ପୃଷ୍ଠା:Odisha Itihasa.pdf/୨୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଖରେ ସମ୍ବଲପୁରରୁ ଓଡ଼ିଆର ଉଚ୍ଛେଦ ନିଷ୍ପତ୍ତିକୁ ଉଠାଇନେବା ଲାଗି ନିବେଦନ କରାଯାଇଥିଲା । ଫକୀର ମୋହନ ମଧ୍ୟ 'ଉତ୍କଳ ଭ୍ରମଣଂ'ରେ ଏହି ନିଷ୍ପତ୍ତିକୁ ଯୁକ୍ତିହୀନ ବୋଲି ଦର୍ଶାଇଥିଲେ । ରାଜନୈତିକ ଆନ୍ଦୋଳନର ପ୍ରଚାର ପ୍ରସାର ଦିଗରେ ଜାତୀୟତାବାଦୀ ସାହିତ୍ୟକୁ ମାଧ୍ୟମ ଭାବରେ ବ୍ୟବହାର କରାଯାଇପାରେ ବୋଲି ବୁଦ୍ଧିଜୀବୀ ସିଦ୍ଧ କରିଥିଲେ । ଶେଷରେ ୧୯୦୧ରେ ସରକାର ସମ୍ବଲପୁରରେ ଓଡ଼ିଆର ପୁନଃପ୍ରଚଳନ ହେବ ବୋଲି ନିର୍ଦ୍ଦେଶନାମା ଜାରି କଲେ । ୧୯୦୫ରେ ସମ୍ବଲପୁରକୁ ଓଡ଼ିଶା ଡିଭିଜନ ସହ ମିଶ୍ରଣ କରି ଦିଆଗଲା । ଏହା ଫଳରେ ସେଠାରେ ସରକାରୀ ସ୍ତରରେ ଓଡ଼ିଆର ବ୍ୟବହାର ଆଉ ସମସ୍ୟା ସୃଷ୍ଟି କଲା ନାହିଁ । ଭାଷା ଆନ୍ଦୋଳନର ଏହି ସଫଳତାକୁ ସର୍ବଭାରତୀୟ ନେତୃତ୍ୱର ପ୍ରତ୍ୟକ୍ଷ ସଂପୃକ୍ତି ବିନା, ସ୍ଥାନୀୟ ନେତୃତ୍ୱ ହାସଲ କରି ପାରିଥିଲେ । ପୁଣି, ଓଡ଼ିଶା ସ୍ତରରେ ଦେଖିଲେ ଏହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ଦୃଢ଼ ଭିତ୍ତି ପ୍ରଦାନ କଲା । ଆନ୍ଦୋଳନକୁ ସମସ୍ତ ଓଡ଼ିଆ ପତ୍ର-ପତ୍ରିକା ଓ ବୁଦ୍ଧିଜୀବୀବର୍ଗ ସମର୍ଥନ ଜଣାଇଲେ । ଆନ୍ଦୋଳନଯୋଗୁଁ ଅନ୍ତତଃ ବୁଦ୍ଧିଜୀବୀ ସ୍ତରରେ ଏକତା ଆସିଲା । ଫଳସ୍ୱରୂପ, ୧୮୯୬ ମସିହାରେ କଟକ ନିବାସୀ ମଧୁସୂଦନ ଦାସଙ୍କୁ ବଙ୍ଗଲାଟ୍‍ସଭା ଲାଗି ପାର୍ଥୀ କରାଯିବ ବୋଲି ସମ୍ବଲପୁରରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା । ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍‍ ସହାୟକ ସିଦ୍ଧ ହେଲା ।

