ପୃଷ୍ଠା:Odisha Itihasa.pdf/୨୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅତ୍ୟାଚାରର ସପକ୍ଷ ନୁହଁନ୍ତି । ଇଂରେଜ ଜାତି ସ୍ୱାଧୀନତା ପ୍ରିୟ, ଇଂରେଜ ଜାତି ଅନେକ ପଶୁଙ୍କୁ ମନୁଷ୍ୟ କରି ଅଛନ୍ତି, ଅଂଧଙ୍କୁ ଚକ୍ଷୁ ଦେଇଛନ୍ତି ।" ତେଣୁ "ଆମ୍ଭମାନଙ୍କ ଗୁହାରି ଗୋଟି ଗୋଟି କରି ରାଜାଙ୍କ କାନରେ ପକାଇବାକୁ ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ।" ଫକୀର ମୋହନ ମଧ୍ୟ ଦୁର୍ଭିିକ୍ଷ ବେଳେ ଇଂରେଜ କମିସନରଙ୍କ ଲୋକଙ୍କ ପ୍ରତି ରହିଥିବା ସଦ୍‍ଭାବନାକୁ ଅସ୍ୱୀକାର କରି ନାହାନ୍ତି । ବରଂ କମିସନର ଟି.ଇ. ରେଭେ୍‍ସାଙ୍କର ପ୍ରାଶାସନିକ ସମୟକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ ବୋଲି ଘୋଷଣା କରିଛନ୍ତି । ତାଙ୍କ ମତରେ ଲୋକଙ୍କ ହାତରେ ବାସ୍ତବିକତାକୁ ଅଭିବ୍ୟକ୍ତ କରିବା ସକାଶେ ଯଦି ଆବଶ୍ୟକୀୟ ମାଧ୍ୟମ ରହିଥାଆନ୍ତା ଏବଂ ସରକାରଙ୍କ ପାଖରେ ସେହି ଅଭିବ୍ୟକ୍ତି ପହଞ୍ଚି ପାରିଥାନ୍ତା, ତେବେ ନିଶ୍ଚିତ ରୂପେ ଦୁର୍ଭିିକ୍ଷର ପ୍ରତିକାର ହୋଇ ପାରିଥାନ୍ତା । ଏହି ଅନୁଭୂତିରୁ ପତ୍ର-ପତ୍ରିକା ପ୍ରକାଶନକୁ ବୁଦ୍ଧିଜୀବୀ ପ୍ରଭୂତ ମହତ୍ତ୍ୱ ଦେଲେ । ନଅଙ୍କ ଦୁର୍ଭିିକ୍ଷ ସମୟରେ ୧୮୬୬ରେ ଗୌରୀ ଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକରୁ 'ଉତ୍କଳ ଦୀପିକା' ପ୍ରକାଶିତ ହେଲା । ମିଶନାରୀ ଉଦ୍ୟମରେ ପ୍ରକାଶିତ 'ପ୍ରବୋଧ ଚନ୍ଦ୍ର ପତ୍ରିକା'କୁ ବାଦ ଦେଲେ, ବୋଧହୁଏ 'ଉତ୍କଳ ଦୀପିକା' ହେବ ଜାତୀୟତାବାଦୀଙ୍କ ଉଦ୍ୟମରେ ପ୍ରକାଶିତ ପ୍ରଥମ ସାପ୍ତାହିକ ଓଡ଼ିଆ ପତ୍ରିକା । ତେଣିକି ବାଲେଶ୍ୱରରୁ ଫକୀରମୋହନ ଓ ଗୋବିନ୍ଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୧୮୬୮ରେ 'ସଂବାଦ ବାହିନୀ' ପ୍ରକାଶିତ ହେଲା । ପ୍ୟାରୀମୋହନ 