ପୃଷ୍ଠା:Odisha Itihasa.pdf/୨୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନୟାଗଡ଼ ବିଦ୍ରୋହକୁ ପଡେ଼ାଶୀ ଖଣ୍ତାପଡ଼ା ରାଜ୍ୟରୁ ସହାୟତା ମିଳିଥିବା ଅଭିଯୋଗରେ ବିଦ୍ରୋହ ଦମନରେ ବ୍ୟୟ ହୋଇଥିବା ସମସ୍ତ ଖର୍ଚ୍ଚ ସରକାର ଖଣ୍ତାପଡ଼ା ରାଜାଙ୍କଠାରୁ ଆଦାୟ କଲେ । ବିଦ୍ରୋହ ଦମନ ପରେ ନୟାଗଡ଼ ରାଜା ରଘୁନାଥ ସିଂହଙ୍କର ମୃତ୍ୟୁ ହେଲା । ଯୁବରାଜ ନାବାଳକ ଥିବାରୁ ରାଜ୍ୟର ଶାସନଭାର ସରକାର ନିଜ ହାତକୁ ନେଲେ ।

ରଣପୁର ବିଦ୍ରୋହ, ୧୮୯୩ ନୟାଗଡ଼ ବିଦ୍ରୋହର ପ୍ରଭାବ ପଡେ଼ାଶୀ ରଣପୁର ଗଡ଼ଜାତରେ ପଡ଼ିଥିଲା । ରଣପୁରରେ ରାଜା ଥିଲେ ବେଣୁଧର ନରେନ୍ଦ୍ର ମହାପାତ୍ର । ରାଜାଙ୍କ ବଦଳରେ ଦେବାନଙ୍କ ବିରୁଦ୍ଧରେ ବିଦ୍ରୋହ ଉଦ୍ଦିଷ୍ଟ ଥିଲା । ରଣପୁର ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ପରେ ସେଠାରେ ସ୍ୱଳ୍ପମିଆଦୀ ବନ୍ଦୋବସ୍ତଯୋଗୁଁ ପ୍ରତିବର୍ଷ ପ୍ରଜାଙ୍କ ଉପରେ କର ଭାର ବୃଦ୍ଧି ପାଉଥିଲା । ପୁଣି ରାଜା ଟଙ୍କା ଆକାରରେ କର ଆଦାୟ କରିବାଦ୍ୱାରା ଜନ ଅସନ୍ତୋଷ ବୃଦ୍ଧି ପାଇଲା । କାରଣ ବଜାରରେ ଆବଶ୍ୟକ ମତେ ରୌପ୍ୟ ମୁଦ୍ରା ମିଳୁ ନଥିଲା । ପ୍ରଜା ନିଜ ଉତ୍ପାଦିତ ଶସ୍ୟକୁ ବିକି ରୌପ୍ୟ ଟଙ୍କା ସଂଗ୍ରହ କଲାବେଳେ କ୍ଷତିର ସମ୍ମୁଖୀନ ହେଉଥିଲେ । ନୂଆ କରି ଏହି ବ୍ୟବସ୍ଥା ପ୍ରଚଳନ ହୋଇଥିଲା । ପୂର୍ବରୁ ପ୍ରଜା ଶସ୍ୟ ଆକାରରେ କର ଜମା କରୁଥିଲେ । ଅଧିକ କରଭାର; ନିର୍ଦ୍ଦିଷ୍ଟ ସମୟରେ ଖଜଣା ପଇଠ; ପୁଣି ଟଙ୍କା ଆକାରରେ ଖଜଣା ଜମା ଥିଲା ପ୍ରଜାପାଇଁ ଖୁବ୍‍ କଷ୍ଟସାଧ୍ୟ ବ୍ୟାପାର । ପ୍ରତିକାରପାଇଁ ପ୍ରଜାମାନେ ଦୀର୍ଘ ମିଆଦୀ ବନ୍ଦୋବସ୍ତ ଦାବି କରୁଥିଲେ, ଯାହାକି ଅନ୍ତତଃ ନିୟମିତ କରଭାର ବୃଦ୍ଧିକୁ ରୋକି ପାରିବ । ୧୮୭୭ରେ ବର୍ଷିକିଆ ବନ୍ଦୋବସ୍ତ ବଦଳରେ ତିିନିବର୍ଷିଆ ବନ୍ଦୋବସ୍ତ ଲାଗୁ ହେଲା । ପୁଣି ୧୮୮୯-୯୦ରେ ଭୂ-ରାଜସ୍ୱ ପରିମାଣ ଦୁଇଗୁଣ ବୃଦ୍ଧି ପାଇଲା । ୧୮୯୩ରେ ରଣପୁରରେ ଭୟଙ୍କର ମରୁଡ଼ି ପଡ଼ିଲା । ପ୍ରଜାଙ୍କୁ ଖଜଣା ରିହାତି ଦିଆଗଲା ନାହିଁ । ବରଂ ସରକାରଙ୍କ ରୋଷର ଶିକାର ହେବା ଭୟରେ ଦେବାନ କର ଅସୁଲ କରିବାକୁ ଲାଗିଲେ । ଅନନ୍ୟୋପାୟ ହୋଇ ଅନେକ ପ୍ରଜା ରାଜ୍ୟ ଛାଡ଼ି ପଳାଇଲେ । ଯେଉଁମାନେ ରହିଲେ, ସେମାନେ ବିଦ୍ରୋହ କରିବାକୁ ବାଧ୍ୟ ହେଲେ ।

ବିଦ୍ରୋହ ୧୮୯୩ରେ ଆରମ୍ଭ ହେଲା, ବଣ ନିଆଁ ପରି କିଛି ଦିନ ପାଇଁ ବ୍ୟାପକ ହେଲା ପରେ ଅବଦମିତ ମଧ୍ୟ ହେଲା । ବିଦ୍ରୋହୀ ପ୍ରଜା ରାଜାଙ୍କୁ ଘେରାଉ କଲେ । ଅମଲାମାନଙ୍କ ଉପରେ ଆକ୍ରମଣ ହେଲା । ଦମନ ବେଳେ ୧୩ ଜଣ ମେଳି ନେତାଙ୍କୁ ଗିରଫ କରି କଟକ ଜେଲକୁ ପଠାହେଲା । ଏହିଭଳି ଭାବେ ପ୍ରଜାଙ୍କ ସମସ୍ୟା ସମାଧାନ ନ ହେବା ସତ୍ତ୍ୱେ ବିଦ୍ରୋହର ଅନ୍ତ ହେଲା ।

ଅନ୍ୟାନ୍ୟ ରାଜ୍ୟରେ ବିଦ୍ରୋହ ୧୮୬୮ରେ ବାମଣ୍ଡାରେ ରାଜାଙ୍କ ବିରୁଦ୍ଧରେ କନ୍ଧ ମେଳି ହୋଇଥିଲା । ଜମିଦାର କୃପାସିନ୍ଧୁଙ୍କ ନେତୃତ୍ୱରେ କନ୍ଧମାନେ ସରକାରୀ ସମ୍ପତ୍ତି ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ୨୦୬ . ଓଡ଼ିଶା ଇତିହାସ