ପୃଷ୍ଠା:Odisha Itihasa.pdf/୨୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ କାଳର ଅନ୍ୟ ବୁଦ୍ଧିଜୀବୀମାନେ ମଧ୍ୟ ଓଡ଼ିଶାର ଅତୀତକୁ ନେଇ ଗର୍ବ କରିଛନ୍ତି ଏବଂ ଆଧୁିନିକତାର ପ୍ରେକ୍ଷାପଟରେ ସେହିଭଳି ଏକ ଆଦର୍ଶ ସମାଜ ଗଢ଼ିବାକୁ ପ୍ରେରଣା ଦେଇଛନ୍ତି । ମଧୁସୂଦନ ଦାସ ନିଜେ କବି ନହେବା ସତ୍ତ୍ୱେ 'ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା ପଡିବ କି ତୋର ମନେ' ବୋଲି ଗୀତ ଲେଖିଛନ୍ତି । ଏହିସବୁ ରଚନା ଉପନିବେଶବାଦୀ ସାଂସ୍କୃତିକ କର୍ତ୍ତୃତ୍ୱଯୋଗୁଁ ସ୍ଥାନୀୟ ସମାଜରେ ବିସ୍ତାରିତ ହେଉଥିବା ହୀନମନ୍ୟତାକୁ ଦୂର କରିବାଲାଗି ଉଦ୍ଦିଷ୍ଟ ଥିଲା । ଅତୀତର ଉଦ୍ଧରଣ ଲୋକଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀମାନେ ଆଶା କରୁଥିଲେ ।

୧୮୮୦ ଦଶକ ଆଡ଼କୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଜାତୀୟତାବାଦୀ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ସାମାଜିକ ଓ ରାଜନୈତିକ ସଂଗଠନଗୁଡ଼ିକର ସ୍ଥାପନା ହେଲା । ସଂଗଠନଗୁଡ଼ିକ ମଧ୍ୟରେ ପ୍ରମୁଖ ଥିଲେ ବାଲେଶ୍ୱରର 'ନେଶନାଲ୍‍ ସୋସାଇଟି' (୧୮୭୮), ପାରଳାଖେମୁଣ୍ଡିର 'ଉତ୍କଳ ହିତୈଷିଣୀ ସଭା' (୧୮୮୧) ଓ କଟକର 'ଉତ୍କଳ ସଭା'(୧୮୮୨) । ୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ଥାପିତ 'ଉତ୍କଳ ସମ୍ମିଳନୀ'ର ପୂର୍ବସୂରୀ ରୂପେ ଏହି ସଂଗଠନଗୁଡ଼ିକୁ ଦେଖିହେବ । ସେଗୁଡ଼ିକର କାର୍ଯ୍ୟପରିଧି ସ୍ଥାପିତ ସହରଯାକେ ସୀମିତ ଥିଲା; ସଂଖ୍ୟାନ୍ୟୂନ ବୁଦ୍ଧିଜୀବୀଙ୍କୁ ବାଦ ଦେଲେ ସେଗୁଡ଼ିକର କୌଣସି ଜନାଧାର ନଥିଲା । ଏ ସବୁ ସତ୍ତ୍ୱେ ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ସେଠାରେ ଆଲୋଚନା କରାଗଲା ଏବଂ ପତ୍ରିକା ପ୍ରକାଶନକୁ ଏହି ସଂଗଠନଗୁଡ଼ିକ ମହତ୍ତ୍ୱ ଦେଲେ । ଉଦାହରଣ ସ୍ୱରୂପ 'ନେଶନାଲ୍‍ ସୋସାଇଟି', 'ସଂବାଦ ବାହିକା'ର ପ୍ରକାଶନ ଓ ସଂପାଦନା ତଥା 'ଉତ୍କଳ ସଭା' ସଂସ୍ଥା 'ଉତ୍କଳ ଦୀପିକା'ର ପ୍ରକାଶନ ସହ ସଂପୃକ୍ତ ଥିଲେ । ସଂଗଠନମାନେ ୧୮୮୫ରେ କଂଗ୍ରେସର ସ୍ଥାପନା ପରେ ତା'ର ବାର୍ଷିକ ଅଧିବେଶନକୁ ପ୍ରତିନିଧି ପଠାଇଲେ । ଏହି କ୍ରମରେ ଜାତୀୟ କଂଗ୍ରେସ ଓ ଏହି ସ୍ଥାନୀୟ ସଂଗଠନଗୁଡ଼ିକ ମଧ୍ୟରେ ଯୋଗସୂତ୍ର ରକ୍ଷା ହେଲା । ଅନ୍ୟ ଶବ୍ଦରେ କହିଲେ, ଏହି ସଂଗଠନଗୁଡ଼ିକ ମାଧ୍ୟମରେ ଓଡ଼ିଶା ଓ ବାହାରର ଜାତୀୟତାବାଦୀଙ୍କ ମଧ୍ୟରେ ସଂପର୍କର ସୂତ୍ର ଗଠନ ହେଲା । ଫଳରେ, ଓଡ଼ିଶା ପ୍ରସଙ୍ଗ କଂଗ୍ରେସ ମଞ୍ଚରେ ଏବଂ କଂଗ୍ରେସ ବା ଜାତୀୟ ପ୍ରସଙ୍ଗ ଓଡ଼ିଶା ସ୍ତରରେ ଆଲୋଚିତ ହେଲା । ଏହି ପରିପ୍ରେକ୍ଷୀରେ ଦେଖିଲେ, ଏକ ବ୍ୟାପକ ଜାତୀୟ ଆନ୍ଦୋଳନ ଗଠନରେ ଉତ୍କଳୀୟ ବୁଦ୍ଧିଜୀବୀର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

ଉତ୍ଥାପିତ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଦାରିଦ୍ର୍ୟ ଥିଲା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ । ବୁଦ୍ଧିଜୀବୀ ଦୃଷ୍ଟିରେ, ଦାରିଦ୍ର୍ୟର କାରଣ ହେଲା କରବୃଦ୍ଧି, ସ୍ଥାନୀୟ ଶିଳ୍ପ ଯଥା ଲୁଣ ପ୍ରୋକ୍ତାନ ତଥା ଜାହାଜ ନିର୍ମାଣର ବିଲୋପ ଏବଂ ତଳିଆ କର୍ମଚାରୀଙ୍କ ନିମ୍ନ ବେତନ ଇତ୍ୟାଦି । ଦାରିଦ୍ର୍ୟଯୋଗୁଁ ଲୋକ ମାତୃଭାଷାରେ ଲିଖିତ ପୁସ୍ତକଟିଏ ମଧ୍ୟ କିଣି ପାରୁାହାନ୍ତି ବୋଲି ୧୯୧୩ରେ ଫକୀର ମୋହନ ଲେଖିଥିଲେ । 'ଓଡ଼ିଆ ଓ ନବସମ୍ବାଦ' ୧୮୯୫ରେ ଲେଖିଲା ଯେ, ବାଲେଶ୍ୱର ବଜାରରେ ଲୁଣର କାଟ୍‍ତି ଊଣା ହେବା ପଛରେ ବଡ଼ କାରଣ ହେଲା ଦରିଦ୍ର୍ୟ । ଗରିବୀଯୋଗୁଁ ଲୋକ ଭୋଜି ଆଦିରେ ହାତଖୋଲି ଖର୍ଚ୍ଚ କରି ପାରୁ ନାହାନ୍ତି । ଏଭଳିକି ସେମାନଙ୍କୁ ସାଧାରଣ ଖାଇବା ମଧ୍ୟ ଜୁଟୁ ନାହିିଁ ।{{right|ଓଡ଼ିଶା ଇତିହାସ . ୨୨୯