ପୃଷ୍ଠା:Odisha Itihasa.pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୧୮୫୧-୧୮୮୧), ଯିଏ ଓଡ଼ିଶା ଇତିହାସ ଲେଖି ଐତିହାସିକ ଖ୍ୟାତି ଅର୍ଜନ କରିଥିଲେ, ନିଜେ ଟ୍ୟୁସନ କରି ସେହି ଉପାର୍ଜନରେ ୧୮୭୦ ଦଶକର ପ୍ରାରମ୍ଭରେ 'କଟକ ଏକାଡେମୀ' ନାମରେ ଏକ ସ୍କୁଲ୍‍ ପ୍ରତିଷ୍ଠା କରିଥିଲେ । ପରେ ଏହି ସ୍କୁଲ୍‍ 'ପ୍ୟାରୀମୋହନ ଏକାଡେମୀ' ରୂପେ ବିଖ୍ୟାତ ହେଲା । ଏପରିକି ଓଡ଼ିଶା ଜାତୀୟତାର ସୂତ୍ରଧର ମଧୁସୂଦନ ଦାସ (୧୮୪୮-୧୯୩୪) ଉପାଧି ଶିକ୍ଷାପାଇଁ କଲିକତା ଯିବା ପୂର୍ବରୁ ଦୁଇବର୍ଷ କାଳ (୧୮୬୪-୬୬) ବାଲେଶ୍ୱରରେ ଶିକ୍ଷକତା କରିଥିଲେ । କଲିକତାରେ ଅଧ୍ୟୟନ କରୁଥିବା ବେଳେ ମଧ୍ୟ ସେ ଦରିଦ୍ର ପ୍ରବାସୀ ଓଡ଼ିଆଙ୍କପାଇଁ ନିଜ ଉଦ୍ୟମରେ ଖିଦିରପୁରଠାରେ ରାତ୍ରି ସ୍କୁଲ୍‍ ଆରମ୍ଭ କରିଥିଲେ । ସମାଜ ଗଠନରେ ଶିକ୍ଷାର ମହତ୍ତ୍ୱକୁ ପ୍ରତିପାଦନ କରିବାକୁ ଯାଇ ବିଶିଷ୍ଟ କବି ଗଙ୍ଗାଧର ମେହେର (୧୮୬୨-୧୯୨୪) ଶିକ୍ଷିତ ବ୍ୟକ୍ତି ହିଁ 'ମନୁଷ୍ୟ ପଦ ବାଚ୍ୟ' ବୋଲି ଯୁକ୍ତି ଦର୍ଶାଇଥିଲେ । ଶିକ୍ଷାର ପସ୍ରାରନିମନ୍ତେ ଉଦ୍ୟମ କରୁଥିବା ଗଡ଼ଜାତ ରାଜା-ଜମିଦାରଙ୍କ ପଶ୍ରଂସା ଓ ତାକୁ ଉପେକ୍ଷା କରୁଥିବା ଧନାଢ଼୍ୟ ବର୍ଗର ମୃଦୁ ସମାଲୋଚନା ଥିଲା ଜାତୀୟତାବାଦୀଙ୍କର ଏକ ମୁଖ୍ୟ କାମ । ଜାତୀୟତାବାଦୀ ମଞ୍ଚ ଭାବରେ ୧୯୦୩ରେ ପ୍ରତିଷ୍ଠିତ 'ଉତ୍କଳ ସମ୍ମିଳନୀ'ର ବାର୍ଷିକ ଅଧିବେଶନଗୁଡିକରେ ଆଧୁିନିକ ଶିକ୍ଷାର ପ୍ରସାରପାଇଁ ଉଦ୍ୟମ କରୁଥିବା ରାଜା-ଜମିଦାରମାନଙ୍କୁ ପ୍ରଶଂସା କରି ପ୍ରସ୍ତାବମାନ ଗୃହୀତ ହେଉଥିଲା । ଏହାର ଫଳ ସ୍ୱରୂପ, ଊନବିଂଶ ଶତାବ୍ଦୀର ଶେଷ ସମୟରେ ହିଁ ବାମଣ୍ଡା, ଢେଙ୍କାନାଳ ଓ ମୟୂରଭଞ୍ଜ ଆଦି ରାଜ୍ୟରେ ହାଇସ୍କୁଲ୍‍ମାନ ସ୍ଥାପିତ ହେଲା । କଟକ କଲେଜ (ଯାହା ପରେ ରେଭେନ୍‌ସା