ପୃଷ୍ଠା:Odisha Itihasa.pdf/୨୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରକାରାନ୍ତରେ ବିରୋଧ କରି କଂଗ୍ରେସ ନେତୃବର୍ଗ ଓଡ଼ିଶାର ଜାତୀୟତାବାଦୀଙ୍କ ସଂଗେ ଯେଉଁ ମନାନ୍ତର ସୃଷ୍ଟି କରିଥିଲେ, ତାହା ୧୯୨୦ରେ ଏକ ରକମରେ ଶେଷ ହେଲା, କାରଣ ନାଗପୁର କଂଗ୍ରେସ ଓଡ଼ିଶା ଭାଷାଭିତ୍ତିକ ପ୍ରଦେଶ ଗଠନର ଲକ୍ଷ୍ୟକୁ ସ୍ୱାଗତ କଲା ଏବଂ ସରକାରୀ ମାନ୍ୟତା ମିଳିବାର ୧୬ ବର୍ଷ ପୂର୍ବରୁ ତାକୁ ସ୍ୱୀକୃତି ଦେଇଦେଲା । ମାତ୍ର ଏହି ଯେଉଁ ପ୍ରାୟ ଦୁଇ ଦଶନ୍ଧି କାଳ (୧୯୦୩ରୁ ୧୯୨୦), ତାକୁ ଶାନ୍ତ ସମୟ ବୋଲି କୁହାଯାଇ ନପାରେ । ଗୋଟାଏ ଦୃଷ୍ଟିରୁ ଏହି କାଳାଂଶରେ ଜାତୀୟତାର ବିଚାରଧାରା ପରିପକ୍ୱ ହେଲା । କିନ୍ତୁ ଅନ୍ୟ ଦିଗରୁ ଦେଖିଲେ, ଏହି କାଳାଂଶରେ ତିନିଟି ଯାକ ଜାତୀୟତାବାଦୀ ଗୋଷ୍ଠୀ ସ୍ୱ-ସ୍ୱ ମତାଦର୍ଶକୁ ସ୍ଥାପନ କରିବା ସକାଶେ ତ୍ରିପକ୍ଷ ତିଆରିଲେ, ଯାହା ଫଳରେ ଓଡ଼ିଶା ଜାତୀୟତାବାଦୀ ରାଜନୀତିରେ ତୀବ୍ର ବୈଚାରିକ ସଂଘର୍ଷ ଆରମ୍ଭ ହେଲା । ୧୯୨୦ର ଘଟଣାବଳୀ ସିଦ୍ଧ କରିଦେଲା ଯେ, ଏଣିକି ନରମପନ୍ଥୀ ଜାତୀୟତାବଦୀ ଓଡ଼ିଶା ରାଜନୀତିର ନେତୃତ୍ୱ ନେବେ ଏବଂ ଅନ୍ୟମାନେ ତାଙ୍କ ନେତୃତ୍ୱକୁ ସ୍ୱୀକାର କରିବେ । ଶେଷରେ ଉଦାରପନ୍ଥୀ ମଧୁବାବୁ ମଧ୍ୟ୧୯୨୪ରେ କଂଗ୍ରେସର ସଭ୍ୟ ହେଲେ । ଅନ୍ୟ ପକ୍ଷରେ ବ୍ରିଟିଶ ଅନୁଗତ ରାଜା-ରାଜୁଡ଼ା ଗୋଷ୍ଠୀ ଜାତୀୟତାବାଦୀ ରାଜନୀତିରୁ ଦୂରେଇ ଗଲେ । ମଧୁସୂଦନ ଦାସ ଆଦିଙ୍କ ନେତୃତ୍ୱରେ ପରିଚାଳିତ ଲିବରାଲ ଗୋଷ୍ଠୀ ଥିଲେ ପ୍ରଥମ ପିଢ଼ିର ଆଧୁିନିକ ଜାତୀୟତାବାଦୀ । ସେମାନେ ଆଗରୁ ଦେଖିଥିବା ରାଜନୈତିକ ପରଂପରାରେ ରାଜା- ଜମିଦାରଙ୍କର ହିିଁ ପ୍ରଭୁତ୍ୱ ରହୁଥିଲା । ଉଦାହରଣ ସ୍ୱରୂପ, ସେମାନଙ୍କ ମଧ୍ୟରୁ ଅନେକ (ଯଥା- ଫକୀର