ପୃଷ୍ଠା:Odisha Itihasa.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଙ୍ଗରାଜବଂଶର ପତନ ପରେ ପଞ୍ଚଦଶ ଶତାବ୍ଦୀରେ ଯେତବେଳେ ସୂର୍ଯ୍ୟବଂଶୀ ଗଜପତି ଶାସକଙ୍କର ଉତ୍‍ଥାନ ହେଲା, ସେତେବେଳେ ଓଡ୍ର ଦେଶର ଉଲ୍ଲେଖ ଦେଖିବାକୁ ମିଳିଲା । ଗଜପତି ରାଜ୍ୟ ଅର୍ଥାତ୍‍ ଓଡ୍ର ଦେଶ । କଳିଙ୍ଗ ଓ ଉତ୍କଳ ଭଳି ସାହିତ୍ୟ ଓ ଅଭିଲେଖମାନଙ୍କରେ ମଧ୍ୟ ଓଡ୍ର ନାମକୁ ମାନ୍ୟତା ମିଳିଲା । କେତେକ ଗବେଷକଙ୍କ ମତରେ ଉତ୍କଳର ଅନ୍ୟ ନାମ ହେଲା ଓଡ୍ର । ମାତ୍ର ଅନ୍ୟ କେତେକ ଗବେଷକ ଓଡ୍ର ଓ ଉତ୍କଳ ଦୁଇଟି ଭିନ୍ନ ଭିନ୍ନ ରାଜ୍ୟ ବୋଲି ଯୁକ୍ତି କରିଥାନ୍ତି । ବିଭିନ୍ନ ରାଜାଙ୍କ ସମୟରେ ରାଜ୍ୟର ସୀମା ବିଶେଷ କରି ଯୁଦ୍ଧଯୋଗୁଁ ବାରମ୍ବାର ପରିବର୍ତ୍ତିିତ ହେଉଥିବାରୁ ଓଡ୍ର ରାଜ୍ୟର ଏକ ନିର୍ଦ୍ଦିଷ୍ଟ ସୀମା ନିଶ୍ଚିତ କରିବା ସହଜ ନୁହେଁ । ମହାଭାରତରେ ଓଡ୍ରର ନାମୋଲ୍ଲେଖ ରହିଛି, ମାତ୍ର ରାଜ୍ୟର ଅବସ୍ଥିତିକୁ ନେଇ ନିର୍ଦ୍ଦିଷ୍ଟ ସୂଚନା ନାହିଁ । 'ବାୟୁପୁରାଣ' ଅନୁଯାୟୀ 'ପୁରୁଷୋତ୍ତମ କ୍ଷେତ୍ର', 'ଅର୍କକ୍ଷେତ୍ର' ଓ 'ବିରଜାକ୍ଷେତ୍ର' ହେଲେ ଓଡ୍ର ରାଜ୍ୟର ତିନୋଟି ପ୍ରମୁଖ ପୁଣ୍ୟ ସ୍ଥଳୀ । ସପ୍ତମ ଶତାବ୍ଦୀରେ ହୁଏନ୍‍ସାଂ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଓଡ୍ରର ଅବସ୍ଥିତି ସମ୍ପର୍କରେ ଯେଉଁ ସୂଚନା ଦେଇଛନ୍ତି, ତାକୁ ଆଧାର କରି ଗବେଷକମାନେ ରାଜ୍ୟର ସୀମା ନିର୍ଦ୍ଧାରଣ କରିଛନ୍ତି । ତାହା ଅନୁଯାୟୀ, ମହାନଦୀ ଉପତ୍ୟକା, ସୁବର୍ଣ୍ଣରେଖା ନଦୀର ନିମ୍ନ ଭାଗ, କଟକ ଜିଲ୍ଲା, ସମ୍ବଲପୁର ଏବଂ ଆଧୁନିକ ବଙ୍ଗର ମେଦିିନିପୁର ଓଡ୍ର ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ରାଜ୍ୟର ପଶ୍ଚିମ ସୀମାରେ ଗଣ୍ତଓ୍ୱାନା, ଉତ୍ତରରେ ଯଶପୁର ଓ ସିଂହଭୂମର ପାର୍ବତ୍ୟାଞ୍ଚଳ ଏବଂ ଦକ୍ଷିଣରେ ଗଞ୍ଜାମ ଅବସ୍ଥିତ ବୋଲି ଅନୁମାନ କରାଯାଏ । ଏଥିରୁ ମନେହୁଏ ଯେ, କୋଶଳ ଓ ଉତ୍କଳ ପରି ଓଡ୍ରର ନାମୋଲ୍ଲେଖ ମଧ୍ୟ ପ୍ରାଚୀନ କାଳରୁ ରହି ଆସିଛି । ଦ୍ୱିତୀୟତଃ ଆଧୁନିକ ଓଡ଼ିଶା ନାମ ହିଁ ସିଧା ଓଡ୍ର ନାମର ଅପଭ୍ରଂଶ । ଉଭୟ ଓଡ୍ର ଓ ଓଡ଼ିଶା ନାମ ସେହି କ୍ଷେତ୍ରରେ ବାସକରୁଥିବା ଲୋକସମୂହର ପ୍ରତିନିଧିତ୍ୱ କରେ । ମଧ୍ୟଯୁଗରେ ଯେତେବେଳେ ଆଞ୍ଚଳିକ ଭାଷାଗୁଡ଼ିକର ବିକାଶ ହେଲା, ସେତେବେଳେ ଏହି କ୍ଷେତ୍ରର ଭାଷା-ସାହିତ୍ୟ 'ଓଡିଶା' ବୋଲି ପରିଚିତି ପାଇଲା । ଓଡିଶା ଏକ କ୍ଷେତ୍ର ବିଶେଷର ନାମ ଭାବରେ ଉକ୍ତ କ୍ଷେତ୍ରର ଭାଷା-ସଂସ୍କୃତି ଓ ଲୋକସମୂହର ପ୍ରତିିନିଧିତ୍ୱ କରିବାର ସାମର୍ଥ୍ୟ ରଖିଲା । ତେଣୁ କାଳକ୍ରମେ ଏହା ଅନ୍ୟ ନାମଗୁଡ଼ିକ ତୁଳନାରେ କେବଳ ଜନସ୍ୱୀକୃତି ନୁହେଁ, ଅଧିକ ଶାସକୀୟ ମହତ୍ତ୍ୱ ମଧ୍ୟ ଲାଭ କଲା ।

