନଥିଲା । ଅନ୍ୟପକ୍ଷରେ, ୧୮୯୧ରେ କେନ୍ଦୁଝରରେ ମାଛକାନ୍ଦଣା ଜଳସେଚନ ପ୍ରକଳ୍ପ ଆରମ୍ଭ ହେଲା, ଯାହାପାଇଁ ଆଦିବାସୀମାନଙ୍କୁ ବେଠି ଖଟିବାକୁ ରାଜା ଓ ତାଙ୍କ ପ୍ରତିିନିଧି ଆସିଷ୍ଟାଣ୍ଟ ମେନେଜର ବିଚିତ୍ରାନନ୍ଦ ଦାସ ବାଧ୍ୟ କଲେ । ବେଠି ଖଟିବା ବେଳେ ଆଦିବାସୀକୁ ନିଜ ଖାଦ୍ୟ ପ୍ରସ୍ତୁତ କରିବାକୁ ମଧ୍ୟ ସମୟ ଦିଆଯାଉ ନଥିଲା । ଯେତେବେଳେ ଭୂୟାଁ ଆଦିବାସୀମାନେ ଅନୁଭବ{{right|ଓଡ଼ିଶା ଇତିହାସ . ୨୦୩