ପୃଷ୍ଠା:Odisha Itihasa.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲା । ଅତୀତରେ ମଧୁସୂଦନ ଦାସ ଥିଲେ ଓଡ଼ିଶା ଜାତୀୟତାର କର୍ଣ୍ଣଧାର; ବ୍ୟକ୍ତି ଭାବରେ ପ୍ରଥମେ 'ଉତ୍କଳ ସଭା' ଏବଂ ପରେ 'ଉତ୍କଳ ସମ୍ମିଳନୀ'ର ଗଠନରେ ତାଙ୍କ ଭୂମିକା ନିଶ୍ଚିତ ରୂପେ ଅତୁଳନୀୟ । ତାଙ୍କ ଦୃଷ୍ଟିରେ ଜାତି ଗଠନନିମିତ୍ତ ସରକାରୀ ସହଯୋଗ ଏକ ଆବଶ୍ୟକୀୟ ଉପାଦାନ । ସେତେବେଳେ ଅନ୍ୟ ଜାତୀୟତାବାଦୀମାନେ ମଧ୍ୟ ତାହା ହିିଁ ଚିନ୍ତା କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଜତୀୟତାର ସଂଜ୍ଞା ବଦଳିଗଲା । ସହଯୋଗ ବଦଳରେ ଅସହଯୋଗ ହେଲା ଜାତୀୟତାର ଧର୍ମ । ଏହାକୁ ମଧୁବାବୁ ଅନୁଭବ କରି ପାରିଲେ ନାହିିଁ ବୋଲି ତାଙ୍କ ହାତଗଢ଼ା ଜାତୀୟତା ଆନ୍ଦୋଳନ ତାଙ୍କୁ ତିରସ୍କାର କଲା । ସାମଜିକ ତିରସ୍କାରର ମାତ୍ରା ଏତେ ଅଧିକ ହେଲା ଯେ, ସ୍ୱୟଂ ମଧୁବାବୁ ୧୯୨୩ରେ ମନ୍ତ୍ରୀ ପଦରୁ ତ୍ୟାଗପତ୍ର ଦେଲେ ଏବଂ ସିଦ୍ଧ କଲେ ଯେ; ବ୍ୟକ୍ତି ସ୍ୱାର୍ଥ ନୁହେଁ, ବରଂ ସାମାଜିକ ପ୍ରତିବଦ୍ଧତା ହେଲା ତାଙ୍କର ପ୍ରାଥମିକତା । ଜାତୀୟ କଂଗ୍ରେସରେ ଉତ୍କଳ ସମ୍ମିଳନୀର ବିଲୟ ହେଲା ବିଚ୍ଛିନ୍ନ ଚକ୍ରଧରପୁରରେ । ସେହିଠାରେ ହିିଁ ଦିଆଗଲା ଅସହଯୋଗର ପ୍ରଥମ ଡାକରା । ସେହି ରାଜନୈତିକୀକରଣର ପରିଣାମ ସ୍ୱରୂପ ୧୯୨୧ ଜାନୁଆରିରେ ଚକ୍ରଧରପୁରଠାରେ ମଧ୍ୟ ଏକ ଜାତୀୟ ବିଦ୍ୟାଳୟ ସ୍ଥାପିତ ହେଲା, ଯାହାର ଅନ୍ୟତମ ମୁଖ୍ୟ କର୍ତ୍ତା ଥିଲେ ଗୋଦାବରୀଶ ମିଶ୍ର । ଆଗରୁ, ୧୯୧୮ରେ ଏହି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ପ୍ରସାରପାଇଁ ସ୍ଥାନୀୟ ଉଦ୍ୟମରେ ସ୍କୁଲଟି ସ୍ଥାପିତ ହୋଇଥିଲା । ଅସହଯୋଗର ଡାକରାରେ ତାକୁ ଏବେ ଜାତୀୟ ବିଦ୍ୟାଳୟର ମର୍ଯ୍ୟାଦା ଦିଆଗଲା ।

