ପୃଷ୍ଠା:Odisha Itihasa.pdf/୨୪୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବାପାଇଁ ପ୍ରାଦେଶିକ କମିଟି ଅଧୀନରେ ତିିନିଟି ନୂଆ ସଂଗଠନ ଗଢାଗଲା । ସେଗୁଡ଼ିକ ହେଲା, ସ୍ୱଦେଶୀ ପ୍ରଚାର ଓ ନିଶା ନିବାରଣପାଇଁ ଉତ୍କଳ ସ୍ୱରାଜ୍ୟ ସଂଘ, ପାଣ୍ଠି ସଂଗ୍ରହପାଇଁ ଉତ୍କଳ ସ୍ୱରାଜ୍ୟ ପାଣ୍ଠି ଏବଂ ଜାତୀୟ ଶିକ୍ଷାର ପ୍ରସାରପାଇଁ ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ । ଜିଲ୍ଲା ସ୍ତରରେ ଏହି ସଂଗଠନଗୁଡ଼ିକର ଶାଖାଗୁଡିକ ମଧ୍ୟ ଗଠିତ ହେଲେ, ଯାହା ଜିଲ୍ଲା କଂଗ୍ରେସ କମିଟିର ତତ୍ତ୍ୱାବଧାନରେ କାର୍ଯ୍ୟ କଲେ ।

ଉତ୍କଳ କଂଗ୍ରେସ କମିଟିର ଗଠନ ପରେ ପରେ, ଜାନୁଆରି ୧୯୨୧ରେ ଅସହଯୋଗର ବାର୍ତ୍ତା ବିଭିନ୍ନ ସହର ଅଞ୍ଚଳମାନଙ୍କରେ ପହଞ୍ଚିଲା । ସହରଗୁଡ଼ିକ ମଧ୍ୟରେ ରହିଥିଲେ ସମ୍ବଲପୁର, କଟକ ଓ ପୁରୀ । ଜାନୁଆରି ପ୍ରଥମ ସପ୍ତାହରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ସ୍କୁଲ ବର୍ଜନ କଲେ ଏବଂ ପଟୁଆରରେ ଯାଇ ସ୍ଥାନୀୟ ଫ୍ରେଜର କ୍ଲବ୍‍ରେ ସଭା କଲେ । ସଭାରେ ସଭାପତିତ୍ୱ କରିଥିଲେ ଲଦାଭାଇ ଥୋରିଆ ନାମକ ଜଣେ ସ୍ଥାନୀୟ ମୁସଲମାନ ବ୍ୟବସାୟୀ । ଏହି ସଭାରେ ମୁଖ୍ୟତଃ ମୁସଲିମ ଛାତ୍ର ଏବଂ ହଷ୍ଟେଲରେ ରହୁଥିବା ଅନ୍ତେବାସୀମାନେ ସକ୍ରିୟ ଥିଲେ । ସକ୍ରିୟ ଛାତ୍ରଙ୍କ ମଧ୍ୟରେ ଥିଲେ ଅବଦୁଲ ମାଜିଦ, କୃତାର୍ଥ ଆଚାର୍ଯ୍ୟ, ଲକ୍ଷ୍ମୀନାରୟଣ ମିଶ୍ର, ଭବାନୀ ମିଶ୍ର ଇତ୍ୟାଦି । ସଭାରେ ଜାତୀୟ ସ୍କୁଲ ପ୍ରତିଷ୍ଠାପାଇଁ ନିଷ୍ପତ୍ତି ନିଆହେଲା । ଏଣିକି ପ୍ରତିଦି ସନ୍ଧ୍ୟାରେ ସଭା ଆୟୋଜିତ ହେଲା ଏବଂ କାନ୍ଥବାଡ଼ରେ ଅସହଯୋଗର ସ୍ଳୋଗାନ ଲେଖା ହେଲା । ଆନ୍ଦୋଳନକୁ ଆରମ୍ଭ କରିବାରେ ସ୍କୁଲ ଛାତ୍ରଙ୍କର ଏହି ଭୂମିକା ଯେତେବେଳେ ପତ୍ରପତ୍ରିକାରେ ପ୍ରକାଶ ପାଇଲା, କେବଳ ଓଡ଼ିଶା କାହିିଁକି, ଓଡ଼ିଶା ବାହାରେ କଲିକତା ଏବଂ ପାଟନାରେ ମଧ୍ୟ ଅନ୍ୟମାନଙ୍କପାଇଁ ତାହା ପ୍ରେରଣାଦାୟୀ ହେଲା ।

