ପୃଷ୍ଠା:Odisha Itihasa.pdf/୨୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ବଲପୁରରେ ଭାଷା ଆନ୍ଦୋଳନ

ପଶ୍ଚିମ ଓଡ଼ିଶାରେ ରହିଥିବା ସମସ୍ତ ଗଡ଼ଜାତ ଏବଂ ଅନ୍ୟ ଅଞ୍ଚଳଗୁଡ଼ିକର ମୁଖ୍ୟାଳୟ ଥିଲା ସମ୍ବଲପୁର । ସେହି ଆଧାରରେ ପଶ୍ଚିମ ଓଡ଼ିଶାକୁ ସମ୍ବଲପୁର ଅଞ୍ଚଳ ବା ଲୌକିକ ସ୍ତରରେ ସମ୍ବଲପୁର ବୋଲି କୁହାଯାଉଥିଲା । ସମ୍ବଲପୁର ଇଂରେଜ ଶାସନର ଆରମ୍ଭରୁ କେନ୍ଦ୍ର ପ୍ରଦେଶରେ ରହିଥିଲା । ଇଂରେଜ ରେସିଡେଣ୍ଟ ସେଠାରେ ପ୍ରଥମେ ସରକାରୀ କାଗଜପତ୍ରରେ ପାର୍ସୀ ଓ ଉର୍ଦ୍ଦୁ ଭାଷାର ବ୍ୟବହାରକୁ ସ୍ୱୀକୃତି ଦେଇଥିଲେ । ୧୮୬୨ରୁ ଓଡ଼ିଆ ଭାଷାର ପ୍ରଚଳନ ହେଲା । କେନ୍ଦ୍ର ପ୍ରଦେଶର ଅନ୍ୟ ଅଂଶରେ ହିନ୍ଦୀ ଓ ସମ୍ବଲପୁରରେ ଓଡ଼ିଆର ପ୍ରଚଳନଯୋଗୁଁ ସରକାର ପ୍ରାଶାସନିକ ଅସୁବିଧାର ସମ୍ମୁଖୀନ ହେଲେ । ଫଳରେ ୧୮୯୫ରେ ପୁଣି ଥରେ ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ସରକାରୀ ଭାଷା ହେବ ବୋଲି ନିର୍ଦ୍ଦେଶନାମା ଜାରି ହେଲା । ହିନ୍ଦୀକୁ ପ୍ରୋତ୍ସାହନ ଦେବାଲାଗି ସ୍କୁଲ୍‍ରେ ତୃତୀୟ ଶ୍ରେଣୀରୁ ଏହାକୁ ବାଧ୍ୟତାମୂଳକ ବିଷୟ କରିବାଲାଗି ପ୍ରସ୍ତାବ ରହିଲା । ୧୮୯୬ରୁ ପ୍ରସ୍ତାବ କାର୍ଯ୍ୟକାରୀ ମଧ୍ୟ ହେଲା ।

