ପୃଷ୍ଠା:Odisha Itihasa.pdf/୨୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନେଇ ବିଦେଶୀ ଶକ୍ତି ଭାରତକୁ ସହଜରେ କବ୍‍ଜା କରି ନେଉଥିଲେ । କୁସଂସ୍କାର, ରୂଢ଼ିବାଦିତା ଆଦିରୁ ଇଂରେଜ ସରକାର ଭାରତବାସୀଙ୍କୁ ବିମୁକ୍ତି ଦେବ ଏବଂ ତା' ସ୍ଥାନରେ ସଭ୍ୟତା, ସୁସଂସ୍କୃତି ଓ ଆଧୁିନିକତା ଆଣିଦେବ ବୋଲି ମଧ୍ୟ ସେମାନେ ବିଶ୍ୱାସ କରୁଥିଲେ । ଏହି ଆଶାରେ ଗଂଗାଧର ମେହେର ଇଂରେଜ ଶାସନର ପ୍ରଶଂସାରେ ୧୯୦୦ରେ 'ଭିକ୍ଟୋରିଆ ସ୍ତବ' ଲେଖିଥିଲେ; ଫକୀରମୋହନ ତାଙ୍କ ରଚିତ ଭାରତ ଇତିହାସରେ ଇଂରେଜ ଶାସନକୁ 'ସୁବର୍ଣ୍ଣ ଯୁଗ' ବୋଲି କହିଥିଲେ । ଗୋପାଳଚନ୍ଦ୍ର ପ୍ରହରାଜ, ଯିଏ ବ୍ୟଙ୍ଗାତ୍ମକ ଶୈଳୀରେ ନିଜ ସମାଲୋଚନାପାଇଁ ସୁପରିଚିତ ଥିଲେ, ଅତ୍ୟନ୍ତ ନମ୍ର ସ୍ୱରରେ ଲେଖିଛନ୍ତି, "ଶୁଭ କ୍ଷଣରେ ଆମ୍ଭେମାନେ ଇଂରେଜ ରାଜାଙ୍କୁ ପାଇଅଛୁ । ଇଂରେଜରାଜ ଆମ୍ଭମାନଙ୍କୁ ସଭ୍ୟତା ଦେଇ ଅଛନ୍ତି, ଶିକ୍ଷା ଦେଇ ଅଛନ୍ତି, ବଳ ଦେଇ ଅଛନ୍ତି, ଅଭାବ ବୁଝିବାର କ୍ଷମତା ଦେଇ ଅଛନ୍ତି ।" ମୋଟ କଥା ହେଲା ଯେ, ଏହି ସମୟରେ ଜାତୀୟତାବାଦୀ ନେତୃତ୍ୱ କୁସଂସ୍କାରର ବିରୋଧକୁ ଅଧିକ ମହତ୍ତ୍ୱ ଦେଉଥିଲେ ଏବଂ ଏହି କାର୍ଯ୍ୟରେ ଇଂରେଜ ସରକାରଙ୍କ ସହଯୋଗ କାମନା କରୁଥିଲେ । କୁସଂସ୍କାର ବିରୋଧରେ ଲଢ଼ିବାସକାଶେ, ସେମାନଙ୍କ ଦୃଷ୍ଟିରେ, ଜାତୀୟତାର ଆବଶ୍ୟକତା ରହିଥିଲା । ସାମୟିକ ଭାବରେ ଇଂରେଜ ସରକାରର ମଧ୍ୟ ଆବଶ୍ୟକତା ଥିଲା । ଏଠାରେ ଅବଶ୍ୟ ଏକଥା ସ୍ପଷ୍ଟ ହେବା ଉଚିତ ଯେ, ଜାତୀୟତାର ଜନ୍ମକାଳରେ ନେତୃତ୍ୱ ଇଂରେଜ ବିରୁଦ୍ଧରେ ଅଧିକ କଠୋର ହେବାର ସାହସ କରି ପାରିବ ନାହିଁ । ତେଣୁ ସାମାଜିକ କୁସଂସ୍କାରକୁ ଲକ୍ଷ୍ୟ କରି ଜାତୀୟ ଏକତା କାମନା କରାଯାଉଥିଲା । ମାତ୍ର ପ୍ରଚ୍ଛନ୍ନ ଭାବରେ ତହିଁରେ ସରକାର ପ୍ରତି ମଧ୍ୟ ସମାଲୋଚନା ରହିଥିଲା । ଏହାକୁ ନେତୃତ୍ୱର ପରିପକ୍ୱ ରଣ କୌଶଳ ରୂପରେ ଦେଖାଯାଇପାରେ ।

