ପୃଷ୍ଠା:Odisha Itihasa.pdf/୨୩୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଅଙ୍ଗ ବୋଲି ବିଚାର କରିଛନ୍ତି । 'ଉତ୍କଳ ସମ୍ମିଳନୀ'ର ମୁଖ୍ୟ କର୍ତ୍ତା ମଧୁସୂଦନ ଦାସ ଏ ସମ୍ୱନ୍ଧରେ ଯାହା କହିଛନ୍ତି, ତାହା ବେଶ ପ୍ରଣିଧାନଯୋଗ୍ୟ: 'ଉତ୍କଳ ଜନନୀ' ଭାରତ ଜନନୀଙ୍କର ସପତ୍ନୀ କିମ୍ୱା ଶତ୍ରୁ ନୁହନ୍ତି । ଭାରତ ଜନନୀଙ୍କର ପାଞ୍ଚ ଛଅ ଗୋଟି ପୁତ୍ର । ଭିନ୍ନ ଭିନ୍ନ ଶିଶୁଙ୍କପାଇଁ ବିଭିନ୍ନ ପ୍ରକାର ପରିଚର୍ଯ୍ୟା ଆବଶ୍ୟକ । ... ଯେଉଁ ମଧୁମୟୀ ମୂର୍ତ୍ତିି ରୂପରେ ଜନନୀ ଶିଶୁକୁ ସ୍ତନ୍ୟପାନ କରାନ୍ତି, ଉତ୍କଳ ଜନନୀ ଆଜି ସେହି ସ୍ନେହମୟୀ ମୂର୍ତ୍ତିିରେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଛନ୍ତି । ଏହି ମୂର୍ତ୍ତିି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିି ବିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅବତାର ।

ଓଡ଼ିଶାର ଜାତୀୟ ଅସ୍ମିତା ଲାଗି, 'ଉତ୍କଳ ସମ୍ମିଳନୀ' ବ୍ୟତୀତ ମଧୁବାବୁ ଆହୁରି ଅନେକ ଅନୁଷ୍ଠାନ ଗଢ଼ିଥିଲେ । ତନ୍ମଧ୍ୟରେ 'ଓଡ଼ିଶାସ୍ପୋର୍ଟସ ଏସୋସିଏସନ୍‍', 'ଓଡ଼ିଶା ଆର୍ଟ ୱେର୍‍ସ ଏଣ୍ଡ ଆର୍ଟ ସ୍କୁଲ୍‍', 'ଓଡ଼ିଶା ତାଳଗୁଡ଼ ସଂଘ', 'ଉତ୍କଳ ଟେନେରି' ତଥା କଟରେ ୧୯୦୮ରେ ସ୍ଥାପିତ ବାଳିକା ବିଦ୍ୟାଳୟ ଅନ୍ୟତମ । ଏସବୁ ସାଙ୍ଗକୁ ଭାରତର ରାଷ୍ଟ୍ରୀୟ ଉନ୍ନତିକୁ ମଧ୍ୟ ସେ କେବେ ଗୌଣ କରି ନଥିଲେ । ଓଡ଼ିଶା ଭଳି ଅଂଚଳର ସାମଗ୍ରିକ ବିକାଶରେ ହିଁ ରାଷ୍ଟ୍ରର ପ୍ରଗତି ସମ୍ଭବ ବୋଲି ସେ ସର୍ବଦା ତର୍କ କରୁଥିଲେ ।

