ପୃଷ୍ଠା:Odisha Itihasa.pdf/୨୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବି ତାକୁ ଜାତି କଳହର ରୂପ ଦିଆଗଲା । ଫଳରେ ରାଜାଙ୍କୁ ସ୍ୱଦେଶର ଲୋକ ସମର୍ଥନ ମିଳିବା ସହଜ ହେଲା । ସେହି ସମୟଠାରୁ ଆଜି ଏକବିଂଶ ଶତାବ୍ଦୀଯାଏ ଜାତୀୟତା ବିଶ୍ୱ ରାଜନୀତିର ପ୍ରମୁଖ ସ୍ୱର ହୋଇଛି । ଆଧୁନିକ ରାଜ୍ୟ-ରାଷ୍ଟ୍ରର କଳା, ଇତିହାସ, ବିଜ୍ଞାନ, ପ୍ରଯୁକ୍ତି, ସବୁଥିରେ ଜାତୀୟତାର ବ୍ୟାପକ ପ୍ରଭାବ ରହିଆସିଛି । ଅର୍ଥାତ୍‍ କଳାକାର ରାଷ୍ଟ୍ର ହିତକୁ ଉପେକ୍ଷା କରି କଳା କଥା ଚିନ୍ତା କରେ । ଅଥବା ବୈଜ୍ଞାନିକପାଇଁ ଜାତୀୟତାକୁ ଗୌଣ ବିଚାର କରିବା ସଂଭବ ହୁଏ ନାହିଁ । ଏପରିକି ଖେଳରେ ମଧ୍ୟ ଜାତୀୟତାବାଦର ପ୍ରଭାବ ପ୍ରଚ୍ଛନ୍ନ ଭାବରେ ରହିଥାଏ । ପ୍ରାୟତଃ ଦେଖାଯାଇଛି ଯେ, ଜାତୀୟତାର ସ୍ୱରୂପ ନେତୃତ୍ୱର ଦୃଷ୍ଟିକୋଣ ଉପରେ ନିର୍ଭରଶୀଳ ରହେ । ନେତୃତ୍ୱ ତାକୁ ଯେଉଁ ଦିଗରେ ବ୍ୟବହାର କରେ, ତାହା ସେହି ଦିଗରେ ବ୍ୟବହୃତ ହୁଏ । ଅର୍ଥାତ୍‍ ନେତୃତ୍ୱ ନାମକ ଏକ ଛୋଟ ଗୋଷ୍ଠୀ ଓ ତାର ସ୍ୱାର୍ଥକୁ ଜାତୀୟ ଗୋଷ୍ଠୀ ଓ ଜାତୀୟ ସ୍ୱାର୍ଥ ନାମରେ ଅଧିକ ମହତ୍ତ୍ୱ ମିଳିବାର ଆଶଙ୍କା ଜାତୀୟତାରେ ରହିଥାଏ । ଉଦାହରଣ ସ୍ୱରୂପ, ଇଉରୋପରେ ଊନବିଂଶ ଶତାବ୍ଦୀରେ ପୁଞ୍ଜିବାଦୀ ଓ ଉପନିବେଶବାଦୀ ବିକାଶ ସମ୍ଭବ ହେଲା ଏବଂ ତା'ପାଇଁ ଜାତୀୟତାକୁ ଅସ୍ତ୍ର ଭଳି ବ୍ୟବହାର କରାଯାଇଥିଲା । ଇଂରେଜମାନେ ନିଜ ଦେଶର ପୁଞ୍ଜିବାଦୀ ବିକାଶ ନିମନ୍ତେ ଏସିଆରେ ଏବଂ ବିଶେଷକରି ଭାରତବର୍ଷରେ ସାମ୍ରାଜ୍ୟ ବିସ୍ତାର କଲେ ଏବଂ ସେହି ପ୍ରକ୍ରିୟାରେ ଆର୍ଥିକ ଶୋଷଣ, ଅନ୍ୟାୟ ଓ ଅତ୍ୟାଚାର କଲେ । ଏ ସବୁ ପଛରେ ଇଂରେଜ ଜାତୀୟତାର ଆର୍ଥିକ ସମର୍ଥନ ରହିଥିଲା । ଏହି ଦୃଷ୍ଟିରୁ ଦେଖିଲେ, ସେତେବେଳେ ଇଂରେଜ ଜାତୀୟତା ପ୍ରାୟତଃ ଭାରତୀୟ ଜାତୀୟ ସ୍ୱାର୍ଥର ପରିପନ୍ଥୀ ପ୍ରମାଣିତ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ନାଜିବାଦ ଲକ୍ଷ ଲକ୍ଷ ଇହୁଦୀ ଏବଂ ଅନ୍ୟ ନାଜି ବିରୋଧୀମାନଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଲା । ନାଜିବାଦର ନେତୃତ୍ୱ ରହିଥିଲା ହିଟ୍‍ଲରଙ୍କ ହାତରେ । ଜର୍ମାନୀକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର କରି ଗଢ଼ିବା ନାଁରେ ସେ ନାଜିବାଦକୁ ଯଥାର୍ଥ ବୋଲି କହୁଥିଲେ । ନାଜିବାଦର ହିଂସ୍ରତା ପଛରେ ଉଗ୍ର ଜାତୀୟତାବାଦ ଆହୁତି ପରି କାମ କରୁଥିଲା । ଅନ୍ୟଥା ଜଣେ ବ୍ୟକ୍ତି ଭାବରେ ହିଟଲର୍‍ ପାଖରେ ଏତେ ଅଧିକ ମାତ୍ରାରେ ଜଘନ୍ୟ କାମ କରିବାର ସାମର୍ଥ୍ୟ ବା ଆସନ୍ତା କେମିତି ?

ବିଶ୍ୱ ଇତିହାସରେ ଅନେକ ଉଦାହରଣ ରହିଛି, ଯେଉଁଠି ଜାତୀୟତା ଏକ ନକାରାତ୍ମକ ଭୂମିକା ଗ୍ରହଣ କରିଛି । ଆହୁରି ଅନେକ ଉଦାହରଣ ଅଛି, ଯେଉଁଠି ଜାତୀୟତାର ଭୂମିକା ମୋଟାମୋଟି ଭାବରେ ସକାରାତ୍ମକ । ତର୍ଜମା କଲେ ଜଣାପଡେ଼ ଯେ, ଉପନିବେଶବାଦ ଓ ସାମ୍ରାଜ୍ୟବାଦଦ୍ୱାରା ତ୍ରସ୍ତ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ଦେଶଗୁଡ଼ିକରେ ଜାତୀୟତାର ମୁଖ୍ୟ ସ୍ୱର ହେଲା ମାନବବାଦ । ଏହା ସକାରାତ୍ମକ । ଏହି ଦେଶଗୁଡ଼ିକରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜାତୀୟତା ଆନ୍ଦୋଳନ ଆରମ୍ଭ ହେଲା । ଏହାର ଗୋଟିଏ ଚରିତ୍ର ହେଲା ସାମାଜିକ ମୁକ୍ତିକାମନା । ଭାରତରେ ଜାତୀୟତା ଆନ୍ଦୋଳନ ଇଂରେଜ ଶକ୍ତିର ବିରୋଧ କରିବା ସହିତ ସାମନ୍ତବାଦୀ ରୂଢ଼ିବାଦିତା, ସାମାଜିକ କୁସଂସ୍କାର, ନିରକ୍ଷରତା, ଜାତିବାଦ ଓ ପୁରୁଷତାନ୍ତ୍ରିକତା ଆଦି ଅନ୍ତରୀଣ ଜଡ଼ତାରୁ ବିମୁକ୍ତିପାଇଁ ସଂଗ୍ରାମ କଲା । ଭାରତର ଦୁର୍ଦ୍ଦଶାପାଇଁ୨୧୦ . ଓଡ଼ିଶା ଇତିହାସ