ମୋହନ, ରାଧାନାଥ, ମଧୁସୂଦନ ଦାସ, ମଧୁସୂଦନ ରାଓ ଆଦି)ଙ୍କର ଜନ୍ମ ୧୮୫୭ର ଗଣ ବିଦ୍ରୋହ ବେଳକୁ ହୋଇ ସାରିଥିଲା, ଯେଉଁଥିରେ ସିପାହୀମାନେ ମୁଖ୍ୟକର୍ତ୍ତା ହେବା ସତ୍ତ୍ୱେ ନେତୃତ୍ୱ ରହିଥିଲା ରାଜା-ଜମିଦାରଙ୍କ ହାତରେ । ତେଣୁ, ଏହି ବୁଦ୍ଧିଜୀବୀ ବର୍ଗ ରାଜନୀତିକୁ ରାଜଦ୍ୱାରରୁ ଜନପଥକୁ ଆଣିବା ବେଳେ ଯେ ସାମନ୍ତବର୍ଗ ପ୍ରତି ଅତି ଉଦାସୀନ ହୋଇପାରିବେ ନାହିିଁ, ତାହା ଅନସ୍ୱୀକାର୍ଯ୍ୟ । ତା'ଛଡ଼ା, ଆନ୍ଦୋଳନର ସଂଯୋଜନାପାଇଁ ଆବଶ୍ୟକ ପାଣ୍ଠିିନିମିତ୍ତ ପ୍ରାୟତଃ ବୁଦ୍ଧିଜୀବୀ ଗୋଷ୍ଠୀ ସାମନ୍ତବର୍ଗ ପାଖରେ ହାତ ପତାଉଥିଲେ । ପୁଣି, ଫକୀର ମୋହନଙ୍କୁ ଗଡ଼ଜାତର ଦେଓ୍ୱାନ ଭାବରେ ନିଯୁକ୍ତି ଦେଇ ହେଉ ବା ମଧୁସୂଦନଙ୍କୁ ରାଜଓକିଲ ନିଯୁକ୍ତ କରି ହେଉ ବା ରାଧାନାଥଙ୍କ ପୁସ୍ତକ ପ୍ରକାଶନ ନିମନ୍ତେ ସାହାଯ୍ୟ ପ୍ରଦାନ କରି ହେଉ, ସାମନ୍ତବର୍ଗ ଲିବରାଲ ଗୋଷ୍ଠୀକୁ ନିଜ କର୍ତ୍ତୃତ୍ୱରେ ରଖି ପାରିଥିଲେ । ଜାତୀୟତାର ଏହି ଉନ୍ମେଷ କାଳରେ କଂଗ୍ରେସର ନେତୃତ୍ୱରେ ଥିବା କେତେକ ନେତା ମଧ୍ୟ ଆଞ୍ଚଳିକତାରୁ ଊର୍ଦ୍ଧ୍ୱକୁ ଉଠି ପାରି ନଥିଲେ । ଓଡ଼ିଶାର ଆଞ୍ଚଳିକ ଅସ୍ମିତା ପ୍ରଶ୍ନକୁ ଏହି ନେତାମାନେ ଯଥୋଚିତ ମହତ୍ତ୍ୱ ଦେଉ ନଥିଲେ । ଉଦାହରଣ ସ୍ୱରୂପ 'ବଙ୍ଗଭଙ୍ଗ' ହେଲେ ବଙ୍ଗ ପ୍ରଦେଶ ଭାଗ ଭାଗ ହୋଇଯିବାର ଯେଉଁ ଆଶଙ୍କା ସୃଷ୍ଟି ହେଲା, ତା'ର ବହୁ ପୂର୍ବରୁ ପ୍ରାକୃତିକ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ସାରିଥିଲା । ଏବଂ ତା'ର ଏକତ୍ରୀକରଣଲାଗି 'ଉତ୍କଳ ସମ୍ମିଳନୀ' ପ୍ରୟାସ କରୁଥିଲା । ଏହି ପ୍ରୟାସକୁ ଉକ୍ତ ନେତାମାନେ ଆବଶ୍ୟକ ସମ୍ମାନ ଦେଉ ନାହାନ୍ତି ବୋଲି ମଧୁବାବୁ ଓ ଉତ୍କଳର ଅନ୍ୟାନ୍ୟ ଲିବରାଲ୍‍ ନେତୃବର୍ଗ ଅଭିଯୋଗ କରୁଥିଲେ ।୨୩୬ . ଓଡ଼ିଶା ଇତିହାସ