ପୃଷ୍ଠା:Odisha Itihasa.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଶୋକଙ୍କ ପୂର୍ବରୁ ନନ୍ଦ ଶାସନ ସମୟରେ କଳିଙ୍ଗ ଥରେ ମଗଧର କର୍ତ୍ତୃତ୍ୱାଧୀନ ହୋଇଥିଲା । କଳିଙ୍ଗଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହେଲେ ଏବଂ ଯୁଦ୍ଧ, ଲୁଣ୍ଠନ ଆଦିରୁ ଦୂରେଇ ରହିଲେ । ତେଣୁ, କଳିଙ୍ଗରୁ ସେ ଜୀନ ମୂର୍ତ୍ତି ଲୁଣ୍ଠନ କରିବା କଥା ଗ୍ରହଣଯୋଗ୍ୟ ମନେହୁଏ ନାହିଁ । ଅନ୍ୟ ପକ୍ଷରେ ଅଶୋକଙ୍କ ପୂର୍ବକାଳୀନ ନନ୍ଦ ବଂଶର ଶାସକମାନେ ଜୈନ ଧର୍ମାବଲମ୍ବୀ ଥିଲେ ବୋଲି ପ୍ରମାଣ ରହିଛି । ତେଣୁ, ନନ୍ଦ ରାଜାଙ୍କଦ୍ୱାରା ଜୀନ ମୂର୍ତ୍ତି କଳିଙ୍ଗରୁ ଲୁଣ୍ଠିତ ହେବା କଥା ଅସଂଭବ ପ୍ରତୀତ ହୁଏ ନାହିଁ । ନିଜେ ଖାରବେଳ ଯେହେତୁ ଜୈନଧର୍ମ ପ୍ରତି ଆକୃଷ୍ଟ ଥିଲେ, ସେହି ଲୁଣ୍ଠିତ ଜୀନ ମୂର୍ତ୍ତିକୁ ଫେରାଇ ଆଣିବା କଥା ଯୁକ୍ତିିନିଷ୍ଠ ଲାଗେ । ସେ ଯାହାହେଉ, କଳିଙ୍ଗରେ ନନ୍ଦଶାସନ ସମ୍ବନ୍ଧରେ ଅନ୍ୟ କୌଣସି ଐତିହାସିକ ତଥ୍ୟ ନାହିଁ । ତେଣୁ, ତା'ର ମହତ୍ତ୍ୱକୁ ନେଇ ବିଶେଷ ଆଲୋଚନାର କୌଣସି ଅବସର ନଥିବା ମନେହୁଏ । ଯଦିବା ନନ୍ଦରାଜା କଳିଙ୍ଗ ଅଧିକାର କରିଥିଲେ, ତା'ର ଅବଧି ବିଶେଷ ନଥିଲା ଏବଂ ଅଶୋକଙ୍କ ରାଜତ୍ୱ ଆରମ୍ଭ ହେବା ବେଳକୁ କଳିଙ୍ଗ ରାଜ୍ୟ ମଗଧ କର୍ତ୍ତୃତ୍ୱରୁ ସ୍ୱାଧୀନ ହୋଇ ସାରିଥିଲା । ଅନ୍ୟଥା, ଅଶୋକଙ୍କ ସମୟରେ କଳିଙ୍ଗ ଆକ୍ରମଣର ଆବଶ୍ୟକତା ପଡ଼ି ନଥାନ୍ତା । ସିଂହାସନ ଆରୋହଣ କରିବାର ଅଷ୍ଟମ ବର୍ଷରେ ଅର୍ଥାତ୍‍ ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକ କଳିଙ୍ଗ ଆକ୍ରମଣ କଲେ । ସେତେବେଳେ ରାଜାମାନଙ୍କର ରାଜ୍ୟଜୟ କରିବା ଏକ ପ୍ରମୁଖ କାର୍ଯ୍ୟ ଥିଲା । ଏହା ସେମାନଙ୍କପାଇଁ ଗୌରବ ଆଣିବା ସହିତ ଏକକାଳୀନ ଧନସମ୍ପତ୍ତି ପାଇବାରେ ମଧ୍ୟ ସାହାଯ୍ୟ କରୁଥିଲା । ପ୍ରାୟ କ୍ଷେତ୍ରରେ ବିଜିତ ରାଜ୍ୟର ରାଜା ବିଜୟୀ ରାଜ୍ୟର ବଶ୍ୟତା ସ୍ୱୀକାର କରି ଏବଂ ଏକକାଳୀନ ମୂଲ୍ୟବାନ ଭେଟି, ଉପହାର ଓ କର ଆଦି ପ୍ରଦାନ କରି ପୁନର୍ବାର ରାଜ୍ୟ ଶାସନ କରୁଥିଲେ । ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସମୟରୁ ମୌର୍ଯ୍ୟ ସେନା ଖୁବ୍‍ ବିଶାଳ ଥିଲା । ପ୍ଳିନିଙ୍କ ମତାନୁସାରେ ଚନ୍ଦ୍ରଗୁପ୍ତଙ୍କ ସେନାବାହିନୀରେ ଛଅ ଲକ୍ଷ ପଦାତିକ ସୈନ୍ୟ, ତିରିଶ ହଜାର ଅଶ୍ୱାରୋହୀ ଓ ତିନି ହଜାର ହସ୍ତୀ ରହିଥିଲେ । ଏତେ ବିଶାଳ ସେନାକୁ ବିନିଯୋଗ କରିବା ସକାଶେ ତଥା ସେନାର ଖର୍ଚ୍ଚ ଭରଣା କରିବାଲାଗି ମୌର୍ଯ୍ୟ ସମ୍ରାଟଙ୍କ ପାଇଁ ଯୁଦ୍ଧ ଓ ରାଜ୍ୟ ଜୟ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା । ଦ୍ୱିତୀୟତଃ, ମୌର୍ଯ୍ୟ ଶାସନ ତା'ର ବ୍ୟାପକ ପ୍ରାଶାସନିକ ବ୍ୟବସ୍ଥାପାଇଁ ମଧ୍ୟ ପ୍ରସିଦ୍ଧ ଥିଲା । ଅନେକ ସଂଖ୍ୟକ କର୍ମଚାରୀଙ୍କ ଖର୍ଚ୍ଚ ଭରଣା ସକାଶେ ଅର୍ଥର ନିରନ୍ତର ଆବଶ୍ୟକତା ରହୁଥିଲା । ଅର୍ଥାତ୍‍ ରାଜ୍ୟଜୟ ଜରୁରି ହୋଇଥିଲା । ସେତେବେଳକୁ ଭାରତର ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଗଧ ସାମ୍ରାଜ୍ୟରେ ସାମିଲ ହୋଇ ସାରିଥିବା ବେଳେ କଳିଙ୍ଗ ସ୍ୱାଧୀନ ରହିବା ସମ୍ରାଟ ଅଶୋକଙ୍କପାଇଁ ଅସହ୍ୟ ହେବା ସ୍ୱାଭାବିକ । ଏତଦ୍‍ବ୍ୟତୀତ ସମୁଦ୍ର ପଥରେ ବାଣିଜ୍ୟ ସକାଶେ ଆବଶ୍ୟକ ଅନେକ ପୋତାଶ୍ରୟ କଳିଙ୍ଗର ଅଧିକାରରେ ଥିଲା, ଯାହା ମଗଧପାଇଁ ଈର୍ଷାର କାରଣ ହେଲା । ମନେହୁଏ, ସ୍ଥଳ ପଥରେ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ କଳିଙ୍ଗର ଅବସ୍ଥିତି ମଧ୍ୟ କଳିଙ୍ଗ ଯୁଦ୍ଧର ଅନ୍ୟ ଏକ ପ୍ରମୁଖ କାରଣ ଥିଲା । କଳିଙ୍ଗ ଅଧିକାର କଲେ ମଗଧରୁ ଦକ୍ଷିଣ ଭାରତ ସହିତ ଅବାଧରେ ବାଣିଜ୍ୟ କାରବାରର ସମ୍ଭାବନା ରହିଥିଲା ।{{right|ଓଡ଼ିଶା ଇତିହାସ . ୨୫