ଭାଷା ଆନ୍ଦୋଳନ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା । ଗଂଜାମରୁ ପ୍ରକାଶିତ 'ସ୍ୱଦେଶୀ' (୧୮୭୫) ଏବଂ ପାରଳାଖେମୁଣ୍ଡିରୁ ପ୍ରକାଶିତ 'ଗଞ୍ଜାମ ଓଡ଼ିଆ ହିତବାଦିନୀ' (୧୮୯୯) ଆନ୍ଦୋଳନକୁ ପ୍ରତିିନିଧିତ୍ୱ ଦେଇଥିଲେ । ୧୮୮୧ରେ ଭାଷା ସୁରକ୍ଷା ତଥା ଅନ୍ୟାନ୍ୟ ପ୍ରସଙ୍ଗନିମନ୍ତେ ଉତ୍କଳ ହିତବାଦିନୀ ସଭା ଗଠିତ ହୋଇଥିଲା । ୧୮୯୦ ଦଶକରେ ମାଡ଼୍ରାସ୍‍ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଂଜାମର ସ୍କୁଲ୍‍ମାନଙ୍କରେ ଓଡ଼ିଆ ଶିକ୍ଷାର ବ୍ୟବସ୍ଥା ହେଲା । ମାତ୍ର ଜାତୀୟତାବାଦୀଙ୍କ ଦାବି ସତ୍ତ୍ୱେ ଗଂଜାମକୁ ଓଡ଼ିଶା ଡିଭିଜନରେ ମିଶ୍ରଣ କରାଗଲା ନାହିଁ । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ପର୍ଯ୍ୟନ୍ତ ଗଞ୍ଜାମ ମାଡ଼୍ରାସ୍‍ ପ୍ରେସିଡେନ୍‍ସିର ଅଂଶ ହୋଇ ରହିଲା ।

ଓଡ଼ିଶା ଡିଭିଜନରେ ଭାଷା ଆନ୍ଦୋଳନ ଅଧିକ ତୀବ୍ର ଆକାର ଧାରଣ କଲା । ଇଂରେଜ ଶାସନ ପୂର୍ବରୁ ଏହି ଅଂଚଳ ଓଡ଼ିଶାର ରାଜନୈତିକ କେନ୍ଦ୍ର ରୂପେ ବିବେଚିତ ହୋଇ ଆସିଥିଲା । ଏଠାରେ ଆଧୁନିକ ଶିକ୍ଷିତ ବର୍ଗର ସଂଖ୍ୟା ଅନ୍ୟ ଓଡ଼ିଆ ଭାଷା-ଭାଷୀ ଅଂଚଳ ଅପେକ୍ଷା ଅଧିକ । ପୁଣି, ଏହି କ୍ଷେତ୍ରଟି ବଂଗ ପ୍ରେସିଡେନ୍‍ସିର ଅଂଶ ହୋଇ ରହିଥିଲା । ଏମିତିରେ କେନ୍ଦ୍ର ପ୍ରଦେଶ ବା ମାଡ଼୍ରାସ୍‍ ତୁଳନାରେ ବଙ୍ଗ ଭାଷୀ ଶିକ୍ଷିତ ଓ କର୍ମଚାରୀଙ୍କ ସଂଖ୍ୟା ବେଶୀ । ତେଣୁ ଉପକୂଳ ଅଂଚଳ ନାମରେ ପରିଚିତ ଓଡ଼ିଶା ଡିଭିଜନରେ ସଂଘାତ ଅଧିକ ଓ ଆନ୍ଦୋଳନ ଅଧିକ ବ୍ୟାପକ ମନେହେଲା ।

ଓଡ଼ିଆ ଭାଷା ଓଡ଼ିଶାରେ ଉଚ୍ଛେଦ ହେବାର ଭୟରେ ଫକୀର ମୋହନ କେତେକ ସ୍ଥାନୀୟ ଅମଲାମାନଙ୍କୁ ନେଇ ବାଲେଶ୍ୱରରେ ପ୍ରତିବାଦ ସଭା ଆୟୋଜନ କଲେ ଏବଂ ସରକାରଙ୍କୁ ସ୍ମାରକ{{right|ଓଡ଼ିଶା ଇତିହାସ . ୨୨୭