କଲେଜ ହେଲା) ଓ ମେଡ଼ିକାଲ୍‍ ସ୍କୁଲ୍‍ ପାଇଁ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଟୋଲ୍‍ ଓ ଚାଟଶାଳିର ପାରମ୍ପରିକ ଶିକ୍ଷା ବଦଳରେ ସ୍କୁଲ୍‍, କଲେଜର ବିଜ୍ଞାନ, ଗଣିତ, ଆଦି ଆଧୁନିକ ଶିକ୍ଷା ଏବଂ ତା' ସହିତ ମାତୃଭାଷା ଶିକ୍ଷା ଉପରେ ଜାତୀୟତାର ଏହି ଉନ୍ମେଷ କାଳରେ ଅଧିକ ମହତ୍ତ୍ୱ ଦିଆଯାଇଥିଲା । 'ଉତ୍କଳ ଭ୍ରମଣଂ'(୧୮୯୨)ରେ ଫକୀରମୋହନ ଖେଦୋକ୍ତି ପ୍ରକାଶ କରିଥିଲେ, କାରଣ 'ବାବୁମାନେ' ଶିକ୍ଷାରେ 'ଲଜିକ୍‍' ଏବଂ 'ସାଇନ୍‍ସ'କୁ ମହତ୍ତ୍ୱ ଦେଉ ନାହାନ୍ତି । ମାତୃଭାଷା ଯେ ଶିକ୍ଷାପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ- ଏହା ବୁଦ୍ଧିଜୀବୀମାନଙ୍କପାଇଁ ଆଉ କଦାଚିତ ବିବାଦୀୟ ପ୍ରସଙ୍ଗ ହୋଇ ରହି ନଥିଲା । ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେରଙ୍କ ଉକ୍ତି, 'ମାତୃଭୂମି ମାତୃଭାଷାରେ ମମତା ଯା' ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?" - ପ୍ରଣିଧାନ ଯୋଗ୍ୟ । ମାତୃଭୂମିର ଉନ୍ନତି ଚିନ୍ତା କରୁଥିବା ବ୍ୟକ୍ତି ମାତୃଭାଷାକୁ ଉପେକ୍ଷା କରି ପାରିବ ନାହିଁ ବୋଲି କବି ଯୁକ୍ତି ବାଢ଼ି ଥିଲେ । 'ଉତ୍କଳ ଦୀପିକା' (୧୮୬୬)ପତ୍ରିକା ତର୍କ ଦେଇ କହିଥିଲା ଯେ, କେବଳ ମାତୃଭାଷାରେ ହିଁ ଗଣଶିକ୍ଷା ସମ୍ଭବ । ଅର୍ଥାତ୍‍ ଦେଶକୁ ଶିକ୍ଷିତ କରିବାକୁ ହେଲେ ମାତୃଭାଷା ଶିକ୍ଷା ଅପରିହାର୍ଯ୍ୟ । ଫକୀର ମୋହନ ମାତୃଭାଷାକୁ ନଦୀର ନିଜସ୍ୱ ସ୍ରୋତ ଏବଂ ବହିର୍ଭାଷାକୁ ବଢ଼ିପାଣି ସଙ୍ଗେ ତୁଳନା କରିଛନ୍ତି । ବଢ଼ିପାଣିରେ ନଦୀ ହୁଏତ ସାମୟିକ ଭାବେ ଫୁଲି ଉଠିପାରେ, ମାତ୍ର ନିଜସ୍ୱ ସ୍ରୋତ ବିନା ତା'ର ବଳ ରହିବ ନାହିଁ । ଠିକ୍‍ ସେହିଭଳି ଫକୀର ମୋହନଙ୍କ ମତରେ ମାତୃଭାଷାର୨୧୮ . ଓଡ଼ିଶା ଇତିହାସ