ପୃଷ୍ଠା:Odisha Itihasa.pdf/୨୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରେଜ ଶାସନ ପରି ସାମାଜିକ ରୂଢ଼ିବାଦିତା ଓ ଜଡ଼ତା ଦାୟୀ ବୋଲି ଆମ ଜାତୀୟତାବାଦୀ ନେତୃବୃନ୍ଦ ହୃଦବୋଧ କଲେ । ୧୯୪୭ରେ ଇଂରେଜ ଉପନିବେଶବାଦ କବଳରୁ ମୁକ୍ତି ପାଇ ଭାରତ ସ୍ୱାଧୀନ ହେଲା । ଏହା ପଛରେ ବଡ଼ କାରଣ ଥିଲା ଜାତୀୟତା ଆନ୍ଦୋଳନ । ସେଥିପାଇଁ ଭାରତରେ ଜାତୀୟତା ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମ ମଧ୍ୟ କୁହାଯାଏ । ଜାତୀୟତା ଆଧାରରେ ଲୋକ ଏକତାବଦ୍ଧ ହେଲେ ଏବଂ ଜାତୀୟ ମୁକ୍ତିପାଇଁ ବିଦେଶୀ ଶାସକ ବିରୋଧରେ ସଂଗ୍ରାମ କଲେ । ଏହା ସହିତ, ଜାତୀୟତା ଆନ୍ଦୋଳନ ସମୟରେ ଭାରତରେ ଏକ ଆଧୁନିକ ରାଷ୍ଟ୍ରଗଠନର ପ୍ରକ୍ରିୟା ଆରମ୍ଭ ହେଲା । କେବଳ ସେତିକି ନୁହେଁ, ଆମ ନେତୃବୃନ୍ଦ ଜାତୀୟତାକୁ ବିଶ୍ୱମାନବିକତାର ପରିପୂରକ ବୋଲି ଦିଗ୍‍ଦର୍ଶନ ଦେଲେ । ଏହି କାରଣରୁ ମହାତ୍ମାଗାନ୍ଧୀଙ୍କ ଭଳି ଭାରତୀୟ ଜାତୀୟତାବାଦୀ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ତଥା ଯୁକ୍ତରାଷ୍ଟ୍ର ଆମେରିକାରେ ରଂଗଭେଦବିରୋଧୀ ଆନ୍ଦୋଳନ ନିମନ୍ତେ ପ୍ରେରଣାର ସ୍ରୋତ ହୋଇଛନ୍ତି । କେବଳ ମହାତ୍ମାଗାନ୍ଧୀ କାହିଁକି, ଓଡ଼ିଶାର ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରୁଥିବା ଗୋପବନ୍ଧୁ ଦାସଙ୍କ ପରି ଜଣେ ଜାତୀୟତାବାଦୀଙ୍କ ବିଚାରକୁ ଯଦି ଆଜି ତର୍ଜମା କରାଯାଏ, ସିଦ୍ଧ ହେବ ଯେ ସର୍ବଦା ବିଶ୍ୱମାନବିକତା ହିଁ ତାଙ୍କର ଉପଜୀବ୍ୟ ଥିଲା ।

ମୋଟ କଥା ହେଲା, ଜାତୀୟତା ହେଉଛି ଆଧୁନିକ ବିଶ୍ୱ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ବାସ୍ତବିକତା । ସମକାଳୀନ ପ୍ରତ୍ୟେକ ଇତିହାସରେ ତା'ର ପ୍ରଭାବ ଦେଖିବାକୁ ମିଳେ । ଦ୍ୱିତୀୟ, ସମାଜର ମଧ୍ୟବର୍ଗୀୟ ଶିକ୍ଷିତ ବୁଦ୍ଧିଜୀବୀ ହାତରେ ଜାତୀୟତାର ନିୟନ୍ତ୍ରଣ ରହିଥାଏ । ନେତୃବର୍ଗର ଦୃଷ୍ଟିକୋଣକୁ ଆଧାର କରି ଜାତୀୟତାର ସ୍ୱରୂପ ନିର୍ଦ୍ଧାରିତ ହୁଏ । ଯେଉଁ ନେତୃବର୍ଗ ଲୋକଙ୍କର ସମୂହ ସ୍ୱାର୍ଥକୁ ମହତ୍ତ୍ୱ ଦିଅନ୍ତି, ସେହି ସମାଜରେ ଜାତୀୟତା ଏକ ସୁସ୍ଥ, ସ୍ୱାବଲମ୍ବୀ ପରିବେଶ ନିର୍ମାଣରେ ଅଗ୍ରଣୀ ଭୂମିକା ନିଏ । ଭାରତରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ କତିପୟ ମଧ୍ୟ-ବର୍ଗୀୟ ଶିକ୍ଷିତ ଲୋକଙ୍କ ପ୍ରଚେଷ୍ଟାରେ ଯେଉଁ ଜାତୀୟତାର ଉନ୍ମେଷ ଘଟିଥିଲା; ତାହା ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ବେଳକୁ ଛାତ୍ର, ଯୁବକ, ଚାଷୀ, ମଜୁରିଆ,ସିପାହୀ, ମହିଳା ଭଳି ଅତି ସାଧାରଣ ସ୍ତରକୁ ବିସ୍ତାର ଲାଭ କଲା । ୧୮୮୫ ମସିହାରେ ଜାତୀୟ କଂଗ୍ରେସ ପ୍ରତିଷ୍ଠା ସମୟରେ ଭାରତୀୟ ଜାତୀୟତା, ଇଂରେଜ ସରକାର ଆଗରେ ହାରି ଗୁହାରି ହୋଇ ଜାତୀୟ ଉନ୍ନତି କରିବ ବୋଲି ଆଶା ପୋଷଣ କରିଥିଲା । ମାତ୍ର ୧୯୪୨ ମସିହା ବେଳକୁ ଗଣ ସମର୍ଥନଯୋଗୁଁ ଏହା ଋଦ୍ଧିମନ୍ତ ହେଲା ଓ ଇଂରେଜ ସରକାରକୁ 'ଭାରତ ଛାଡ଼' ବୋଲି କଡା ନିର୍ଦ୍ଦେଶ ଦେଲା । ଗଣ ସମର୍ଥନ ମିଳିବା ପଛରେ ଏକ ପ୍ରମୁଖ କାରଣ ଥିଲା ନେତୃତ୍ୱର ଦୂରଦୃଷ୍ଟି । ଜାତୀୟତାର ଉନ୍ମେଷଠାରୁ ଆରମ୍ଭ କରି ଗଣ ଆନ୍ଦୋଳନ ଏବଂ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଯେଉଁ ଦୀର୍ଘ କାଳାଂଶ, ଅଗଣିତ ଘଟଣାବଳୀ, ତାହା ହେଲା ଜାତୀୟତା ଆନ୍ଦୋଳନର ମେରୁଦଣ୍ତ । ତହିଁରେ ନା ଉନ୍ମେଷକାଳ କମ୍‍ ମହତ୍ତ୍ୱପୂର୍ଣ୍ଣ ନା ସ୍ୱାଧୀନତାପ୍ରାପ୍ତି ଅଧିକ ମହତ୍ତ୍ୱପୂର୍ଣ୍ଣ । ସବୁଗୁଡ଼ିକ ମିଶି ଆନ୍ଦୋଳନର ଦୈର୍ଘ୍ୟ ନିରୂପଣ କରିଛନ୍ତି; ସବୁଗୁଡ଼ିକ ଗୋଟାଏ ଆନ୍ଦୋଳନର{{right|ଓଡ଼ିଶା ଇତିହାସ . ୨୧୧