ପୃଷ୍ଠା:Odisha Itihasa.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଗଧ ଓ କଳିଙ୍ଗ

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ପୂର୍ବରୁ ଓଡ଼ିଶାର କୌଣସି କାଳାନୁକ୍ରମିକ ଲିଖିତ ଇତିହାସ (Dated History) ଏ ପର୍ଯ୍ୟନ୍ତ ମିଳିନାହିଁ । କଳିଙ୍ଗକୁ ଯେହେତୁ ଓଡ଼ିଶାର ପୂର୍ବ ନାମ ଭାବରେ ଗ୍ରହଣ କରାଯାଏ, ଖ୍ରୀଷ୍ଟପୂର୍ବ ୨୬୧ରେ ସଂଘଟିତ କଳିଙ୍ଗଯୁଦ୍ଧ ସମୟରୁ ଓଡ଼ିଶାର ଇତିହାସକୁ କାଳର କ୍ରମ ଅନୁସାରେ ବର୍ଣ୍ଣନା କରିହୁଏ । ମଗଧର ସମ୍ରାଟ ଅଶୋକ ଏହି ସମୟରେ କଳିଙ୍ଗ ଆକ୍ରମଣ କରି ତାକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ଯୁଦ୍ଧ ପରେ ଅଶୋକ ଯେଉଁ ଅନୁଶାସନଗୁଡ଼ିକ ଲିପିବଦ୍ଧ କରି ଯାଇଥିଲେ, ତାକୁ ଆଧାର କରି ତତ୍‍କାଳୀନ ଓଡ଼ିଶା ବା କଳିଙ୍ଗର ଇତିହାସ ରଚନା କରାଯାଏ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଖାରବେଳଙ୍କ ସମୟରେ ଲିଖିତ ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ, ଅଶୋକଙ୍କ ପୂର୍ବରୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ହିଁ କଳିଙ୍ଗ ସହ ମଗଧର ଯୁଦ୍ଧ ମାଧ୍ୟମରେ ସମ୍ବନ୍ଧ ସ୍ଥାପିତ ହୋଇସାରିଥିଲା । ଖ୍ରୀଷ୍ଟପୂର୍ବ ୩୬୭ରୁ ୩୨୪ ମଧ୍ୟରେ ମଗଧରେ ନନ୍ଦବଂଶର ଶାସନ ଥିଲା ଏବଂ ଏହି ବଂଶର ମହାପଦ୍ମନନ୍ଦ ନାମରେ ଜଣେ ଶାସକ କଳିଙ୍ଗ ବିଜୟ କରିଥିଲେ । ଅଭିଲେଖ ଅନୁଯାୟୀ ସେ ଯୁଦ୍ଧ ଜୟ ପରେ କଳିଙ୍ଗରୁ ନେଇ ଯାଇଥିବା ଜୀନ ପ୍ରତିମାକୁ ଖାରବେଳ ପୁନରୁଦ୍ଧାର କରିଥିଲେ । ଶିଳାଲେଖରେ ଏକଥା ମଧ୍ୟ ଉଲ୍ଲେଖ ଅଛି ଯେ, ନନ୍ଦରାଜା କଳିଙ୍ଗରେ ଏକ କେନାଲ୍‍ ଖୋଦନ କରିଥିଲେ, ଯାହାକୁ ଖାରବେଳ ନିଜ ରାଜତ୍ୱ କାଳରେ ସଂପ୍ରସାରିତ କରିଥିଲେ । ଏହି ଅଭିଲେଖର ତଥ୍ୟ ଆଧାରରେ ଯୁକ୍ତି କରିହେବ ଯେ ନନ୍ଦ ରାଜା କଳିଙ୍ଗ ବିଜୟ ପରେ କୃଷିର ଉନ୍ନତି ପ୍ରତି ଦୃଷ୍ଟି ଦେଇଥିଲେ । ଅଶୋକଙ୍କ ପୂର୍ବରୁ ମଧ୍ୟ ଥରେ କଳିଙ୍ଗରାଜ୍ୟ ମଗଧର କର୍ତ୍ତୃତ୍ୱାଧୀନ ହୋଇଥିବା କଥା ହାତୀଗୁମ୍ଫା ଶିଳାଲେଖ ବ୍ୟତୀତ ଅନ୍ୟ କୌଣସି ଐତିହାସିକ ଦସ୍ତାବିଜରେ ନାହିଁ । ତେଣୁ କେତେକ ଐତିହାସିକ (ଯଥା - ବି.ଏମ୍‍.ବରୁଆ) ହାତୀଗୁମ୍ଫା ଶିଳାଲେଖବର୍ଣ୍ଣିିତ ନନ୍ଦରାଜାଙ୍କୁ ସମ୍ରାଟ ଅଶୋକ ବୋଲି ଚିହ୍ନିତ କରନ୍ତି । ମାତ୍ର ଅନ୍ୟ କେତେକ ଐତିହାସିକ (ଯଥା- ନବୀନ କୁମାର ସାହୁ) ଯୁକ୍ତି ବାଢ଼ନ୍ତି ଯେ୨୪ . ଓଡ଼ିଶା ଇତିହାସ