ପୃଷ୍ଠା:Odisha Itihasa.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସଫଳତା ପଛରେ ଏକ ବଡ଼ କାରଣ ହେଲା ଯେ, ଗଡ଼ଜାତରେ ଆନ୍ଦୋଳନ ପ୍ରାୟ ପ୍ରବେଶ କରି ନଥିଲା । ଯଦିଓ ଏହା କେଉଁଝର ଓ ଢେଙ୍କାନାଳରେ ସାମାନ୍ୟ ମାତ୍ରାରେ ଅନୌପଚାରିକ ଭାବରେ ଆରମ୍ଭ ହେଲା, ଆନ୍ଦୋଳନ ପ୍ରତି ଗଡ଼ଜାତ ରାଜାଙ୍କ ଅସୂୟା ଭାବଯୋଗୁଁ ତାହା ବଢ଼ିପାରିଲା ନାହିିଁ । ରାଜପୁର, ବାଙ୍କୀ ଆଦି ଜମିଦାରୀ ଅଞ୍ଚଳରେ ଯେଉଁଠି କଂଗ୍ରେସ କର୍ମୀ ପହଞ୍ଚିଲେ, ସବୁଠାରେ ଅସହଯୋଗ ପ୍ରତି ଜମିଦାରଙ୍କ ବିରୋଧର ପରିମାଣ ଖୁବ୍‍ ଅଧିକ ଥିଲା । ତା'ଛଡ଼ା ଗ୍ରାମାଞ୍ଚଳରେ ସାନ ସାନ ସ୍ତରର ଅଫିସର ମଧ୍ୟ ଲୋକଙ୍କୁ ଅସହଯୋଗରୁ ଦୂରରେ ରହିବାକୁ ତାଗିଦ କରିଥିଲେ । ଅନ୍ୟ ପକ୍ଷରେ, ମାତ୍ର କେତେ ଜଣଙ୍କୁ ବାଦ୍‍ ଦେଲେ ଓକିଲ ବର୍ଗ ଅସହଯୋଗର ପାଖ ମାଡ଼ିଲେ ନାହିିଁ । ଗୋପବନ୍ଧୁ ଦାସ ନିଜେ ଜଣେ ଓକିଲ ଏବଂ ଅସହଯୋଗରେ ସାମିଲ ହେଲା ପରେ ଭବିଷ୍ୟତରେ ଆଉ କେବେ ସେ ଓକିଲାତି କରି ନାହାନ୍ତି । ଅନ୍ୟମାନଙ୍କଠାରୁ ବହୁ ଆଗରୁ ସେ ବିହାର-ଓଡ଼ିଶା ପ୍ରାଦେଶିକ କାଉନସିଲକୁ ୧୯୧୬ରେ ନିର୍ବାଚିତ ହୋଇ ୧୯୧୯ରେ ତହିିଁରୁ ଇସ୍ତଫା ଦେଇଥିଲେ ଏବଂ ଭବିଷ୍ୟତରେ କେବେ କାଉନସିଲପାଇଁ ନିର୍ବାଚନ ସୁଦ୍ଧା ଲଢ଼ି ନଥିଲେ । ମାତ୍ର ଓକିଲ ବର୍ଗର ଏତାଦୃଶ ଭାବ ଦେଖି ସେ ଗଭୀର ଅବସୋସ ପ୍ରକାଶ କରିଥିଲେ, କାରଣ ଓଡ଼ିଶାରେ ଓକିଲମାନେ ହିିଁ ଜାତୀୟତା ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ରୂପେ ଭୂମିକା ନିର୍ବାହ କରିବେ ବୋଲି ସମସ୍ତେ ଆଶା ରଖିଥିଲେ । ସମ୍ବଲପୁରରେ ଓକିଲମାନଙ୍କ ଅସଂପୃକ୍ତିରେ ବୀତସ୍ପୃହ ହୋଇ ଲକ୍ଷ୍ମୀନାରାୟଣ ମିଶ୍ର ସେମାନଙ୍କୁ ଏକ ବିଶ୍ୱାସଘାତକ ଗୋଷ୍ଠୀ ବୋଲି