ପୃଷ୍ଠା:Odisha Itihasa.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପନିବେଶବାଦ ବିରୋଧତାର ମୁଖ୍ୟ ପ୍ରତୀକ, ତେବେ ଗାନ୍ଧୀ ହେବେ ତାର ଅଘୋଷିତ ମୁଖ୍ୟ କର୍ତ୍ତା, ଏହା ସଭାଗୁଡ଼ିକରୁ ସୁସ୍ପଷ୍ଟ ହେଲା । ଗାନ୍ଧୀଙ୍କର ଓଡ଼ିଶା ଗସ୍ତ ଯେଉଁ ପରିମାଣରେ ଉତ୍ସାହ ଆଣିଦେଲା, ତାର ଏକ ନମୁନା ମିଳେ ଭଦ୍ରକରେ ଦିଆଯାଇଥିବା ଭବ୍ୟ ସମ୍ବର୍ଦ୍ଧନାରୁ । ଗାନ୍ଧୀଙ୍କୁ ସ୍ୱାଗତ ଜଣାଇ ୭୨ଟି ସଂକୀର୍ତ୍ତନ ଦଳ ରେଳ ଷ୍ଟେସନ୍‍ରୁ ସଭାସ୍ଥଳୀ ଯାଏ ପାଛୋଟି ନେଲେ । ତାଙ୍କ ପୁରୀ ସଭାରେ ଜନସମାଗମ ରଥଯାତ୍ରାର ଭିଡ଼ଠାରୁ ଅଧିକ ବୋଲି ସମ୍ବାଦ ପ୍ରକାଶିତ ହୋଇଥିଲା । କଟକ ସଭାରେ ଜଣେ ସାଧାରଣ ମଧ୍ୟବର୍ଗୀୟ ମହିଳା ଭାବରେ ଯୋଗ ଦେଇଥିଲେ ରମାଦେବୀ, ଯିଏ ପରେ ଓଡ଼ିଶାର ଜଣେ ମାତୃସ୍ଥାନୀୟା ନେତ୍ରୀ ହେଲେ । ସେଦିନ ଜନସମାଗମ ଓ ଗାନ୍ଧୀଙ୍କ ବକ୍ତବ୍ୟରେ ଏତେ ମାତ୍ରାରେ ସେ ଅଭିଭୂତ ହୋଇ ପଡ଼ିଲେ ଯେ, ନିଜ ଗହଣା ଗାଣ୍ଠି ସବୁ ସ୍ୱରାଜ ପାଣ୍ଠିପାଇଁ ଦାନ କରି ବସିଲେ । ପରବର୍ତ୍ତୀ ସମୟରେ ରମାଦେବୀ ଆଉ ବୋହୂଟିଏ ଭାବରେ ଘରକୋଣରେ ଆବଦ୍ଧ ହୋଇ ରହି ନାହାନ୍ତି । ସମାଜର ପୁରୁଷତାନ୍ତ୍ରିକତାକୁ ପ୍ରତ୍ୟାଖ୍ୟାନ କରି ସାମାଜିକ ଜୀବନକୁ ଆସିଛନ୍ତି, ଅସହଯୋଗ ଏବଂ ଅନ୍ୟାନ୍ୟ ଆନ୍ଦୋଳନରେ ସକ୍ରିୟ ଭାବରେ ଭାଗ ନେଇଛନ୍ତି; ବହୁବାର କାରାବରଣ କରିଛନ୍ତି । ଯଦିଓ ଅସହଯୋଗରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇ ନଥିଲେ, ରମାଦେବୀଙ୍କ ବ୍ୟକ୍ତିତ୍ୱର ଏହି ରାଜନୈତିକୀକରଣ, ଯାହା ଗାନ୍ଧୀ ସଭାରେ ସେ ଯୋଗ ଦେଲା ପରେ ଆରମ୍ଭ ହୋଇଥିଲା, ତାହା ପୂର୍ଣ୍ଣ ରୂପ ପାଇଲା । ସମାଜର ପୁରୁଷତାନ୍ତ୍ରିକତା ବିରୁଦ୍ଧରେ ମଧ୍ୟ ଜାତୀୟତା ଆନ୍ଦୋଳନ ଏକ ନୂଆ ଦିଗ୍‍ଦର୍ଶନ ଦେବ ବୋଲି ଏହି ଉଦାହରଣ ଏକ ସମ୍ଭାବନା ଭରିଦେଲା ।