ମାତ୍ର ଏହା ସହିତ ଏକଥା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ, ୧୯୦୩ ପରେ ଜାତୀୟ କଂଗ୍ରେସ ସହ ଓଡ଼ିଶା ବୁଦ୍ଧିଜୀବୀଙ୍କ ସମ୍ୱନ୍ଧରେ କିଛିଟା ଶିଥିଳତା ଦେଖାଯାଇଥିଲା । ପୂର୍ବରୁ ପ୍ରଦତ୍ତ କେତୋଟି ମନ୍ତବ୍ୟ ବାହାରେ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅନ୍ୟ ଏକ ଗୋଷ୍ଠୀ ରହିଥିଲେ ଯେଉଁମାନେ ଏଣିକି କଂଗ୍ରେସ ସହ ଓଡ଼ିଶାର ସମ୍ୱନ୍ଧକୁ ପରୋକ୍ଷରେ ବିରୋଧ କରିବା ଆରମ୍ଭ କଲେ । ମୁଖ୍ୟତଃ ଗଡ଼ଜାତ ରାଜା ଓ ଜମିଦାର ବର୍ଗ ଓ ସେମାନଙ୍କ ସମର୍ଥକମାନେ ଏହି ଗୋଷ୍ଠୀରେ ସାମିଲ ଥିଲେ । ସେମାନେ ଜାତୀୟ କଂଗ୍ରେସର ବିରୋଧ କରିବାନିମିତ୍ତ ସମ୍ୱେଦନଶୀଳ ଓଡ଼ିଆ ଭାଷା-ସଂସ୍କୃତିର ଅସ୍ମିତାକୁ ଯୋଡୁଥିଲେ ସତ, ମାତ୍ର ଅସଲ କାରଣ ଥିଲା ଯେ, କଂଗ୍ରେସର ଉଗ୍ର ବ୍ରିଟିଶ ବିରୋଧତା ସହ ସେମାନେ ତାଳ ଦେଇ ପାରୁ ନଥିଲେ । ଫଳରେ ଯଥାସମ୍ଭବ କଂଗ୍ରେସର ବିରୋଧ କରିବା ଆରମ୍ଭ କଲେ । ଓଡ଼ିଶାର ଆଧୁନିକ ରାଜନୀତିରେ ସେମାନଙ୍କର କର୍ତ୍ତୃତ୍ୱ ରହିଥିବା ଯାକେ 'ଉତ୍କଳ ସମ୍ମିଳନୀ' କଂଗ୍ରେସର ଏକ ସମାନ୍ତରାଳ ସଂଗଠନ ଭଳି ରହିଲା । ଏହି କଂଗ୍ରେସ ବିରୋଧୀ ମତ ପ୍ରାୟତଃ ରାଜା- ଜମିଦାରଙ୍କଦ୍ୱାରା ପ୍ରକାଶିତ ପତ୍ରପତ୍ରିକାରେ ଦେଖିବାକୁ ମିଳେ । ସେହି ଧରଣର ପତ୍ରିକା ମଧ୍ୟରେ ଥିଲେ 'ଗଡ଼ଜାତ ବାସିନୀ' ଏବଂ 'ସମ୍ୱଲପୁର ହିତୈଷିଣୀ' ଆଦି । ବିଂଶ ଶତାବ୍ଦୀର ଆରମ୍ଭରୁ ଯେତେବେଳେ କଂଗ୍ରେସର ବ୍ରିଟଶ ବିରୋଧତା ତୀବ୍ର ହେବାକୁ ଆରମ୍ଭ କଲା, ଏମାନେ ବର୍ଗସ୍ୱାର୍ଥଯୋଗୁଁ ସରକାରଙ୍କ ବିରୋଧରେ ସାମିଲ ହୋଇ ପାରିଲେ ନାହିିଁ । ତେଣୁ, ଓଡ଼ିଶା ଜାତୀୟତା ଆନ୍ଦୋଳନକୁ କଂଗ୍ରେସରୁ ଦୂରରେ ରଖିବାକୁ ପ୍ରୟାସ କଲେ ।

'ଉତ୍କଳ ସମ୍ମିଳନୀ' ତଥା ଓଡ଼ିଶାର ଜାତୀୟତାବାଦୀମାନେ ଅନେକ ସମୟରେ ଗଡ଼ଜାତ ରାଜା-ଜମିଦାରମାନଙ୍କଠାରୁ ଆର୍ଥିକ ସହଯୋଗ ପାଉଥିଲେ । ତେଣୁ ଓଡ଼ିଶା ଆନ୍ଦୋଳନରେ କିଛି୨୩୪ . ଓଡ଼ିଶା ଇତିହାସ