ପୃଷ୍ଠା:Odisha Itihasa.pdf/୨୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜାଙ୍କୁ ସତର୍କବାଣୀ ଶୁଣାଇଲେ ଯେ ବେଠି, ବେଗାରି, ରସଦ ଆଦି ଅନ୍ୟାୟ ପ୍ରଥା ଯଦି ଶୀଘ୍ର ବନ୍ଦ ନହୁଏ, ସ୍ୱରାଜ ପରେ ତାର ଦୁଷ୍ପରିଣାମ ରାଜାମାନଙ୍କୁ ଭୋଗ କରିବାକୁ ପଡ଼ିବ । ଅନ୍ୟପକ୍ଷରେ କନିକା, ରାଜପୁର, ମଧୁପୁର ଆଦି ଜମିଦାରୀ ପ୍ରଗଣାରେ କଂଗ୍ରେସ କର୍ମୀ ଅନୌପଚାରିକ ଭାବରେ ପ୍ରବେଶ କଲେ ଏବଂ ପାଣ୍ଠି ତଥା ସଭ୍ୟ ସଂଗ୍ରହ ଆଦି କାର୍ଯ୍ୟ କଲେ । ମଧୁପୁରରେ କଂଗ୍ରେସ କର୍ମୀଙ୍କୁ ଆଶ୍ରୟ ଦେବା ଅପରାଧରେ ଜଣେ ପ୍ରାଥମିକ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଗଲା । କନିକାରେ ଅଗଷ୍ଟ୧୫ ତାରିଖ ଦିନ ଏକ ଜନସଭାକୁ ସମ୍ବୋଧିତ କରି ବାବାଜୀ ରାମଦାସ ଖଜଣା ବୃଦ୍ଧିପାଇଁ ଉଭୟ ଜମିଦାର (ଲୌକିକ ସ୍ତରରେ ରାଜା) ଓ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କଲେ, ସେମାନଙ୍କର ତୀବ୍ର ସମାଲୋଚନା କଲେ । ଖଜଣା ବୃଦ୍ଧିକୁ ନେଇ କନିକାରେ ଆନ୍ଦୋଳନ ଗୁପ୍ତ ଭାବରେ ଆରମ୍ଭ ହେଲା । ସ୍ଥାନୀୟ କଂଗ୍ରେସ କର୍ମୀ ତହିିଁରେ ସକ୍ରିୟ ସହଯୋଗ କଲେ । କଂଗ୍ରେସର ପ୍ରାଥମିକ ସଭ୍ୟ ହୋଇ ଅସହଯୋଗରେ ରୟତ ପ୍ରଜା ଯୋଗ ଦେଲେ ସେମାନଙ୍କୁ ଆଉ ଖଜଣା ଦେବାକୁ ପଡ଼ିବ ନାହିିଁ ବୋଲି ଲୌକିକ ସ୍ତରରେ ଆଶା ସୃଷ୍ଟି ହେଲା । ବାବାଜୀ ରାମଦାସଙ୍କ ସଭା ପରେ ଛଅଜଣ ଛାତ୍ର କନିକା ସ୍କୁଲ ବର୍ଜନ କଲେ ଏବଂ ଆନନ୍ଦ ଜେନା, ଚକ୍ରଧର ବେହେରା ଆଦି କେତେକ ଜମିଦାର କର୍ମଚାରୀ ଚାକିରିରୁ ବରଖାସ୍ତ ହେଲେ । ପରବର୍ତ୍ତୀ ସମୟରେ ଏହା କନିକା ଆନ୍ଦୋଳନକୁ ଅଧିକ ତେଜୀୟାନ କଲା । ପ୍ରାଦେଶିକ କଂଗ୍ରେସର ଉଗ୍ରତାର ପ୍ରତିଫଳନ ପ୍ରବାସୀ ଓଡ଼ିଆ କୁଲି ମଜୁରିଆ ସଂଗଠନରେ ମଧ୍ୟ ଅନୁଭୂତ ହେଲା । ବର୍ମା ଓ ଇଜିପ୍ଟରେ ରହୁଥିବା ପ୍ରବାସୀଙ୍କ ପକ୍ଷରୁ ଯଥାକ୍ରମେ ମଧୁସୂଦନ ମହାନ୍ତି ଓ ଚକ୍ରଧର ପଟ୍ଟନାୟକ ପ୍ରାଦେଶିକ କଂଗ୍ରେସ ସହ ଯୋଗାଯୋଗ ସ୍ଥାପନ କଲେ । କଲିକତାର ପ୍ରବାସୀ ଓଡ଼ିଆଙ୍କୁ ସଂଗଠିତ କରିବାସକାଶେ କଟକ ଜିଲ୍ଲା ସମିତି ପ୍ରତିିନିଧି ମଧ୍ୟ ପଠାଇଲା ଏବଂ କଲିକତା ବଡ଼ବଜାରରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ଶାଖା ଗଠିତ ହେଲା । ଏହି ସଂଗଠନର ଫଳ ସ୍ୱରୂପ ୧୯୨୧ ଅଗଷ୍ଟ ଶେଷ ଆଡ଼କୁ ବଡ଼ବଜାରରେ ଓଡ଼ିଆ କୁଲି ବିଦେଶୀ ବସ୍ତ୍ରର ବୋଝ ଉଠାଇବେ ନାହିିଁ ବୋଲି ହରତାଳ କଲେ ।

ପୋଲିସର ଦମନଲୀଳା କଂଗ୍ରେସର ଉଗ୍ରତା ସହିତ ତାଳ ଦେଇ ଏହି ସମୟରେ ଅସହଯୋଗୀଙ୍କ ଉପରେ ପୋଲିସ ଦମନ ମଧ୍ୟ ବୃଦ୍ଧି ପାଇଲା । ନିଷେଧାଜ୍ଞା ଜାରି କରି ପୋଲିସ ପ୍ରାଦେଶିକ କଂଗ୍ରେସର ତୁଙ୍ଗ ନେତାମାନଙ୍କର 'ମୁଖବନ୍ଦ' କଲେ । ସେପ୍ଟେମ୍ବରରେ ଗୋପବନ୍ଧୁ ଦାସଙ୍କର କଟକ, ପୁରୀ ଏବଂ ସତ୍ୟବାଦୀରେ ଦୁଇମାସପାଇଁ ମୁଖବନ୍ଦ ହେଲା । ଭାଗୀରଥି ମହାପାତ୍ର ଏବଂ ଦିଗମ୍ବର ଶ୍ରୀଚନ୍ଦନଙ୍କର କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ମୁଖବନ୍ଦ ହେଲା । ଅଗଷ୍ଟରେ ବାବାଜୀ ରାମଦାସଙ୍କୁ ଗିରଫ କରି ଜେଲ୍‍ ପଠାଗଲା । ପୁଣି, ନାନା ଉପାୟରେ ସରକାର କଂଗ୍ରେସର ନିଶା ନିବାରଣ କାର୍ଯ୍ୟକ୍ରମକୁ ବିରୋଧ କରି ମଦ୍ୟପାନର ଆବଶ୍ୟକତା ଦର୍ଶାଇଲେ । ଏହା ସରକାରର ଜନ ବିରୋଧୀ ସ୍ୱଭାବକୁ ଅଧିକ୨୫୬ . ଓଡ଼ିଶା ଇତିହାସ