ସେତେବେଳେ ସତ୍ୟବାଦୀ ସ୍କୁଲର ଜଣେ ଅନ୍ୟତମ ସଂସ୍ଥାପକ ନୀଳକଣ୍ଠ ଦାସ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥାନ୍ତି । ୧୯୦୯ରେ ଏକ ଜାତୀୟ ବିଦ୍ୟାଳୟ ଭାବରେ ପ୍ରତିଷ୍ଠିତ ସତ୍ୟବାଦୀ ସ୍କୁଲ, ୧୯୧୭-୧୮ ବେଳକୁ ଅନେକ ଆର୍ଥିକ ତଥା ଅନ୍ୟାନ୍ୟ ସଂକଟର ସମ୍ମୁଖୀନ ହେଲା । ତାର ଶିକ୍ଷକମାନେ, ଅନ୍ୟତ୍ର ଅନ୍ନସଂସ୍ଥାନପାଇଁ ଯୋଗ ଦେବାକୁ ବାଧ୍ୟ ହେଲେ । ନୀଳକଣ୍ଠ ଦାସ ଗଲେ କଲିକତା, ଗୋଦାବରୀଶ ମିଶ୍ର ଗଲେ ବିଚ୍ଛିନ୍ନାଞ୍ଚଳ ଚକ୍ରଧରପୁର । ମାତ୍ର ୧୯୨୧ରେ ଜାତୀୟତାର ଜୁଆର ପୁଣି ଥରେ ସେମାନଙ୍କୁ ଅସହଯୋଗକୁ ଟାଣି ଆଣିଲା । ସମ୍ବଲପୁର ଛାତ୍ରମାନଙ୍କ ଉତ୍ସାହ ଦେଖି ନୀଳକଣ୍ଠ ଅଧ୍ୟାପକ ଚାକିରି ଛାଡ଼ିଲେ, କଲିକତାରେ ଆଇନ ଅଧ୍ୟୟ କରୁଥିବା ସମ୍ବଲପୁରର ଛାତ୍ର ଭାଗୀରଥି ମିଶ୍ର ମଧ୍ୟ କଲେଜ ବର୍ଜନ କଲେ । ଜାନୁଆରି ତୃତୀୟ ସପ୍ତାହରେ ଉଭୟେ ଗୋପବନ୍ଧୁଙ୍କ ସାଙ୍ଗରେ ମିଶି ସମ୍ବଲପୁର ଆସିଲେ ଏବଂ ସେଠାରେ ଆନ୍ଦୋଳନ ପରିଚାଳନା କଲେ । ତେଣିକି ଫ୍ରେଜର କ୍ଲବ୍‍ ପରିସରରେ ଆରମ୍ଭ ହୋଇଥିବା ଜାତୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଲେ ନୀଳକଣ୍ଠ ଦାସ । ସମ୍ବଲପୁରରୁ 'ସେବା' ନାମରେ ଏକ ପତ୍ରିକା ପ୍ରକାଶିତ ହେଲା, ଯାହା ସମ୍ବଲପୁର ବାହାରେ ମଧ୍ୟ ଅସହଯୋଗକୁ ବିସ୍ତାରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କଲା । କଂଗ୍ରେସ ସଭାସମିତି ଏବଂ ପଟୁଆରରେ ଯେଉଁ ଗୀତଟି ଅତ୍ୟନ୍ତ ଆଦୃତି ଲାଭ କରିଥିଲା, ସେ ହେଲା ନୀଳକଣ୍ଠ ଦାସଙ୍କ ରଚିତ 'ସ୍ୱରାଜ{{right|ଓଡ଼ିଶା ଇତିହାସ . ୨୪୫