ପୃଷ୍ଠା:Odisha Itihasa.pdf/୨୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଖିଲେ, ଉଭୟ ସଂଗଠନ ମଧ୍ୟରେ ରହିଥିବା ସମ୍ବନ୍ଧର ଜଟିଳତାକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା ନକରିବା ଯାକେ ପ୍ରସଙ୍ଗଟିକୁ ବୁଝିବା ସହଜ ନୁହଁ । ଏହା ପୂର୍ବରୁ ଉଲ୍ଲିଖିତ ଯେ, ଜାତୀୟ କଂଗ୍ରେସର ପ୍ରତିଷ୍ଠା ପରଠାରୁ ଓଡ଼ିଶାର ବିଭିନ୍ନ ସାମାଜିକ ସଂଗଠନ, ଯଥା- ଉତ୍କଳ ସଭା ଆଦି କଂଗ୍ରେସର ବାର୍ଷିକ ଅଧିବେଶନକୁ ପ୍ରତିନିଧି ପଠାଉଥିଲେ । ଓଡ଼ିଶାର ପତ୍ରପତ୍ରିକାରେ ମଧ୍ୟ ୧୮୭୮ର 'ଆର୍ମସ ଏକ୍ଟ', ଭାଇସରାୟଙ୍କ ଦରମା ଆଦି ପ୍ରସଙ୍ଗକୁ ନେଇ ଜାତୀୟତାଭିତ୍ତିକ ମତାମତ ପ୍ରକାଶ ପାଉଥିଲା । ତା' ସତ୍ତ୍ୱେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଭଳି ଆଞ୍ଚଳିକ ପ୍ରଶ୍ନର ଆଲୋଚନାନିମିତ୍ତ ଏକ ଆଞ୍ଚଳିକ ସଂଗଠନର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ବର୍ଗ ଅନୁଭବ କରୁଥିଲେ । ଏକତ୍ରୀକରଣ ପ୍ରଶ୍ନକୁ ନେଇ ଅଞ୍ଚଳ - ଅଞ୍ଚଳ ମଧ୍ୟରେ ମତୈକ୍ୟ ନ ଥିବାରୁ କଂଗ୍ରେସରେ ତାହା ଆଲୋଚିତ ହୋଇ ପାରୁ ନଥିଲା । ଆରମ୍ଭରେ ଜାତୀୟ କଂଗ୍ରେସ ସ୍ଥିର କରିଥିଲା ଯେ, ଯେଉଁ ପ୍ରସଙ୍ଗକୁ ନେଇ ଆପୋଷ ମତପାର୍ଥକ୍ୟ ରହିଛି, ସେହି ପ୍ରସଙ୍ଗକୁ ଜାତୀୟ କଂଗ୍ରେସର ଆଲୋଚନା ପରିସରକୁ ଅଣାଯିବ ନାହିିଁ । ସେ ପ୍ରଶ୍ନ ପ୍ରଥମେ ଅନ୍ୟ ମଞ୍ଚରେ ଆଲୋଚିତ ହେବ । ଏହି ଆଧାରରେ ମଧୁସୂଦନ ଦାସ ବା ମଧୁବାବୁ ବଙ୍ଗୀୟ ନେତା ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ସହ ଆଲୋଚନା କରି ଏକ ବଙ୍ଗ ପ୍ରାଦେଶିକ ସମ୍ମିଳନୀ ସ୍ଥାପନ କରିବାକୁ ମନସ୍ଥ କରିଥିଲେ । ଆଶା ଥିଲା, ତହିିଁରେ ଆଞ୍ଚଳିକ ପ୍ରସଙ୍ଗ ଆଲୋଚିତ ହେବ । ୧୮୮୮ରେ ଉତ୍କଳ ସଭା ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲା । ଯଦି ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସ୍ତରର ପ୍ରସଙ୍ଗକୁ ଆଲୋଚନା କରିବ, ତାହାହେଲେ ବଙ୍ଗ ପ୍ରାଦେଶିକ ସମ୍ମିଳନୀରେ ପ୍ରାଦେଶିକ ସ୍ତରର ସମସ୍ୟାର ବିଚାର ଆଲୋଚନା ହେବ । ଅର୍ଥାତ ଉଭୟ ସଂଗଠନ ପରସ୍ପରକୁ ସହଯୋଗ କରିବେ । ୧୮୮୮ରେ ସମ୍ମିଳନୀର ପ୍ରଥମ ଅଧିବେଶନ ମଧ୍ୟ ଆୟୋଜିତ ହେଲା, କିନ୍ତୁ ତହିିଁରେ ବଙ୍ଗ ପ୍ରଦେଶସ୍ଥ ଓଡ଼ିଶା ଡିଭିଜନ ବାହାରେ ରହିଥିବା ଓଡ଼ିଆ ଭାଷା-ଭାଷୀ ଲୋକ (ଯଥା ସମ୍ବଲପୁର ଓ ଗଞ୍ଜାମର) ଯୋଗ ଦେବାକୁ ଡକା ହୋଇ ପାରିଲେ ନାହିିଁ । କାରଣ ସେମାନେ ଔପଚାରିକ ଭାବରେ ବଙ୍ଗ ପ୍ରଦେଶର ନୁହନ୍ତି, ଯଦିଓ ଓଡ଼ିଆ ଭାଷା-ଭାଷୀ । ଫଳରେ ଏହି ପ୍ରାଦେଶିକ ସମ୍ମିଳନୀ , ଓଡ଼ିଆ ଭାଷା-ଭାଷୀ ସମସ୍ୟାର ଆଲୋଚନାପାଇଁ ଉପଯୁକ୍ତ ମଞ୍ଚ ପ୍ରମାଣିତ ହେଲା ନାହିିଁ । ଏହା କ'ଣ ଏକ ବିଡ଼ମ୍ବନା ନୁହେଁ ଯେ ଓଡ଼ିଶା ପ୍ରସଙ୍ଗ ଆଲୋଚନାପାଇଁ ଉଦ୍ଦିଷ୍ଟ ସଭାରେ ଗଞ୍ଜାମ ଓ ସମ୍ବଲପୁରବାସୀ ଓଡ଼ିଆ ଭାଗନେଇ ପାରିବେ ନାହିଁ ? ଏହା ଉତ୍ତାରୁ କେବଳ ଓଡ଼ିଶା ସ୍ତରରେ ଏକ ଆଞ୍ଚଳିକ ସମ୍ମିଳନୀର ଆବଶ୍ୟକତା ଅନୁଭୂତ ହେଲା ।

ମତ ପାର୍ଥକ୍ୟର ଅନ୍ୟ ଏକ କାରଣ ହେଲା ଯେ, ୧୯୦୩ରେ ସରକାର ସମସ୍ତ ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ, ମାଡ୍ରାସ ତଥା କେନ୍ଦ୍ର ପ୍ରଦେଶରୁ ଆଣି ବେଙ୍ଗଲ ପ୍ରେସିଡେନ୍‍ସି ଅଧୀନରେ ଏକତ୍ରୀକରଣ କରିବାକୁ ପ୍ରସ୍ତାବ ଦେଲେ । ଓଡ଼ିଶାର ବୁଦ୍ଧିଜୀବୀ ସରକାରଙ୍କର ଏହି ପ୍ରସ୍ତାବକୁ ସ୍ୱାଗତ କଲାବେଳେ, କଂଗ୍ରେସର ମାଡ୍ରାସ ଅଧିବେଶନରେ ତାକୁ ଅଗ୍ରାହ୍ୟ କରାଗଲା, କାରଣ ଏପରି ବିଭକ୍ତୀକରଣଦ୍ୱାରା ପ୍ରଦେଶଗୁଡ଼ିକର ଭିତ୍ତି ରହିବ ନାହିଁ । ମାଡ୍ରାସ କଂଗ୍ରେସ ଅଧିବେଶନରେ୨୩୨ . ଓଡ଼ିଶା ଇତିହାସ