ଅସହଯୋଗର ଆରମ୍ଭ ମାସରେ ଏ ଯେଉଁ ଜାତୀୟ ବିଦ୍ୟାଳୟମାନ ସ୍ଥାପିତ ହେଲା, ତା' ପଛରେ ରହିଥିଲା ବହୁ ବର୍ଷର ଜାତୀୟତାବାଦୀ ଉଦ୍ୟମ । ଆନ୍ଦୋଳନର ଡାକରା ଶୁଣି ହଠାତ କୌଣସି ଅନୁଷ୍ଠାନର ଆବିର୍ଭାବ ହୋଇ ନଥିଲା । ଉଦାହରଣ ସ୍ୱରୂପ, ସମ୍ବଲପୁର ଏବଂ ଚକ୍ରଧରପୁର ସ୍କୁଲ ଗଠନରେ ମୁଖ୍ୟ ଭୂମିକା ରହିଥିଲା ନୀଳକଣ୍ଠ ଏବଂ ଗୋଦାବରୀଶଙ୍କର; ଉଭୟେ ୧୯୦୯ ପରଠାରୁ ସତ୍ୟବାଦୀ ସ୍କୁଲ ସହ ଜଡ଼ିତ ଥିଲେ ଏବଂ ଆର୍ଥିକ ସଙ୍କଟଯୋଗୁଁ ବାଧ୍ୟହୋଇ ସାମୟିକ ଭାବେ ସତ୍ୟବାଦୀରୁ ବିଚ୍ଛିନ୍ନ ହୋଇଥିଲେ । ଜାତୀୟତାର ଜୁଆରରେ ପୁଣି ସେମାନେ ଆନ୍ଦୋଳନକୁ ଏବଂ ଏହାର ମାଧ୍ୟମ ଜାତୀୟ ସ୍କୁଲ ପ୍ରତି ଆକୃଷ୍ଟ ହେଲେ । ଠିକ ସେହିଭଳି କଟକ ସ୍କୁଲ ମଧ୍ୟ ଜାତୀୟତାରେ ଉଦ୍‍ବୁଦ୍ଧ କଲେଜ ଛାତ୍ରଙ୍କ ଉଦ୍ୟମରେ ଗଠିତ ହୋଇଥିଲା । ପୁଣି, ଏହିସବୁ ଅଞ୍ଚଳରେ ଜାତୀୟତାବାଦୀ ଅନ୍ଦୋଳନ ବିଭିନ୍ନ ରୂପରେ ଆଗରୁ ଚେର ମାଡ଼ି ସାରିଥିଲା, ତାହା ସମ୍ବଲପୁରର ଭାଷା ଆନ୍ଦୋଳନ ମାଧ୍ୟମରେ ହେଉ ବା ସତ୍ୟବାଦୀର ପ୍ରତିଷ୍ଠା ମାଧ୍ୟମରେ ହେଉ । ୧୯୧୮-୧୯ ମସିହା ବେଳକୁ କଟକରେ 'ଭାରତୀ ମନ୍ଦିର' ନାଁରେ ଏକ ନରମପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀ ଆରମ୍ଭ ହୋଇଥିଲା । ଏହାର ପ୍ରମୁଖ କର୍ମୀ ଥିଲେ ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ଭାଗୀରଥି ମହାପାତ୍ର ଆଦି ଯୁବ ବୁଦ୍ଧିଜୀବୀ । ଏହା ମହାଭାରତୀୟତାର ପ୍ରବାହକୁ ତୀବ୍ର କରିଥିଲା । ଗୋଷ୍ଠୀର ନାଁରୁ ସିଦ୍ଧ ହୁଏ ଯେ, ଯୁବ ବୁଦ୍ଧିଜୀବୀଙ୍କପାଇଁ 'ଭାରତ' କଦାଚିତ ଗୌଣ ପ୍ରସଙ୍ଗ ନଥିଲା । ଏହିସବୁ ରାଜନୈତିକୀକରଣକୁ ଅନୁଧ୍ୟାନ କଲେ ମନେହୁଏ, ଅସହଯୋଗର ଡାକରାକୁ ଓଡ଼ିଶାର ଜାତୀୟତାବାଦୀ ଯେମିତି ଟାକି ରହିଥିଲେ । ତେଣୁ, ଡାକରା{{right|ଓଡ଼ିଶା ଇତିହାସ . ୨୪୯