ପୃଷ୍ଠା:Odisha Itihasa.pdf/୨୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସହଯୋଗ ଆନ୍ଦୋଳନ : ୧୯୨୦-୨୨


ବ୍ରିଟିଶ ସରକାର ବିରୁଦ୍ଧରେ ସଂଘଟିତ ଗଣଆନ୍ଦୋଳନ ମଧ୍ୟରେ ଅସହଯୋଗ ହେଲା ପ୍ରଥମ । ଏହା ପୂର୍ବରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ କଦାଚିତ ଗଣଆନ୍ଦୋଳନର ରୂପ ନେଇ ନଥିଲା । ଲୋକଙ୍କ ସାଧାରଣ ସମସ୍ୟାକୁ ନେଇ ସ୍ୱାଧୀନତା ସଂଗ୍ରାମ ଗଢ଼ି ଉଠିଥିଲା ସତ, ହେଲେ ଅନେକ ବର୍ଷ ଧରି ତାର ନେତୃତ୍ୱ କେବଳ ମଧ୍ୟବର୍ଗ ଯାଏ ସୀମିତ ଥିଲା । ପ୍ରାରମ୍ଭିକ ସମୟରେ ଅନେକ ବର୍ଷ ଧରି ସଂଗ୍ରାମର ଭିତ୍ତି ପଡୁଥିଲା । ସେତେବେଳେ ଗଣଆନ୍ଦୋଳନ ଆରମ୍ଭ କରିବା ସମ୍ଭବ ନଥିଲା । କ୍ରମେ ନୂଆ ସାମାଜିକବର୍ଗମାନ ଆନ୍ଦୋଳନର ପରିସରଭୁକ୍ତ ହେଲେ । ଆନ୍ଦୋଳନ ଗଣାଭିମୁଖୀ ହେଲା । ୧୯୨୦ ମସିହାରେ ତାର ମଧ୍ୟବର୍ଗୀୟ ଆବଦ୍ଧତା ପ୍ରାୟତଃ ଦୂର ହେଲା ଏବଂ ଗଣ ଆନ୍ଦୋଳନର ଆରମ୍ଭ ହେଲା ।

ଅସହଯୋଗର ନେତୃତ୍ୱ ରହିଥିଲା ଭାରତୀୟ ଜାତୀୟ କଂଗ୍ରେସ ହାତରେ । ୧୯୨୦ ମସିହା ଅଗଷ୍ଟ ମାସରେ ଆରମ୍ଭ ହୋଇ ୧୯୨୨ ଫେବ୍ରୁଆରି ଯାଏ ଏହା ଚାଲିଲା । ଉତ୍ତର ପ୍ରଦେଶର ଚୌରିଚୌରାଠାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ୧୯୨୨ ଫେବ୍ରୁଆରିରେ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏହା ପ୍ରତ୍ୟାହୃତ ହେଲା । ଦୁଇଟି ପ୍ରସଙ୍ଗକୁ ମୁଖ୍ୟ କରି ନେତୃବର୍ଗ ଆନ୍ଦୋଳନର ଡାକରା ଦେଇଥିଲେ । ଗୋଟାଏ ହେଲା, ପଞ୍ଜାବର ଜାଲିଆନାଓ୍ୱାଲାବାଗ (୧୯୧୯)ରେ ସଂଘଟିତ ଗଣହତ୍ୟା ଏବଂ ଦ୍ୱିତୀୟଟି ହେଲା ଖିଲାଫତ ଆନ୍ଦୋଳନ । ପଞ୍ଜାବରେ ନିରୀହ ଜନତାଙ୍କୁ ହତ୍ୟା କଲା ପରେ ବ୍ରିଟିଶ ସରକାର ହତ୍ୟାକାରୀକୁ ଦଣ୍ଡ ଦେବା ପରିବର୍ତ୍ତେ ଯେଉଁଭଳି ଭାବରେ ଦୋଷୀକୁ ଘଣ୍ଟ ଘୋଡ଼ାଇବାରେ ଲାଗିଲେ, ତାର ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଠିକ ସେହିଭଳି, ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀର ପରାଜୟ ପରେ ମୁସଲମାନ ଧର୍ମଗୁରୁ ଖଲିଫାଙ୍କୁ ବ୍ରିଟିଶ ସରକାର ଏକ ଅତି ଅପମାନଜନକ ଚୁକ୍ତିସ୍ୱାକ୍ଷର କରିବାକୁ ବାଧ୍ୟ କଲେ । ସମଗ୍ର ମୁସଲମାନ ସମାଜ ଏଥିରେ ଅପମାନିତ ବୋଧକଲେ । ଆନ୍ଦୋଳନ ମାଧ୍ୟମରେ ଏହାର ତୀବ୍ର ପ୍ରତିବାଦ ହେଲା । ଅସହଯୋଗ ଆନ୍ଦୋଳନର ମୁଖ୍ୟ ସ୍ଳୋଗାନ ଥିଲା ବର୍ଷକ ମଧ୍ୟରେ ସ୍ୱରାଜ୍ୟ ପ୍ରାପ୍ତି ।୨୪୨ . ଓଡ଼ିଶା ଇତିହାସ