ପୃଷ୍ଠା:Odisha Itihasa.pdf/୨୪୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବିରୋଧ କଲେ । ଆଲୋଚନା ପରେ ପ୍ରସ୍ତାବଟି ଉପରେ ଭୋଟ ନିଆଗଲା । ସପକ୍ଷରେ ମିଳିଲା ୧୨୭ଟି ମତ ଏବଂ ବିପକ୍ଷରେ ମିଳିଲା ମାତ୍ର ଷୋହଳଟି ମତ । ଆନୁଷ୍ଠାନିକ ଭାବରେ ଏଣିକି ଉତ୍କଳ ସମ୍ମିଳନୀ ଜାତୀୟ କଂଗ୍ରେସର ଅଙ୍ଗ ହେଲା ଏବଂ ଓଡ଼ିଶାରେ କଂଗ୍ରେସର ଶାଖା ଗଠନ ହେଲା । ଅସହଯୋଗର ଡାକରାକୁ ସାକାର କରିବା ହେଲା ଏଣିକି ଓଡ଼ିଶା ଜାତୀୟତାର ମୁଖ୍ୟ ଉଦ୍ଦେଶ୍ୟ । ଉପସଂହାରରେ ଏତିକି କହିବା ଯଥେଷ୍ଟ ହେବ ଯେ, ୧୮୬୫-୬୬ର ନଅଙ୍କ ଦୁର୍ଭିକ୍ଷଜନିତ ସାମାଜିକ ସଂକଟରୁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଆରମ୍ଭ ହେଲା । ଆଧୁିନିକ ଶିକ୍ଷିତ ବୁଦ୍ଧିଜୀବୀ ଏହାକୁ ନେତୃତ୍ୱ ଦେଲେ । ସ୍ଥାନୀୟ ଭାଷାରେ ପତ୍ର-ପତ୍ରିକାମାନ ପ୍ରକାଶନ କରି ତଥା ଆଞ୍ଚଳିକ ସ୍ତରରେ ସଭା-ସମିତିମାନ ଆୟୋଜନ କରି ସେମାନେ ଜାତୀୟତାର ବିଚାରଧାରାକୁ ଏକ ଠୋସ ରଙ୍ଗରୂପ ଦେଲେ । ସେମାନଙ୍କ ଦୃଷ୍ଟିକୋଣରେ ଉଭୟ ରାଷ୍ଟ୍ରୀୟ ଓ ଆଞ୍ଚଳିକ ପ୍ରଗତି ପ୍ରମୁଖତା ପାଇଲା । ଗଞ୍ଜାମର ଓଡ଼ିଶା ଡିଭିଜନରେ ମିଶିବା ପ୍ରସ୍ତାବକୁ କଂଗ୍ରେସ ଅନ୍ୟ କାରଣରୁ ଅସ୍ୱୀକାର କରିବାରୁ ଓଡ଼ିଶାର ବୁଦ୍ଧିଜୀବୀ ସ୍ଥାନୀୟ ସମସ୍ୟାର ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ କଥା ଚିନ୍ତା କଲେ । ଫଳରେ ୧୯୦୩ରେ 'ଉତ୍କଳ ସମ୍ମିଳନୀ' ଗଠିତ ହେଲା । ଏହା ଜାତୀୟତାଭିତ୍ତିକ ଆଞ୍ଚଳିକ ସଭା-ସମିତିଗୁଡ଼ିକୁ ଏକ ପ୍ରାଦେଶିକ ମଞ୍ଚ ପ୍ରଦାନ କଲା । ବିଂଶ ଶତାବ୍ଦୀର ଆରମ୍ଭ ଦଶକରେ ଓଡ଼ିଶାର ବୁଦ୍ଧିଜୀବୀଙ୍କ ମଧ୍ୟରେ ତିନିଟି ଗୋଷ୍ଠୀ ଦେଖିବାକୁ ମିଳେ । ପ୍ରଥମ ଗୋଷ୍ଠୀ ହେଲେ ପ୍ରଥମ ପିଢ଼ିର ମଧ୍ୟବର୍ଗୀୟ ବୁଦ୍ଧିଜୀବୀ, ଯାହାଙ୍କୁ ଉଦାରବାଦୀ ବୋଲି ଏଠାରେ ଉଲ୍ଲେଖ କରାଯାଇଛି; ଦ୍ୱିତୀୟ ଗୋଷ୍ଠୀ ହେଲେ ସାମନ୍ତବର୍ଗର ଆଧୁନିକ ଶିକ୍ଷିତ ବର୍ଗ । ସେମାନେ ସରକାରଠାରେ ପୂର୍ଣ୍ଣ ଆନୁଗତ୍ୟ ରଖି ସାମାଜିକ ପ୍ରଗତି କଥା କହୁଥିଲେ । ଇଂରେଜ ସରକାରର ଜନବିରୋଧୀ ସ୍ୱଭାବ ସ୍ପଷ୍ଟ ହେବା ସହିତ ଏହି ଗୋଷ୍ଠୀ ଜାତୀୟତାବାଦୀ ରାଜନୀତିରେ ନିଜ ପ୍ରାଧାନ୍ୟ ହରାଇବା ଆରମ୍ଭ କଲେ । ତୃତୀୟ ଗୋଷ୍ଠୀ ହେଲେ ଦ୍ୱିତୀୟ ପିଢ଼ିର ମଧ୍ୟ ବର୍ଗୀୟ ଶିକ୍ଷିତ ଯୁବ ସମାଜ । ଏହି ଗୋଷ୍ଠୀ ଇଂରେଜ ଆନୁଗତ୍ୟର ତୀବ୍ର ବିରୋଧ କଲେ ଏବଂ ଓଡ଼ିଶାର ଜାତୀୟତା ସ୍ୱଭାବକୁ ମହାଭାରତୀୟ ସ୍ରୋତ ଅର୍ଥାତ ଜାତୀୟ କଂଗ୍ରେସରେ ସମ୍ମିଶ୍ରିତ କରିବାକୁ ପ୍ରୟାସ କଲେ । ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଇତିହାସରେ ଏମିତି ଅନେକ ଘଟଣା ଘଟିଲା, ଯାହା ଇଂରେଜ ଉପନିବେଶବାଦର ଲୋକ ବିରୋଧୀ ସ୍ୱରୂପକୁ ଅଧିକରୁ ଅଧିକ ସ୍ପଷ୍ଟ କଲା । ଉଦାହରଣ ସ୍ୱରୂପ, ବିଶ୍ୱଯୁଦ୍ଧ ପରେ ଜାତୀୟତାବାଦୀ ଆଶା କରିଥିଲେ, ଇଂରେଜମାନେ ଜାତୀୟତାବାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ତଥା ଗାଣତାନ୍ତ୍ରିକତାକୁ ପ୍ରାଧାନ୍ୟ ଦେଇ ଅନେକ ନୂଆ ସୁବିଧା ସୁଯୋଗ ଦେବେ । ମାତ୍ର ଯୁଦ୍ଧ ପରେ ଫଳ ଓଲଟା ହେଲା । ମଣ୍ଟେଗୁଚେମ୍‍ସଫୋର୍ଡ଼ ଶାସନ ସଂସ୍କାର ଓଡ଼ିଶାର ଭାଷା ଭିତ୍ତିରେ ପ୍ରଦେଶ ଗଠନ ଦାବିକୁ ସ୍ୱୀକୃତି ଦେଲା ନାହିଁ । ୧୯୧୯ରେ ଜାଲିଆନାଓ୍ୱାଲା ବାଗରେ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରୁଥିବା ନିରୀହ ଜନତା ଉପରେ ଗୁଳିମାଡ଼ ହେଲା । ଏହିସବୁ ଘଟଣାରୁ ସିଦ୍ଧ ହେଲା ଯେ, ଭାରତରେ ଗାଣତାନ୍ତ୍ରିକତାର ପ୍ରତିଷ୍ଠା ଇଂରେଜ ସରକାରର ଉଦ୍ଦେଶ୍ୟ ନୁହୋଁ ଏହା ଅନୁଭବ କଲା ପରେ୨୪୦ . ଓଡ଼ିଶା ଇତିହାସ