ଉତ୍କଳ ଓ ଓଡ୍ର ବ୍ୟତୀତ ଆଧୁନିକ ଓଡ଼ିଶା କ୍ଷେତ୍ରରେ ଅତୀତରେ ତ୍ରିକଳିଙ୍ଗ, ତୋଷାଳୀ ଓ କୋଶଳ ଆଦି ରାଜ୍ୟମାନ ମଧ୍ୟ ରହିଥିଲେ । ମାତ୍ର ଏହି ରାଜ୍ୟଗୁଡ଼ିକର ଆୟତନ ଅତ୍ୟନ୍ତ କ୍ଷୁଦ୍ର ଥିବାରୁ ଆଧୁନିକ ଓଡ଼ିଶାର ଅନ୍ୟ ନାମ ଭାବରେ ସେଗୁଡ଼ିକୁ ଗ୍ରହଣ କରାଯାଏ ନାହିଁ । କୋଶଳ, ଉତ୍କଳ ଓ ଓଡ୍ର ନାମ ଯଦି ଓଡ଼ିଶାର ବିଶାଳତାକୁ ଦର୍ଶାନ୍ତି, ଶେଷୋକ୍ତ ନାମଗୁଡ଼ିକ ଅନ୍ତତଃ ଆୟତନ ଦୃଷ୍ଟିରୁ ପ୍ରଦେଶର କ୍ଷୁଦ୍ରତା ବା କ୍ରମ- ସଂକୀର୍ଣ୍ଣତାକୁ ଇଙ୍ଗିତ କରନ୍ତି । ଏହି କାରଣରୁ ସାଂପ୍ରତିକ ଯୁଗରେ ଏହି ନାମଗୁଡିକ ଅତିବେଶି ହେଲେ ଓଡ଼ିଶାର ଅଂଶବିଶେଷ ହୋଇ ପାରନ୍ତି, ମାତ୍ର ପ୍ରଦେଶର ପୂର୍ଣ୍ଣରୂପ ଭାବେ ଗ୍ରହଣୀୟ ହେବେ ନାହିଁ । ତେଣୁ ଓଡ଼ିଶାର ଐତିହାସିକ ପରିସୀମା ନିର୍ଦ୍ଧାରଣ କଲାବେଳେ ତ୍ରିକଳିଙ୍ଗ, ତୋଷାଳୀ, ଦକ୍ଷିଣ କୋଶଳ, କୋଶଳ ଆଦି ନାମ ଅପେକ୍ଷା 'ଓଡ୍ର', 'ଉତ୍କଳ' ଓ 'କଳିଙ୍ଗ' ନାମର ଯେ ଅଧିକ ମହତ୍ତ୍ୱ ରହିବ- ଏଥିରେ ସନ୍ଦେହ ନାହିଁ ।

...

{{right|ଓଡ଼ିଶା ଇତିହାସ . ୨୩