ପୃଷ୍ଠା:Odisha Itihasa.pdf/୨୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ସମସ୍ୟା ବହୁଗୁଣିତ ହେଲା, କାରଣ ଅନାବୃଷ୍ଟିଯୋଗୁଁ ଯେତେବେଳେ ସ୍ଥାନୀୟ ବଜାରରେ ଚାଉଳର ଆବଶ୍ୟକତା ପଡ଼ିଲା, ବାହାରୁ ଓଡ଼ିଶାକୁ ୟାତାୟାତର ଅସୁବିଧାଯୋଗୁଁ କିଛି ଆମଦାନୀ ହୋଇ ପାରିଲା ନାହିଁ । ଏହାକୁ କୁହାଯିବ ଉପନିବେଶବାଦୀ ଆର୍ଥିକ ଶୋଷଣ, ଯାହା ସାଧାରଣ ଲୋକଙ୍କୁ ନିଃସ୍ୱ, ଅନ୍ତଃସାରଶୂନ୍ୟ କରି ଦେଇଥିଲା । ଲୋକେ ଅନାବୃଷ୍ଟି କିମ୍ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିନେବାର ସାମର୍ଥ୍ୟ ରଖି ନଥିଲେ । ସରକାର ବଜାର ମାମଲାରେ ଉଦାରବାଦୀ ନୀତି ଅନୁସରଣ କରିଥିଲେ । ଅର୍ଥାତ୍‍ ଚାଉଳର ରପ୍ତାନିକୁ ବନ୍ଦ କରିବାକୁ କିମ୍ବା ଆମଦାନୀକୁ ପ୍ରୋତ୍ସାହନ ଦେବାକୁ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ଧାନ, ଚାଉଳର ଦାମ୍‍ ଆଶାତୀତ ଭାବରେ ବୃଦ୍ଧିପାଇଲା । ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ସମାଜ ପାଖରେ ଟଙ୍କା ପଇସା ବା କାହିଁ ଯେ ବଜାରରୁ ଚଢ଼ା ଦାମ୍‍ରେ ଚାଉଳ କିଣିବ ? ୧୮୬୫ ସେପ୍ଟେମ୍ବରରୁ ଆଉ ବର୍ଷା ହେଲା ନାହିଁ । ଲୋକେ ଦାରୁଣ ଦୁର୍ଭିିକ୍ଷର ଶିକାର ହେଲେ । ଦୁର୍ଭିିକ୍ଷ ସାଂଘାତିକ ରୂପ ନେବା ପଛରେ ଅନ୍ୟ ଏକ କାରଣ ହେଲା, ବିଦେଶୀ ସରକାରଙ୍କ ଉଦାସୀନତା ଓ ତଳତଳିଆ କର୍ମଚାରୀଙ୍କ ସ୍ଥାନୀୟ ସମସ୍ୟା ପ୍ରତି ସଂବେଦନଶୂନ୍ୟତା । ଓଡ଼ିଆ ଲୋକଙ୍କ ମଧ୍ୟରେ ଆଧୁନିକ ଶିକ୍ଷାର ଅଭାବଯୋଗୁଁ ପଡେ଼ାଶୀ ଭାଷା-ଭାଷୀ ବଙ୍ଗଳା ଲୋକ ଓଡ଼ିଶା ଡିଭିଜନରେ ଏବଂ ତେଲ୍‍ଗୁ ଲୋକ ଗଞ୍ଜାମ ଅଞ୍ଚଳରେ ସରକାରୀ ଅଫିସ୍‍ମାନଙ୍କରେ ତଳ-ତଳିଆ କର୍ମଚାରୀ ଭାବରେ ଚାକିରି କରୁଥିଲେ । ଜମିଦାରୀଗୁଡ଼ିକ ମଧ୍ୟ ସ୍ଥାନୀୟ ଜମିଦାରମାନଙ୍କ ହାତରୁ ଚାଲି ଯାଇଥିଲା । ଏହି ଅଣ-ଓଡ଼ିଆ ଅଧସ୍ତନ କର୍ମଚାରୀ ଓ ଜମିଦାରମାନେ ସ୍ଥାନୀୟ ସମାଜର ଦୁଃଖଦୁର୍ଦ୍ଦଶା ପ୍ରତି ଆବଶ୍ୟକ ମାତ୍ରାରେ ସଂବେଦନଶୀଳ ନଥିଲେ । ଫଳରେ ଅନାବୃଷ୍ଟିଜନିତ ସଂଭାବ୍ୟ ପରିସ୍ଥିତି ସରକାରଙ୍କ ପାଖରେ ଠିକ୍‍ ରୂପେ ଉପସ୍ଥାପିତ ହୋଇ ପାରିଲା ନାହିଁ । ବରଂ ବ୍ୟକ୍ତି ସ୍ୱାର୍ଥରେ ଜଡ଼ିତ ହୋଇ ସରକାରଙ୍କ ପ୍ରିୟ ପାତ୍ର ହେବା ସକାଶେ ଅଧସ୍ତନ କର୍ମଚାରୀମାନେ ଉପସ୍ଥିତ ପରିସ୍ଥିତିକୁ ସ୍ୱାଭାବିକ ବୋଲି ଯୁକ୍ତି ଉପସ୍ଥାପନ କଲେ । ଉପରିସ୍ଥ କର୍ତ୍ତୃପକ୍ଷ ଚାହିଁବା ସତ୍ତ୍ୱେ ଏଭଳି ଏକ ସାମାଜିକ ସଙ୍କଟ ଓ ବିପର୍ଯ୍ୟୟର ସ୍ଥିତିକୁ ଅନୁମାନ ସୁଦ୍ଧା କରିପାରିଲେ ନାହିଁ ।

ନଅଙ୍କ ଦୁର୍ଭିିକ୍ଷଜନିତ ସାମଜିକ ସଂକଟକୁ ପାଖରୁ ଦେଖିଲା ପରେ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ଅନୁଭବ କଲେ ଯେ, ସ୍ଥାନୀୟ ଓଡ଼ିଆ ସମାଜ ଯଦି ଶିକ୍ଷିତ ହୋଇଥାନ୍ତା, ଲୋକଙ୍କୁ ଏହି ଦୁର୍ଗତିର ଶିକାର ହେବାକୁ ପଡ଼ି ନଥାନ୍ତା । ଲୋକେ ପୋକମାଛି ଭଳି ମରି ନଥାନ୍ତେ । ଶିକ୍ଷା ଲୋକଙ୍କୁ ନିଜ ଅବସ୍ଥାକୁ କର୍ତ୍ତୃପକ୍ଷଙ୍କ ଆଗରେ ଅଭିବ୍ୟକ୍ତ କରିବା ସକାଶେ ଭାଷା ଦେଇଥାନ୍ତା । ଶିକ୍ଷା ସମାଜରେ ଲୋକଙ୍କୁ ସମ୍ମାନ ଦେଇଥାନ୍ତା । ଶିକ୍ଷା ପାଇ ଓଡ଼ିଶାର ଲୋକ ସରକାରୀ ଚାକିରି କରୁଥିଲେ, ଓଡ଼ିଶା ସମସ୍ୟା କର୍ତ୍ତୃପକ୍ଷଙ୍କ ଦୃଷ୍ଟିରୁ ବାହାର ହୋଇ ନଥାନ୍ତା । ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ ଥିଲେ ସଂଖ୍ୟାନ୍ୟୂନ । ତଥାପି ସାମାଜିକ ସଙ୍କଟର ଅନୁଭବ ସେମାନଙ୍କୁ ଏକ ଗୋଷ୍ଠୀ ରୂପରେ ଗଢ଼ି ହେବାଲାଗି ଅବସର ପ୍ରଦାନ କଲା । ଓଡ଼ିଆ ଭାଷା-ଭାଷୀ ଏବଂ ସଂସ୍କୃତିର ଲୋକ ସମୂହକୁ୨୧୪ . ଓଡ଼ିଶା ଇତିହାସ