ସ୍ୱରାଜ ଯେ ଏକ ଭୟବିମୁକ୍ତ ସମାଜ ଗଠନର ପ୍ରକ୍ରିୟା ଏବଂ ତା'ପାଇଁ ଅସହଯୋଗ ଏକ ଆଶୁ ଉପଚାର- ତାହା ଗାନ୍ଧୀଙ୍କ ଅଭିଭାଷଣରୁ ଲୋକ ଧାରଣା କରିନେଲେ । ମେ-ଜୁନ ୧୯୨୧ରେ ଦେଇଥିବା ଗୁପ୍ତଚର ବିଭାଗର ରିପୋର୍ଟ ଅନୁଯାୟୀ, ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପରେ ବ୍ରିଟିଶ ରାଜ ଯାଇ ଏଣିକି 'ଗାନ୍ଧିରାଜ' ଆସିବ ବୋଲି ଲୋକ ଧାରଣା କରିନେଲେ । ଏହାର ପ୍ରମାଣ ମିଳିଲା କଟକରେ, ଯେତେବେଳେ କେଣ୍ଟନମେଣ୍ଟ ଏରିଆରେ ପରିବା ଦୋକାନୀମାନେ ମାର୍ଚ୍ଚ ଶେଷ ସପ୍ତାହରେ ପୋଲିସ ଜୁଲୁମ ବିରୁଦ୍ଧରେ ପ୍ରତିବାଦ କରି ହରତାଳ କଲେ । ଫିଙ୍ଗା ମୂଲ୍ୟରେ ପରିବା ବଜାରରୁ ପୋଲିସମାନେ ବଜାରକରନ୍ତି ଏବଂ ଭୟଗ୍ରସ୍ତ ହୋଇ ପରିବା ଦୋକାନୀ ତାର ପ୍ରତିବାଦ କରନ୍ତି ନାହିିଁ । ମାତ୍ର ଗାନ୍ଧୀ ଗସ୍ତ ପରେ ସେମାନେ ସାହସ ପାଇଲେ । ପରିବା ଦୋକାନୀର ପ୍ରତିବାଦରେ ଅତିଷ୍ଠ ପୋଲିସ ଯେତେବେଳେ ସେମାନଙ୍କ ଉପରେ ଆକ୍ରମଣ କଲେ, ଦୋକାନୀମାନେ ସମ୍ମିଳିତ ହୋଇ ହରତାଳ କଲେ । ହରତାଳ ପରେ ଆୟୋଜିତ ସଭାରେ ନିଷ୍ପତ୍ତି ହେଲା ଯେ, ଏଣିକି ସଫେଇ କର୍ମଚାରୀ, ଖାନସମା, ଧୋବା ଏବଂ ଉଠାପରିବା ଦୋକାନୀଙ୍କୁ ନେଇ ଏକ ୟୁିନିଅନ ଗଠିତ ହେବ ଏବଂ ଏହି ଧରଣର ଅତ୍ୟାଚାରର ଦୃଢ଼ ପ୍ରତିବାଦ କରାଯିବ । ସବୁଠାରୁ ବଡ଼ କଥା, ପୋଲିସର ଏହି ଯଥେଚ୍ଛାଚାରର କାରଣ ରୂପେ ବିଦେଶୀ ସରକାରକୁ ଦାୟୀ କରାଗଲା ଏବଂ ତାର ବିକଳ୍ପ ରୂପେ ଅସହଯୋଗ ହିିଁ ପନ୍ଥା ବୋଲି ମତ ପ୍ରକାଶ ପାଇଲା ।{{right|ଓଡ଼ିଶା ଇତିହାସ . ୨୫୧