ପୃଷ୍ଠା:Odisha Itihasa.pdf/୨୫୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସୁସ୍ପଷ୍ଟ କଲା । ତା'ଛଡ଼ା, ନଭେମ୍ୱରରେ ଗୋପବନ୍ଧୁଙ୍କ ନାଁରେ ଏକ ମିଥ୍ୟା ଅଭିଯୋଗ ଅଣାଗଲା ଏବଂ ଖୋର୍ଦ୍ଧା ଅଦାଲତରେ ତାର ବିଚାର ଚାଲିଲା । କଂଗ୍ରେସ ଏକ ପକ୍ଷରେ ପୋଲିସ ଦମନର ବିରୋଧ କଲା । ପୁଣି ଅନ୍ୟ ପକ୍ଷରେ ଜେଲ୍‍କୁ ସ୍ୱରାଜ ପ୍ରାପ୍ତିର ସ୍ୱର୍ଗଦ୍ୱାର ବୋଲି ଉଲ୍ଲେଖ କଲା । ଗିରଫ ବ୍ୟକ୍ତି ଜାମିନରେ ଗଲେ ନାହିିଁ । ଗୋପବନ୍ଧୁ ମୁଖବନ୍ଦ ଆଦେଶର ଅମାନ୍ୟ କଲେ ନାହିିଁ, କାରଣ ଆଇନ ଅମାନ୍ୟ ନିମନ୍ତେ କଂଗ୍ରେସ ନିର୍ଦ୍ଦେଶ ଦେଇ ନଥିଲା । ମାତ୍ର କଂଗ୍ରେସ ସଭାମାନଙ୍କରେ ସେ ଲିଖିତ ବକ୍ତବ୍ୟମାନ ଦେଲେ । ଗୋପବନ୍ଧୁଙ୍କ ଉପସ୍ଥିତିରେ ତାଙ୍କ ବକ୍ତବ୍ୟ ସଭାରେ ପାଠ କରାଗଲା । ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁଙ୍କଦ୍ୱାରା ଲିଖିତ 'ମୂକ ମିନତି'କୁ ଦେଖାଯାଇପାରେ । ଏହା ଲୋକଙ୍କ ମନରୁ ସରକାର ପ୍ରତି ଭୟ ଦୂର କଲା, ଅସହଯୋଗ ସମ୍ୱନ୍ଧରେ ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କଲା । ପୁଣି, ଉପସ୍ଥିତ ସ୍ଥିତିରେ ଏହା ଆଇନ ଅମାନ୍ୟ ପରି ଦୃଢ଼ ବିରୋଧର କାମ କଲା । ଅର୍ଥାତ୍‍ ପ୍ରାଦେଶିକ ନେତୃତ୍ୱ ଦଳୀୟ ନିର୍ଦ୍ଦେଶକୁ ଅବମାନନା କଲେ ନାହିିଁ, ଅଥଚ ଲିଖିତ ବକ୍ତବ୍ୟ ପ୍ରଦାନ କରି ସରକାରଙ୍କ ଅପାରଗତାକୁ ସୁସ୍ପଷ୍ଟ କଲେ ।

ନିମ୍ନରେ 'ମୂକ ମିନତି'ରୁ କିଛି ଉଦ୍ଧୃତ କରାଗଲା ।

"ପୁରୀ ଆଉ କଟକର ଜିଲ୍ଲା ମେଜେଷ୍ଟର
ଏକଶ ଚୌରାଳିଶ ଦଫାରେ ଅଡ଼ର ॥
ଜାରିକରି ମୋର ମୁଖ କରିଛନ୍ତି ବନ୍ଦ
ସେଥିପାଇଁ ନୁହେଁ ମୁହିିଁ ତିଳେ ନିରାନନ୍ଦ ॥
ହୁକୁମ ନ ମାନି କାର୍ଯ୍ୟ କରିବାକୁ ଭାଇ
ମୋ ହୃଦେ ଶକତି ଦେଇଛନ୍ତି ବିଶ୍ୱ ସାଇଁ ॥
କିନ୍ତୁ କଂଗ୍ରେସର ନାହିିଁ ସେପରି ଆଦେଶ
ତେଣୁ ଏ ମୂକ ମିନତି କଲି ପରକାଶ ॥"

୧୯୨୧ ମସିହା ଶେଷ ବେଳକୁ ସରକାର ପକ୍ଷର ପ୍ରତିକ୍ରିୟାରୁ କେତେକ ଅଞ୍ଚଳରେ କଂଗ୍ରେସର ଲୋକାଧାର ବିପୁଳ ପରିମାଣରେ ବୃଦ୍ଧି ପାଇଥିବାର ପ୍ରମାଣ ମିଳେ । ଅକ୍ଟୋବର ୪ 'ସମାଜ'ରେ ପ୍ରକାଶିତ 'ସତ୍ୟହେଲେ ସାଂଘାତିକ' ଶୀର୍ଷକ ଏକ ସମ୍ୱାଦକୁ ନେଇ ବେଗୁନିଆ ପୋଲିସ ଖୋର୍ଦ୍ଧା ଅଦାଲତରେ ପତ୍ରିକାର ସଂପାଦକ ଏବଂ ପ୍ରାଦେଶିକ କଂଗ୍ରେସର ସଭାପତି ଗୋପବନ୍ଧୁଙ୍କ ନାଁରେ ଏକ ମିଥ୍ୟା ମାନହାନି ମୋକଦ୍ଦମା ଦାୟର କଲେ । ସେହି ଆଧାରରେ ଗୋପବନ୍ଧୁ ଗିରଫ ହେଲେ ଏବଂ ଜାମିନରେ ନ ଯିବାରୁ ଖୋର୍ଦ୍ଧାରେ ତାଙ୍କର ବିଚାର ଚାଲିଲା । ବିଚାରର ଶୁଣାଣି ଦିନମାନଙ୍କରେ ଅଦାଲତ ପରିସରରେ ହଜାର ହଜାର ଲୋକଙ୍କର ସମାଗମ ହେଲା । ଅଦାଲତ କକ୍ଷରେ ଭିଡ଼ ଅସମ୍ଭାଳ ହେବାରୁ ଶୁଣାଣି ଅଦାଲତ ବାହାରେ ଖୋଲା ହତାରେ କରାଗଲା । ବିଚାରକୁ ନେଇ ଲୋକ ଉତ୍ସାହ ଏତେ ମାତ୍ରାରେ ବୃଦ୍ଧି ପାଇଲା ଯେ, ଦୁଇଜଣ ଓଡ଼ିଆ ମାଜିଷ୍ଟ୍ରେଟ ବାହାନା କରି ଛୁଟି ନେଇଗଲେ । ମିଥ୍ୟା ଅପରାଧରେ ଜଣେ ଜନନେତାଙ୍କୁ ଦଣ୍ଡ{{right|ଓଡ଼ିଶା ଇତିହାସ . ୨୫୭