'ଉତ୍କଳ ପୁତ୍ର' (୧୮୭୩) ଓ ଚତୁର୍ଭୁଜ ପଟ୍ଟନାୟକ 'ସଂସ୍କାରକ'(୧୮୮୩) ପତ୍ରିକା ସଂପାଦନା କଲେ । ୧୮୭୧ରେ ଓଡ଼ିଆ ପତ୍ରିକାର ମୋଟ ସଂଖ୍ୟା ଥିଲା ଚାରି; ୧୮୭୯ରେ ହେଲା ୧୯ ଏବଂ ୧୯୦୦ ମସିହା ବେଳକୁ ଏହାର ସଂଖ୍ୟା ଯାଇ ପହଞ୍ଚିଲା ୩୪ରେ । ବୁଦ୍ଧିଜୀବୀଙ୍କ ଦୃଷ୍ଟିରେ ପତ୍ରିକା କେତେ ମାତ୍ରାରେ ଜାତୀୟତାମୂଳକ କାର୍ଯ୍ୟ ରୂପରେ ମହତ୍ତ୍ୱ ପାଇଲା, ତାହା ଏଥିରୁ ପ୍ରମାଣିତ ହୁଏ ।

ସେତେବେଳେ ପତ୍ରିକା ପ୍ରକାଶନ କଦାଚିତ ବ୍ୟବସାୟ ହୋଇ ନଥିଲା । ସାମ୍ବାଦିକତା ଏକ ପେସାଦାର ବୃତ୍ତି ନଥିଲା । ବୁଦ୍ଧିଜୀବୀ ଏହାକୁ ଜାତୀୟ କାର୍ଯ୍ୟ ଭାବରେ ଗ୍ରହଣ କରିଥିଲେ । ଫକୀର ମୋହନ ଖୁବ୍‍ କଷ୍ଟରେ କଲିକତାରୁ ଛାପାଖାନା କିଣି ତାକୁ ବାଲେଶ୍ୱରରେ ବସାଇଥିଲେ, ତା'ର ଏକ ମାର୍ମିକ ବର୍ଣ୍ଣନା ରହିଛି ତାଙ୍କ 'ଆତ୍ମଜୀବନ ଚରିତ'ରେ । "ପ୍ରେସ୍‍ ସ୍ଥାପନ ନଚେତ୍‍ ଜୀବନ ତ୍ୟାଗ" ବୋଲି ନେଇଥିବା ତାଙ୍କ ଶପଥ ପଛରେ ଉଦ୍ଦେଶ୍ୟ ଥିଲା, ଜାତୀୟ ସାହିତ୍ୟର ଉନ୍ନତି ଓ ପ୍ରଚାର । "ନିଃସ୍ୱାର୍ଥ ଭାବରେ ପ୍ରାଣପଣେ" ସେ ଏଥିରେ ଲାଗିଥିଲେ, କାରଣ ତାଙ୍କ ବିଚାରରେ ଏହା ଥିଲା ଏକ "ସାଧୁ କାର୍ଯ୍ୟ ।" ଉତ୍କଳ ଦୀପିକାର ପ୍ରକାଶନ ପଛରେ କିରାଣି କାମ କରୁଥିବା ଗୌରୀଶଙ୍କରଙ୍କର ସେହିଭଳି ତ୍ୟାଗ ରହିଥିଲା । ପ୍ୟାରୀମୋହନଙ୍କ 'ଉତ୍କଳ ପୁତ୍ର' ପ୍ରକାଶନର ଅନ୍ୟତମ ଉଦ୍ଦେଶ୍ୟ ଥିଲା, 'ଉତ୍କଳ ଦୀପିକା'କୁ ସମାଜ କାମରେ ସହଯୋଗ କରିବା । ତତ୍‍କାଳୀନ ପତ୍ର ପତ୍ରିକାର ଉଦ୍ଦେଶ୍ୟ ଥିଲା ଯେହେତୁ ସମାଜ ସେବା, ପରସ୍ପରକୁ ପତ୍ରିକାମାନେ 'ସହଯୋଗୀ' ବୋଲି ସଂବୋଧନ କରୁଥିଲେ । ସମାଜ କାମରେ ସହଯୋଗୀ, ଜାତୀୟ ସେବାରେସହଯୋଗୀ, ସରକାର ଓ ଲୋକଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କାର୍ଯ୍ୟରେ ସହଯୋଗୀ । ଏହି୨୨୦ . ଓଡ଼ିଶା ଇତିହାସ