କହିଥିଲେ । ଗୋପବନ୍ଧୁଙ୍କ ମତରେ ଓକିଲମାନେ ଯେହେତୁ ଆଇନଜ୍ଞ, ସ୍ୱରାଜ ପଞ୍ଚାୟତର ଉପଯୋଗିତା କଥା ସେମାନେ ବୁଝାଇଥିଲେ ଲୋକ ସହଜରେ ସେକଥା ବିଶ୍ୱାସ ଯାଇଥାନ୍ତେ । ଠିକ ସେହିଭଳି ଆଧୁିନିକ ଶିକ୍ଷିତ ଗୋଷ୍ଠୀ ଉପନିବେଶବାଦୀ ଶିକ୍ଷାର ଦୁଷ୍ପରିଣାମ ଏବଂ ଜାତୀୟ ଶିକ୍ଷାର ମହତ୍ତ୍ୱ କଥା ସହଜରେ କହିପାରିଥାନ୍ତେ, ଯାହାଦ୍ୱାରା ଅସହଯୋଗର ପ୍ରସାରଲାଭ କଷ୍ଟକର ହୋଇନଥାନ୍ତା । ଅନ୍ୟ ପକ୍ଷରେ, ଓଡ଼ିଶାର ଚାଷୀ, ଆଦିବାସୀ ମଧ୍ୟ ବିଶେଷ ସଂଖ୍ୟାରେ ଅସହଯୋଗରେ ଯୋଗ ଦେବାର ଉଦାହରଣ ନାହିିଁ । ଆଦିବାସୀମାନେ ଏମିତିରେ ବ୍ରିଟିଶ ଉପନିବେଶବାଦର ବିରୋଧ କରିବାରେ ଆରମ୍ଭରୁ ଧୁରନ୍ଧର । ମାତ୍ର ଜାତୀୟତାବାଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ବହୁ ଦୂରରେ ସେମାନେ ରହିଗଲେ । ବୋଧହୁଏ, ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ-ନେତୃତ୍ୱ ଆଦିବାସୀର ଆସ୍ଥାଭାଜନ ହୋଇ ପାରିଲା ନାହିିଁ । ଆଦିବାସୀ ନେତୃତ୍ୱ ଓ ଅସହଯୋଗୀଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇ ପାରିଲା ନାହିଁ । ମୋଟ ଉପରେ କହିଲେ, ସହରାଞ୍ଚଳର କେତେକ ଶିକ୍ଷିତ ଯୁବକ ଏବଂ ଛାତ୍ର ହିିଁ ଆନ୍ଦୋଳନର ନେତା ଥିଲେ; ସେମାନେ କର୍ମୀ ଭାବରେ ବି କାର୍ଯ୍ୟ କରୁଥିଲେ । ଆନ୍ଦୋଳନର ବୟୋଜ୍ୟେଷ୍ଠ ନେତା ଭାବରେ ଗୋପବନ୍ଧୁ ଦାସଙ୍କୁ, ଯାହାଙ୍କର ବୟସ ୪୫ ବର୍ଷକୁ ଟପି ନଥିଲା, ବାଦଦେଲେ କାହାର ବୟସ ବୋଧହୁଏ ଚାଳିଶକୁ ପାରି କରି ନଥିଲା ଏବଂ ଅଧିକାଂଶଙ୍କ ବୟସ ତିରିଶ ବର୍ଷରୁ ଊଣା ଥିଲା । ପ୍ରାଦେଶିକ କଂଗ୍ରେସର ଗଠନ ପରେ ମାତ୍ର କେତୋଟି ମାସ ମଧ୍ୟରେ ଅସହଯୋଗକୁ ଓଡ଼ିଶାର ଅଭ୍ୟନ୍ତରରେ ପହଞ୍ଚାଇ ପାରିବା ଭଳି୨୫୪ . ଓଡ଼ିଶା ଇତିହାସ