ପୃଷ୍ଠା:Odisha Itihasa.pdf/୨୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକ ଜାତି ରୂପରେ ଦେଖିବା ସକାଶେ ମଧ୍ୟ ସୁଯୋଗ ଦେଲା । ଏଣୁ ଏଣିକି ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ସାମୂହିକ ବିକାଶ ଏବଂ ସାମାଜିକ ସଂଗଠନକୁ ଜାତୀୟ କାର୍ଯ୍ୟର ଆଖ୍ୟା ଦେଲେ । ସାମାଜିକ କାର୍ଯ୍ୟକୁ ସେମାନେ ବୌଦ୍ଧିକ ଦାୟିତ୍ୱ ରୂପରେ ଗ୍ରହଣ କରିନେଲେ । ଜାତି, ଧର୍ମ, ବର୍ଣ୍ଣ ଏବଂ ଆଞ୍ଚଳିକ ଭେଦଭାବର ଊର୍ଦ୍ଧ୍ୱରେ ଏକ ସାମୂହିକ ଜାତି ପରିଚୟ ଖୋଜିବାର ଉଦ୍ୟମ ଆରମ୍ଭ ହେଲା ଯାହାକୁ ଜାତୀୟତାର ଉନ୍ମେଷ ବୋଲି ବ୍ୟାଖ୍ୟା କରାଯିବ । ଏଠାରେ ଦୁଇଟି କଥା ସ୍ପଷ୍ଟ ହେବା କଥା । ପ୍ରଥମ, ନଅଙ୍କ ଦୁର୍ଭିିକ୍ଷ ବ୍ୟତୀତ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ସଂପର୍କିତ ସମସ୍ୟା ମଧ୍ୟ ଉଲ୍ଲିଖିତ ସାମାଜିକ ସଂକଟକୁ ପ୍ରକଟ କରେ । ଦ୍ୱିତୀୟ, ଯଦିଓ ଜାତୀୟତାର ଉନ୍ମେଷକୁ ଏଠାରେ ଓଡ଼ିଶା ପରିପ୍ରେକ୍ଷୀରେ ଦେଖାଯାଉଛି, ତାହା ହେଲା ମହାଭାରତୀୟ ଜାତୀୟତାର ଏକ ଅଭିନ୍ନ ଅଂଗ । ଏହା ମହାଭାରତୀୟ ଜାତୀୟତାର ବିବିଧତା ଓ ସଂଘୀୟ ରୂପକୁ ଦର୍ଶାଏ । ଦୁର୍ଭିକ୍ଷ ଓ ତଜ୍ଜନିତ ସାମାଜିକ ସଂକଟକୁ ନେଇ ବୁଦ୍ଧିଜୀବୀର ମନୋସ୍ଥିତି ଏବଂ ସାମାଜିକ ସାମୂହିକ କାର୍ଯ୍ୟ ଏକ ବୌଦ୍ଧିକ ଦାୟିତ୍ୱ ବୋଲି ବୁଦ୍ଧିଜୀବୀ ମନରେ ଜନ୍ମ ନେଇଥିବା ଧାରଣାକୁ ବୁଝିବା ସକାଶେ ଏଠାରେ ଦୁଇଟି ଉଦାହରଣକୁ ନିଆଯାଇପାରେ । ଗୋଟାଏ ହେଲା ଫକୀର ମୋହନଙ୍କ ନଅଙ୍କ ଦୁର୍ଭିିକ୍ଷ ସଂପର୍କିତ ମତାମତ । ଏହା ତାଙ୍କର ଆତ୍ମଜୀବନ ଚରିତ (୧୯୧୭) ରେ ସ୍ଥାନିତ । ଦ୍ୱିତୀୟଟି ହେଲା, ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୬-୧୯୫୬)ଙ୍କର ଭାଗବତ ଟୁଙ୍ଗୀରେ ସନ୍ଧ୍ୟା (୧୯୦୦)ଉପନ୍ୟାସର ଏକ ଉଦ୍ଧରଣ ।

ଫକୀର ମୋହନ ନଅଙ୍କ ଦୁର୍ଭିିକ୍ଷର ଏକ ବିସ୍ତୃତ ବର୍ଣ୍ଣନା କରିଛନ୍ତି ଏବଂ ତା'ର ସଂଭାବ୍ୟ କାରଣ ଦର୍ଶାଇ ଲେଖିଛନ୍ତି, "ସେ ସମୟର ଉତ୍କଳର ପରମବନ୍ଧୁ ପରମ ସହାୟ ରେଭେନ୍‌ସା ସାହେବ ବୋଧକରେ ନୂତନ କମିସନର ନିଯୁକ୍ତ ହୋଇ ଆସିଥାଆନ୍ତି । ସେପ୍ଟେମ୍ବର କି ଅକ୍ଟୋବର ମାସରେ ଗଭର୍ଣ୍ଣମେଣ୍ଟରୁ କମିସନଙ୍କ ପାଖକୁ ଚିଠି ଆସିଲା- ଅନାବୃଷ୍ଟି ହେତୁରୁ ଓଡ଼ିଶାରେ ଦୁର୍ଭିିକ୍ଷ ଉପସ୍ଥିତ ହେବାର ଖୁବ୍‍ ସମ୍ଭାବନା । ପ୍ରଜାମାନଙ୍କ ରକ୍ଷାନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କ ପକ୍ଷରୁ କୌଣସି ଉପାୟ ବିଧାନ କରାଯିବା ଆବଶ୍ୟକ କି ନା ? ଯଦି ପ୍ରୟୋଜନ ହୁଏ, କି ପ୍ରକାର ଉପାୟ ବିଧାନ କରାଯାଇପାରେ ? ଗଭର୍ଣ୍ଣମେଣ୍ଟଙ୍କ ଚିଠିର ଉତ୍ତରଦେବା ସକାଶେ କମିସନର ସାହେବ କଚେରିର ସମସ୍ତ ଅମଲାଙ୍କୁ ବସାଇ ପରାମର୍ଶ କରିବାକୁ ଲାଗିଲେ । ସିରସ୍ତାଦାର ଦୁଇଜଣ କହିଲେ, "ଓଡ଼ିଶାରେ ଦୁର୍ଭିିକ୍ଷ ପଡ଼ିବ, ପଡୁ କିଛି ଚିନ୍ତା ନାହିଁ । ମଫସଲର ଜମିଦାର, ମହାଜନଙ୍କ ଘରେ ଯଥେଷ୍ଟ ଧାନ ମହଜୁଦ୍‍ ଅଛି । ସେଥିରେ ବର୍ଷକ ଚଳିଯାଇପାରେ ।"

"କମିସନର ସାହେବ ବଡ଼ ଭୁଲ କଲେ । ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି, ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ, କଥାଟା ଭଲ ରୂପେ ତଦନ୍ତ କରି ଗଭର୍ଣ୍ଣମେଣ୍ଟଙ୍କୁ ଜଣାଇବା ଉଚିତ ଥିଲା । ମାତ୍ର ଉତ୍କଳର ୩୦ ଲକ୍ଷ ପର୍ଯ୍ୟନ୍ତ ମହାପ୍ରାଣୀ ବିନାଶ ଯିବା ଏବଂ ଲଣ୍ତଭଣ୍ତ ହେବା ବିଧିର ବିଧାନ । ଏ ସ୍ଥଳେ କମିସନରଙ୍କୁ ସୁବୁଦ୍ଧି ଆସିବ କାହୁଁ ?"{{right|ଓଡ଼ିଶା ଇତିହାସ . ୨୧୫