କୁସଂସ୍କାର ମଧ୍ୟରେ ବିପତ୍ନୀକ ବୃଦ୍ଧ ବିବାହ, ବାଲ୍ୟ ବିବାହ, ଅଂଧବିଶ୍ୱାସ ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଉପରେ ବ୍ରାହ୍ମଣର ଅହେତୁକ କର୍ତ୍ତୃତ୍ୱ ଆଦିକୁ ସାମିଲ୍‍ କରାଯାଇଥିଲା । ଫକୀରମୋହନଙ୍କ 'ମାଧ ମହାନ୍ତିଙ୍କ କନ୍ୟାସୁନା', 'ଧୂଳିଆ ବାବା' ଓ 'ଉତ୍କଳ ଭ୍ରମଣଂ' ଆଦି ରଚନାରେ ଏହି ସବୁ କୁସଂସ୍କାରର ବିଶଦ ଆଲୋଚନା କରାଯାଇଛି ଏବଂ ସେଗୁଡ଼ିକୁ ଜାତୀୟ ଦୁର୍ଗତିର କାରଣ ବୋଲି କୁହାଯାଇଛି । ଏହି ପରଂପରା ତତ୍‍କାଳୀନ ଅନ୍ୟ ସର୍ଜନାଗୁଡ଼ିକରେ ମଧ୍ୟ ପରିଲକ୍ଷିତ ହୁଏ । କୁସଂସ୍କାରର ବିରୋଧ କରିବା ପ୍ରକ୍ରିୟାରେ ଓଡ଼ିଶାର ଅନେକ ଜାତୀୟତାବାଦୀ, ଯଥା- ଫକୀରମୋହନ, ରାଧାନାଥ ରାୟ, ମଧୁସୂଦନ ରାଓ, ବିଶ୍ୱାଥ କର ଓ ପ୍ୟାରୀମୋହନ, ସଂସ୍କାରମୂଳକ 'ବ୍ରାହ୍ମ ସମାଜ'ରେ ସାମିଲ ହୋଇ ଯାଇଥିଲେ । ଏହାକୁ ସେମାନେ ହିନ୍ଦୁ ଧର୍ମଠାରୁ ଅଲଗା ଏକ ନୂତନ ଧର୍ମ, ବ୍ରାହ୍ମ ଧର୍ମ ବୋଲି ବିଚାର କରୁଥିଲେ । ହିନ୍ଦୁଧର୍ମର ରୂଢ଼ିବାଦୀ ଗୋଷ୍ଠୀ ସେମାନଙ୍କୁ ହିନ୍ଦୁଧର୍ମ ବିରୋଧୀ ବୋଲି ମଧ୍ୟ ମନେ କରୁଥିଲେ । ମଧୁସୂଦନ ଦାସ ଉଚ୍ଚ ଶିକ୍ଷାପାଇଁ କଲିକତାରେ ଅବସ୍ଥାନ କରୁଥିବା ସମୟରେ ଖ୍ରୀଷ୍ଟିଆନ୍‍ ଧର୍ମ ଗ୍ରହଣ କରି ନିଜ ସଂସ୍କାରବାଦିତାର ପରିଚୟ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ପୁରୀର ହରିହର ଦାସଶର୍ମା (୧୮୪୨-୧୮୭୧)ଙ୍କ ସଂବନ୍ଧରେ ସାମାନ୍ୟ ଚର୍ଚ୍ଚାର ଆବଶ୍ୟକତା ରହିଛି । ହରିହର ଥିଲେ ଜଣେ ସଂସ୍କୃତ ପଣ୍ଡିତ । ମାତ୍ର ଜାତୀୟ ବିକାଶନିମନ୍ତେ{{right|ଓଡ଼ିଶା ଇତିହାସ . ୨୨୩