ପୃଷ୍ଠା:Odisha Itihasa.pdf/୨୧୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


  ଫକୀର ମୋହନଙ୍କ ଏହି ବର୍ଣ୍ଣନାରୁ ସିଦ୍ଧ ହୁଏ ଯେ, ଜଣେ ଶିକ୍ଷିତ ବ୍ୟକ୍ତି ଭାବରେ ସେ ତିରିଶ ଲକ୍ଷ ଓଡ଼ିଶାବାସୀଙ୍କ ମୃତ୍ୟୁକୁ ନେଇ ମର୍ମାହତ ହୋଇଛନ୍ତି । ଏହାର କାରଣ ଯଦିଓ ସେ ବିଧିର ବିଧାନ ବୋଲି ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି, ତାଙ୍କର ଆକ୍ଷେପ ରହିଛି ଅଣ-ଓଡ଼ିଆ ଉଦାସୀନ ଅଧସ୍ତନ ସରକାରୀ କର୍ମଚାରୀ ଏବଂ ଇଂରେଜ କର୍ତ୍ତୃପକ୍ଷଙ୍କ ପ୍ରତି । ତାଙ୍କ ମତରେ 'ପ୍ରଜାମାନଙ୍କ ରକ୍ଷା' ସରକାରଙ୍କ କର୍ତ୍ତବ୍ୟ ଏବଂ ସରକାର ମଧ୍ୟ କର୍ତ୍ତବ୍ୟ ପାଳନପାଇଁ ଇଚ୍ଛୁକ । ମାତ୍ର ତାଙ୍କୁ ସହଯୋଗ ମିଳୁନାହିଁ । ଅର୍ଥାତ୍‍ ସରକାର ଓ ପ୍ରଜାଙ୍କ ମଧ୍ୟରେ ପ୍ରକୃତ ଯୋଗସୂତ୍ରର ଅଭାବଯୋଗୁଁ ଜାତୀୟ ଉନ୍ନତି ସାଧିତ ହୋଇପାରୁ ନାହିଁ । ଜାତୀୟ ଉନ୍ନତିକୁ ନେଇ ବୁଦ୍ଧିଜୀବୀର ଏଭଳି ନୂତନ ଦୃଷ୍ଟିକୋଣ ଏକ ସାମାଜିକ ପରିବର୍ତ୍ତନକୁ ଇଙ୍ଗିତ କଲା । ରାଜା-ରାଜୁଡ଼ାଙ୍କ ବଦଳରେ ପ୍ରଥମ କରି ଏଣିକି ବୁଦ୍ଧିଜୀବୀଙ୍କ ହାତକୁ ସାମାଜିକ ନେତୃତ୍ୱ ଆସିଲା । ରାଜନୀତି ରାଜଦ୍ୱାରରୁ ଆସି ପ୍ରଥମକରି ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜନପଥରେ ପହଞ୍ଚିବାର ପ୍ରକ୍ରିୟା ଆରମ୍ଭ ହେଲା । ଏହି ଦୃଷ୍ଟିରୁ ମଧ୍ୟ ଜାତୀୟତାର ଉନ୍ମେଷ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ହେଲା ।

ସାମାଜିକ ଓ ଜାତୀୟ ଉନ୍ନତି ଶିକ୍ଷିତ ବୁଦ୍ଧିଜୀବୀର ପ୍ରଥମ ଓ ପ୍ରଧାନ ଦାୟିତ୍ୱ । ଏହା ତତ୍‍କାଳୀନ ବୁଦ୍ଧିଜୀବୀ ଗୋପାଳଚନ୍ଦ୍ର ପ୍ରହରାଜ ୧୮୯୦ ଦଶକରେ ତାଙ୍କ ଲିଖିତ ଉପନ୍ୟାସ 'ଭାଗବତ ଟୁଙ୍ଗୀରେ ସନ୍ଧ୍ୟା' ଉପନ୍ୟାସରେ ସୁସ୍ପଷ୍ଟ କରିଛନ୍ତି । ଉପନ୍ୟାସର ଆଦର୍ଶ ଚରିତ୍ର 'ମସ୍ତରାମ' ଜଣେ ବାତୁଳପ୍ରାୟ ବ୍ୟକ୍ତିତ୍ୱ, କାରଣ ବ୍ୟକ୍ତିସ୍ୱାର୍ଥର ଊର୍ଦ୍ଧ୍ୱରେ ରହି ସମାଜପାଇଁ ଚିନ୍ତା କରିବା ହିଁ ତା'ର ପ୍ରମୁଖ କାର୍ଯ୍ୟ । ମସ୍ତରାମର 'ଜୀବନ ସାର୍ଥକ' କାରଣ ସେ ଜଗତପାଇଁ ପ୍ରେମବାୟା । ଲେଖକଙ୍କ ଭାଷାରେ-

