ପୃଷ୍ଠା:Odisha Itihasa.pdf/୨୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିପକ୍ୱ ନେତୃତ୍ୱର ସେମାନଙ୍କଠାରେ ଅଭାବ ରହିଥିଲା । ଅସହଯୋଗର ହର୍ତ୍ତାକର୍ତ୍ତା ଭାବରେ ସେମାନେ ସୃଜନଶୀଳ ଢଙ୍ଗରେ ଆନ୍ଦୋଳନ ସହ ଓତପ୍ରୋତ ହେବା ସତ୍ତ୍ୱେ ୧୯୨୧ ଜୁନ ମାସ ଶେଷ ସୁଦ୍ଧା ଆନ୍ଦୋଳନ ବହୁତ ବ୍ୟାପକ ହୋଇ ପାରିଲା ନାହିିଁ । ଅନ୍ୟଥା ଧାର୍ଯ୍ୟ ମତେ ପାଣ୍ଠି ସଂଗ୍ରହ ବା ସଭ୍ୟ ସଂଗ୍ରହ ବା ଅରଟ ପ୍ରସାର କାମ ନିଶ୍ଚୟ ପୂର୍ଣ୍ଣ ହୋଇ ପାରିଥାନ୍ତା । ସେ ଯାହା ହେଉ; ପାଣ୍ଠି, ସଭ୍ୟ ଆଦିର 'କୋଟା' ପୂରଣ କରି ନପାରିବାର ବ୍ୟର୍ଥତା ଓଡ଼ିଶା ନେତୃତ୍ୱକୁ ନିରାଶ କଲା ନାହିିଁ । ୧୯୨୧ ଜୁନ ପରେ ମଧ୍ୟ ପାଣ୍ଠି ସଂଗ୍ରହ, ସଭ୍ୟ ସଂଗ୍ରହ ଅଭିଯାନ ଆଦି ଜାରି ରହିବ ବୋଲି ଦଳ ଘୋଷଣା କଲା । ଜୁନ ୧୯୨୧ରେ 'କୋଟା' ପୂରଣ ନ ହେବାରୁ ଆନ୍ଦୋଳନରେ କିଛି ସମୟପାଇଁ ଶିଥିଳତା ଦେଖାଗଲା । ତା'ର ସୁଯୋଗ ନେଇ ଚିନ୍ତାମଣି ଆଚାର୍ଯ୍ୟ, ବ୍ରଜ ସୁନ୍ଦର ଦାସ, ବିଶ୍ୱନାଥ କର ଏବଂ କଳ୍ପତରୁ ଦାସ ଆଦି ପୂର୍ବୋଲ୍ଲିଖିତ ଉଦାରପନ୍ଥୀ ଗୋଷ୍ଠୀ ଅସହଯୋଗର ବିକଳ୍ପ ରୂପେ ଓଡ଼ିଆ ପ୍ରସଙ୍ଗର ଉତ୍‍ଥାପନ କଲେ । ୨୬ ଜୁନ ୧୯୨୧ରେ କଟକରେ ଏକ ସଭା ଆୟୋଜନ କରି ଅସହଯୋଗର 'ନକାରାତ୍ମକ' ଦିଗକୁ ଦୂର କରିବାକୁ ସେମାନେ ପ୍ରସ୍ତାବ ଦେଲେ ଏବଂ ତା'ପାଇଁ ପୁନର୍ବାର କଂଗ୍ରେସର ପରିଧି ବାହାରେ ସମ୍ମିଳନୀର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଲେ । ଏହି ସତର୍କବାଣୀ ଅସହଯୋଗୀମାନଙ୍କୁ ପୁଣି ଥରେ ଏକଜୁଟ କରିଦେଲା । ସେମାନେ ନିଜ ନିୟନ୍ତ୍ରଣରେ ଉତ୍କଳ ସମ୍ମିଳନୀ ଝାରସୁଗୁଡ଼ାଠାରେ ଆୟୋଜନ କରିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏହି ପରିପ୍ରେକ୍ଷୀରେ ପ୍ରାଦେଶିକ କମିଟି ନିଜଆଡ଼ୁ ସମ୍ବଲପୁର ଜିଲ୍ଲା କମିଟିକୁ ଉତ୍କଳ ସମ୍ମିଳନୀକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଲା, କାରଣ 'ଉଭୟ ସଂଗଠନର ଲକ୍ଷ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିିଁ' ।

ଜୁଲାଇ ୧୯୨୧ରେ ବମ୍ବେଠାରେ ଅଖିଳ ଭାରତ କଂଗ୍ରେସ କମିଟିର ବୈଠକରେ ସ୍ଥିର ହେଲା ଯେ, ବିଦେଶୀ ବସ୍ତ୍ର ବର୍ଜନପାଇଁ ବିଦେଶୀ ବସ୍ତ୍ର ଦହ ଏବଂ ପିକେଟିଂକୁ ଗୁରୁତ୍ୱ ଦିଆଯିବ । ଏହି ବୈଠକରେ ଭାଗୀରଥି ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଏବଂ ଗୋଦାବରୀଶ ମିଶ୍ର ଯୋଗ ଦେଇଥିଲେ । କଂଗ୍ରେସର ଏହି ନୂଆ ପ୍ରସ୍ତାବରେ ଯେଉଁ ଉଗ୍ରତା ରହିଥିଲା, ଓଡ଼ିଶାରେ ତାର ପ୍ରଚାର ହେବା ପରେ ଆନ୍ଦୋଳନ ପୁଣି ଥରେ ପତ୍ର-ପତ୍ରିକାରେ ଦୃଶ୍ୟମାନ ହେବାକୁ ବସିଲା । ଅନ୍ୟ ଅର୍ଥରେ କହିଲେ, କଂଗ୍ରେସର ଉଗ୍ରତା ଶିଥିଳହୋଇ ଆସୁଥିବା ଆନ୍ଦୋଳନକୁ ପୁଣି ଥରେ ସକ୍ରିୟ କରିଦେଲା ।

ଏହି ପର୍ଯ୍ୟାୟରେ ଅର୍ଥାତ୍‍ ୧୯୨୧ ଜୁଲାଇ ପରେ ବିଦେଶୀ ବସ୍ତ୍ର ଦହ, ସ୍ୱଦେଶୀ କୀର୍ତ୍ତନ, ସ୍ୱଦେଶୀ ମେଳା ଆୟୋଜନ ତଥା ଅରଟର ପ୍ରଦର୍ଶନୀ ଆଦି ଅସହଯୋଗର ଉଗ୍ରତାକୁ ପ୍ରତିଫଳିତ କଲା । କଟକରେ ଖିଲାଫତ ଓ କଂଗ୍ରେସ କର୍ମୀ ପରସ୍ପର ମଧ୍ୟରେ ରକ୍ଷାବନ୍ଧନ କରି ସାଂପ୍ରଦାୟିକ ସଦ୍‍ଭାବ ପ୍ରଶ୍ନକୁ ଉଜ୍ଜୀବିତ କଲେ । ବାଙ୍କୀରେ ସରକାରୀ ସ୍କୁଲ ଗୃହ ପୋଡ଼ିହେଲା । ଏଥିପାଇଁ ପୋଲିସ୍‍ ସ୍ଥାନୀୟ ଅସହଯୋଗୀଙ୍କ ଉପରେ ସନ୍ଦେହ ପ୍ରକାଶ କଲେ । ପ୍ରାଦେଶିକ କଂଗ୍ରେସର ଉଗ୍ରତା ଆଉ ଏକ ପ୍ରକାରେ ମଧ୍ୟ ଏହି ସମୟରେ ପରିଲକ୍ଷିତ ହେଲା । ଗୋପବନ୍ଧୁ ଦାସ ଗଡ଼ଜାତ{{right|ଓଡ଼ିଶା ଇତିହାସ . ୨୫୫