ସରକାରୀ ଆଦେଶନାମାର ପ୍ରତ୍ୟାହାର ଏବଂ ସମ୍ବଲପୁରକୁ ବଂଗ ପ୍ରେସିଡେନ୍‍ସିର ଓଡ଼ିଶା ଡିଭିଜନ ସହ ମିଶ୍ରଣ ଦାବି କରି ସମ୍ବଲପୁରରେ ଆନ୍ଦୋଳନ ଆରମ୍ଭ ହେଲା । ଏହାର ପ୍ରମୁଖ ନେତା ଥିଲେ ଚନ୍ଦ୍ରଶେଖର ବେହେରା ଓ ବୈକୁଣ୍ଠନାଥ ପୂଜାରୀ । ଏହି ଆନ୍ଦୋଳନକୁ ଭାରତୀୟ ଜାତୀୟ କଂଗ୍ରେସର ମଡ଼ରେଟ୍‍ ବା ନରମପନ୍ଥୀ ରାଜନୀତିର ଏକ ପ୍ରତିଫଳନ ରୂପେ ଦେଖିହେବ । ଅବଶ୍ୟ ସେତେବେଳେ ଓଡ଼ିଶାରେ ଜାତୀୟ କଂଗ୍ରେସର ଶାଖା ସ୍ଥାପିତ ହୋଇ ନଥିଲା । ମାତ୍ର ନରମପନ୍ଥୀ ରାଜନୀତିର ଆଧାରରେ ସ୍ଥାନୀୟ ନେତୃତ୍ୱ ଲୋକ ସମର୍ଥନ ଉପରେ ଗୁରୁତ୍ୱ ଦେଲେ । ଜନଗଣନା ବେଳେ ଲୋକଙ୍କୁ ନିଜ ମାତୃଭାଷା ଓଡ଼ିଆ ବୋଲି ଜଣାଇବାକୁ ବୁଝାଇଲେ । ଯଦିଓ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହର ପରେ ପରେ ଏହି ଆନ୍ଦୋଳନ ସଂଘଟିତ ହୋଇଥିଲା, ନେତୃତ୍ୱ ଦାବି ପୂରଣପାଇଁ ହିଂସାତ୍ମକ ପନ୍ଥା ଆଚରଣ କରି ନ ଥିଲେ । ବରଂ ବାରମ୍ବାର ସଭା ସମିତି ଆୟୋଜନ କରି ତହିଁରେ ନିଜର ଯୁକ୍ତିକୁ ଥୋଇଲେ । ଉଭୟ ପ୍ରଶାସନ ଓ ଲୋକଙ୍କ ଅବଗତି ନିମନ୍ତେ ଓଡ଼ିଆ ଓ ଇଂରାଜୀରେ ପ୍ରଚାରପତ୍ରମାନ ବଣ୍ଟା ହେଲା । ଏହା ବ୍ୟତୀତ ଆନ୍ଦୋଳନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସହର ବାହାରେ ଗାଁଣ୍ଡାଗୁଡ଼ିକରେ ମଧ୍ୟ ସଭା ସମିତି ଆୟୋଜିତ ହେଲା । ରାଜନୀତିକ ଦାବିପୂରଣପାଇଁ ଲୋକଙ୍କର ସଂପୃକ୍ତି ଉପରେ ଗୁରୁତ୍ୱ ଦେଇ ସମ୍ବଲପୁରର ସ୍ଥାନୀୟ ନେତୃତ୍ୱ ଏକ ଜାତୀୟ କର୍ତ୍ତବ୍ୟ ନିର୍ବାହ କରିଥିଲେ ।

ସମ୍ବଲପୁରର ଭାଷା ଆନ୍ଦୋଳନର ଅନ୍ୟ କେତୋଟି ବୈଶିଷ୍ଟ୍ୟ ମଧ୍ୟରେ ସରକାରଙ୍କ ପାଖକୁ ସ୍ମାରକ ପତ୍ର ପ୍ରେରଣ କରାଯିବା, ସିମଲାରେ ବଡ଼ଲାଟଙ୍କୁ ଭେଟିବାସକାଶେ 'ଡେଲିଗେସନ୍‍'ରେ ଯିବା ଏବଂ ଆନ୍ଦୋଳନର ଖର୍ଚ୍ଚ ପୂରଣସକାଶେ ସାଧାରଣ ଲୋକଙ୍କ ପାଖରୁ ପାଣ୍ଠି ସଂଗ୍ରହ କରିବା ହେଲା ଅନ୍ୟତମ । ଏହି ସମୟରେ ଗଙ୍ଗାଧର ମେହେର 'ଭାରତୀ ରୋଦନ' ଏବଂ 'ଉତ୍କଳ ଭାରତୀଙ୍କ ନିବେଦନ' ଶୀର୍ଷକରେ କବିତା ଲେଖି 'ସମ୍ବଲପୁର ହିତୈଷିଣୀ'ରେ ପ୍ରକାଶ କରିଥିଲେ । ଏଥିରେ ଇଂରେଜ କମିସନର ଉଡ଼୍‍ବର୍ଣ୍ଣଙ୍କଠାରୁ ଆରମ୍ଭ କରି ରାଜନ୍ୟବର୍ଗ ଓ ସାଧାରଣବର୍ଗଙ୍କ୨୨୬ . ଓଡ଼ିଶା ଇତିହାସ