ପୃଷ୍ଠା:Odisha Itihasa.pdf/୨୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୦୩ରେ ଅନ୍ୟ ରାଜ୍ୟଗୁଡ଼ିକ ପରି ନୟାଗଡ଼ ମଧ୍ୟ ଇଂରେଜ ସରକାରଙ୍କ ଅନୁଗତ ରହିବ ବୋଲି ସନ୍ଧି ସ୍ୱାକ୍ଷରିତ ହୋଇଥିଲା । ଏହା ପରେ ନିୟମିତ ବର୍ଦ୍ଧିତ ହାରରେ ରାଜସ୍ୱ ଜମା ପ୍ରସଙ୍ଗକୁ ନେଇ ତଥା ରାଜ୍ୟରେ ଅଯଥା ଇଂରେଜ ହସ୍ତକ୍ଷେପକୁ ନେଇ ରାଜା ସରକାରର ବିରୋଧ କରିବା ଆରମ୍ଭ କଲେ । ୧୮୧୫ରେ ନୟାଗଡ଼ରେ ପୋଲିସ୍‍ ଥାନା ସ୍ଥାପନକୁ ସେ ତୀବ୍ର ବିରୋଧ କରିଥିଲେ ଏବଂ ବକ୍ସି ଜଗବନ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ଗୁପ୍ତରେ ଆଶ୍ରୟ ଦେଇଥିଲେ । ଅନ୍ୟପକ୍ଷରେ; ୧୮୫୧, ୧୮୫୭ ଓ ୧୮୬୯ରେ ଭୂ-ବନ୍ଦୋବସ୍ତ ଯୋଗୁଁ ରାଜସ୍ୱ ବୃଦ୍ଧି ପାଇଲା । ପୂର୍ବରୁ ନିଷ୍କର ଥିବା ବ୍ରହ୍ମୋତ୍ତର, ଦେବୋତ୍ତର ଓ ଜାଗିର ସମ୍ପତ୍ତି ଉପରେ କର ବସିବାରୁ ରାଜ୍ୟର ଅପେକ୍ଷାକୃତ ସ୍ୱଚ୍ଛଳବର୍ଗ ମଧ୍ୟ ଅସନ୍ତୁଷ୍ଟ ହେଲେ । ବର୍ଦ୍ଧିତ ରାଜସ୍ୱ ଦାବି ପୂରଣପାଇଁ ରାଜା ଲଙ୍ଗଳ, ଘର ଆଦି ଉପରେ ମଧ୍ୟ କର ଧାର୍ଯ୍ୟ କଲେ । ଏସବୁ ସତ୍ତ୍ୱେ ତାଙ୍କୁ ନିର୍ଦ୍ଧାରିତ ସମୟରେ ରାଜସ୍ୱ ଜମା କରିବା ସକାଶେ ବାରମ୍ବାର ମହାଜନମାନଙ୍କଠାରୁ ଋଣ ନେବାକୁ ପଡ଼ୁଥିଲା । ୧୮୯୭ରେ ସରକାର ରାଜାଙ୍କ ପାଖରୁ ନିଜ ହାତକୁ ଶାସନ ଦାୟିତ୍ୱ ନେବା ବେଳକୁ ରାଜ୍ୟର ଋଣଭାର ପ୍ରାୟ ୮୦,୦୦୦ଟଙ୍କା ଥିଲା ।

୧୮୪୩ରେ ଏବଂ ପରେ ୧୮୪୯ରେ ନୟାଗଡ଼ ପ୍ରଜା ରାଜାଙ୍କ ବିରୋଧରେ କଟକ କମିଶନର ଓ ବଙ୍ଗର ଲାଟଙ୍କ ପାଖରେ ଅଭିଯୋଗ କରିଥିଲେ । ପ୍ରଜାଙ୍କ ନେତୃତ୍ୱ ନେଇଥିଲେ ଭଗୀରଥ ମଙ୍ଗରାଜ, କମଳଲୋଚନ ପାଇକରାୟ ଓ ହରି ଗଜେନ୍ଦ୍ର ସିଂହ । ଏହି ନେତାମାନେ ଥିଲେ ଅପେକ୍ଷାକୃତ ସ୍ୱଚ୍ଛଳ ଜମିମାଲିକ । ସେମାନେ ନୂତନ ବ୍ୟବସ୍ଥାରେ ନିଜ ନିଷ୍କର ଜମିରେ କର ଲାଗୁ ହେବା ନିୟମକୁ ବିରୋଧ କରୁଥିଲେ । ସ୍ଥାନୀୟ କନ୍ଧ ଓ ଅନ୍ୟ ଆଦିବାସୀ ତଥା ସାଧାରଣ ଅଣ-ଆଦିବାସୀ ପ୍ରଜା ମାତ୍ରାଧିକ ଭାବେ ରାଜଉତ୍ପୀଡ଼ନର ଶିକାର ହେଉଥିବାରୁ ଏମାନଙ୍କର ନେତୃତ୍ୱକୁ ଗ୍ରହଣ କରି ନେଇଥିଲେ ।

୧୮୯୩ରେ ଦେବାନ କ୍ଷେତ୍ରିବର ସିଂହଙ୍କୁ ରାଜା ପଦଚ୍ୟୁତ କଲେ । କ୍ଷେତ୍ରିବର ମେଳିଆମାନଙ୍କୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ରହିଥିଲା । ଏହା ପରେ ୧୮୯୩ ଏପ୍ରିଲ୍‍ ମାସରୁ ରୟତମାନେ ଖଜଣା ବନ୍ଦ କଲେ । ମେଳି ତୀବ୍ର ରୂପ ଧାରଣ କଲା । କନ୍ଧମାନେ ଥାନା ଲୁଣ୍ଠନ କଲେ ଓ ରାଜାଙ୍କ ମ୍ୟାନେଜର ଦର୍ପ ନାରାୟଣ ଦାସ ତଥା ଅନ୍ୟ ରାଜାନୁଗତମାନଙ୍କ ଉପରେ ଆକ୍ରମଣ କଲେ । ୧୮୯୪ ଜାନୁଆରିରେ ବିଦ୍ରୋହ ଦମନପାଇଁ ଗଡ଼ଜାତ ମହଲ ଅଧ୍ୟକ୍ଷ ଅତିରିକ୍ତ ପୋଲିସ୍‍ ବାହିନୀ ନେଇ ନୟାଗଡ଼ରେ ପହଞ୍ଚିଲେ । କ୍ଷେତ୍ରିବର ସିଂହଙ୍କୁ ବନ୍ଦୀ କଲେ । ଏହା ପରେ ଅର୍ଜୁନ ପାଇକରାୟ ବିଦ୍ରୋହର ନେତୃତ୍ୱ ନେଲେ । ୧୮୯୪ ନଭେମ୍ବରରେ ନୟାଗଡ଼ର ଅଭ୍ୟନ୍ତରରେ କନ୍ଧମେଳି ବ୍ୟାପକ ହେବାରୁ ଚାରିଜଣ ଇଂରେଜ ଅଫିସର ପ୍ରାୟ ୩୦୦ ସୈନ୍ୟଙ୍କୁ ନେଇ ବିଦ୍ରୋହ ଦମନପାଇଁ ଅଭିଯାନ ଆରମ୍ଭ କଲେ । ୧୮୯୫ ଜାନୁଆରିରେ ଅର୍ଜୁନ ପାଇକରାୟ ଧରାପଡ଼ିଲେ । କନ୍ଧମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଲା । ଅନେକ ବିଦ୍ରୋହୀ ବନ୍ଦି ହେଲେ । ବିଦ୍ରୋହ ଦମନ ପରେ ୧୬ ଜଣ ବିଦ୍ରୋହୀ ନେତାଙ୍କୁ ଫାଶୀଦଣ୍ତ ଦିଆଗଲା; କ୍ଷେତ୍ରିବର ସିଂହଙ୍କୁ ନିର୍ବାସନ ଦଣ୍ତ ମିଳିଲା । ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେଲା ।{{right|ଓଡ଼ିଶା ଇତିହାସ . ୨୦୫