"ଆମ୍ଭେମାନେ ଭାବିଲୁ ଯେ, ଦୃଢ଼ ଭାବରେ ସଂସାରର କୌଣସି ବିଷୟ ରାତ୍ରଦିନ ଭାବିଲେ ବାତୁଳ ନହୋଇ ଆଉ କ'ଣ ହେବ ? ଲୋକ ଯେ ପାଗଳ ନ ହୁଅନ୍ତି ଏହା ହିଁ ଆଶ୍ଚର୍ଯ୍ୟର ବିଷୟ । ପୃଥିବୀର ପନ୍ଦର ପଣ ଊଣେଇଶ ଗଣ୍ତା ତିିନିକଡ଼ା ଲୋକଙ୍କ ଦୃଢ଼ ଚିନ୍ତା ନାହିଁ, ଥିଲେ ସଂସାର ବାତୁଳାଶ୍ରମରେ ପରିଣତ ହୋଇଥାନ୍ତା । ପ୍ରକୃତିସ୍ଥ ମନୁଷ୍ୟ ଅନେକ ସମୟରେ ବାତୁଳଠାରୁ ହେୟ, ଘୃଣ୍ୟ, ଅପଦାର୍ଥ । ପାଠକ ! ଥରେ ଭାବି ଦେଖନ୍ତୁ, ମସ୍ତରାମ ଯେଉଁ ଚିତ୍ରଟି ଦେଖାଇଲା ତାହା କେମନ୍ତ ସ୍ୱାଭାବିକ ଓ ନିତ୍ୟ ପ୍ରତ୍ୟକ୍ଷ !"

'ମସ୍ତରାମ' ଚରିତ୍ରର ବାତୁଳତା ପଛରେ ସମାଜ ଚିନ୍ତାକୁ ପ୍ରଥମ କାରଣ ବୋଲି ଲେଖକ ଯୁକ୍ତି କରି ଦର୍ଶାଇଛନ୍ତି ଏବଂ ସଂସାରକୁ 'ସ୍ୱର୍ଗ' କରିବାକୁ ହେଲେ ଅର୍ଥାତ୍‍ ଏକ ଆଦର୍ଶ ସମାଜ ଗଠନ କରିବାକୁ ହେଲେ, ମସ୍ତରାମ ପରି ଅନେକ ବାତୁଳର ଆବଶ୍ୟକତା ରହିଥିବା କଥା କହିଛନ୍ତି । ଉପ୍ୟନ୍ୟାସରେ ମସ୍ତରାମ ହେତୁବାଦୀ, ବିବେକଶୀଳ, ସ୍ୱ-ପାର୍ଥିବ ଚିନ୍ତା ବଦଳରେ ସାମାଜିକ ଚିନ୍ତା ତା'ର ଲକ୍ଷ୍ୟ । ଏହି ଉପନ୍ୟାସର ଅନ୍ୟ ଦୁଇଟି ପ୍ରମୁଖ ଚରିତ୍ର ହେଲେ 'ପଣ୍ତିତ' ଓ 'ମାଷ୍ଟର' । ସେମାନେ ହୁଏତ ପ୍ରାଚ୍ୟ ବା ପାଶ୍ଚାତ୍ୟର ଅଂଧ ଅନୁକରଣ କରନ୍ତି କିମ୍ୱା ମିଥ୍ୟା ଗୁଣଗାନ କରନ୍ତି । 'ମସ୍ତରାମ' ଉଭୟଙ୍କଠାରୁ ଊର୍ଦ୍ଧ୍ୱରେ । ଅର୍ଥାତ୍‍୨୧୬ . ଓଡ଼ିଶା ଇତିହାସ